ବାଲିଗୁଡାକୁ ଜିଲ୍ଲା ଘୋଷଣା ଦାବୀ ଜୋରଧରିଲା : ଦ୍ୱିତୀୟ ବୈଠକରେ ସମସ୍ତଙ୍କ ସହଯୋଗ ରହିଲା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ ପରିଚିତ ବାଲିଗୁଡାକୁ ଜିଲ୍ଲା ଦାବୀ ନେଇ ମିଳିତ ମଂଚର ଆବାହକ ତଥା ବରିଷ୍ଠ ଆଇନଜୀବୀ କୌଶିକ ସାହୁଙ୍କ ନେତୃତ୍ୱରେ ହୋଟେଲ ବିଭବ ଠାରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଦଳମତ ନିର୍ବିଶେଷରେ ସମସ୍ତେ ଏକ ହୋଇ ବାଲିଗୁଡାକୁ ଜିଲ୍ଲା ଘୋଷଣା ପାଇଁ ଦାବୀ କରିବା, ରାଜ୍ୟ ସରକାର ବାଲିଗୁଡାକୁ ଜିଲ୍ଲା ଘୋଷଣା ନକରିବା ପର୍ଯ୍ୟନ୍ତ ଏହି ଦାବୀ ପର୍ଯ୍ୟାୟ କ୍ରମେ ଚାଲିବ ବୋଲି ନିଷ୍ପତି ନିଆଗଲା । ପ୍ରଥମେ ଶାନ୍ତିଶୃଙ୍ଖଳାରେ ଦାବୀ କରାଯିବ ଆବଶ୍ୟକ ସ୍ଥଳେ ବାଲିଗୁଡାକୁ ବନ୍ଦ ବି କରାଯିବ ବୋଲି ଆଲୋଚନା ହୋଇଛି । ପୋଷ୍ଟର ଓ ବ୍ୟାନର କରି ସମସ୍ତ ବ୍ଲକ, ପଂଚାୟତ ସମେତ ଅନ୍ୟ ସ୍ଥାନରେ ମରାଯିବ ଏବଂ ଜିଲ୍ଲାଦାବୀ ପାଇଁ ସମସ୍ତ ଗ୍ରାମ ପଞ୍ଚାୟତରୁ ଦସ୍ତଖତ ଅଭିଯାନ କରାଯିବା ସହ ବାଲିଗୁଡା ବ୍ଲକ ସମେତ ଉପଖଣ୍ଡରେ ଥିବା ୯ଟି ଯାକ ବ୍ଲକକୁ ଏଥିରେ ସାମିଲ କରାଯିବ । ରବିବାର ଦିନ ମିଳିତ ମଂଚ ଜିଲ୍ଲା କରିବାକୁ ସର୍ମଥନ କରିବା ନିମନ୍ତେ କୋଟଗଡ ଏବଂ ତୁମୁଡିବନ୍ଧକୁ ଯାଇ ଅଂଚଳବାସୀ ତଥା କିଛି ନେତୃତ୍ୱ ମଣ୍ଡଳିକୁ ଭେଟି ବାଲିଗୁଡାକୁ ଜିଲ୍ଲା କରିବା ନିମନ୍ତେ ଦୁଇଟି ବ୍ଲକରେ ବୈଠକ କରାଯାଇଥିଲା, ବାଲିଗୁଡା ଜିଲ୍ଲା ହେଲେ ସମସ୍ତ ବ୍ଲକ ମାନଙ୍କର କ’ଣ କ’ଣ ଫାଇଦା ମିଳିବ ଓ ସମସ୍ତ ପ୍ରଶାସନିକ ଯୋଜନା ଆମକୁ ହାତ ପାହାନ୍ତରେ ମିଳିବ ବୋଲି ଆଲୋଚନା କରାଯାଇଥିଲା । ଏହା ପରେ ପରେ କ୍ରମାନୁୟାରେ ଦାରିଙ୍ଗବାଡି, କ.ନୁଆଗାଁ, ରାଇକିଆ, ଜି.ଉଦୟଗିରି , ଟିକାବାଲି, ଚକାପାଦ ଆଦି ବ୍ଲକ ମାନଙ୍କୁ ଯାଇ ବୈଠକ କରାଯିବାର କାର୍ଯ୍ୟକ୍ରମ ରଖାଯାଇଛି । ଏହି ବୈଠକରେ ଆବାହକ ସମେତ ଡଃ ବିଚିତ୍ରାନନ୍ଦ ଆଚାର୍ଯ୍ୟ, ଏନଏସି ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଆଇନଜୀବୀ କ୍ଷମା ସାଗର ପ୍ରଧାନ, ଓକିଲ ସଂଘର ସଭାପତି ଟି. ହରିଶ୍ଚନ୍ଦ୍ର ରାଓ, ବଣିକ ସଂଘର ସମ୍ପାଦକ ଶ୍ୟାମ ସୁନ୍ଦର ପାତ୍ର, ଠିକାଦାର ସଂଘର ସଭାପତି ସ୍ଵପ୍ନେଶ୍ୱର ସାହୁ, ବସ ମାଲିକ ସଂଘର ସମ୍ପାଦକ ରବିଚନ୍ଦ୍ର ପାତ୍ର, ଅଟୋ ସଂଘର ସଭାପତି ତାପସ ନାୟକ, କ୍ଷୁଦ୍ର ବଣିକ ସଂଘର ସଭାପତି ସନ୍ୟାସୀ ନାୟକ, ଉପଖଣ୍ଡ କଳାକାର ସଂଘର ସୁକଦେବ ନାୟକ, ବନବାସୀ ସେବା ସମିତିର କୋଷାଧ୍ୟକ୍ଷ ରବିନ୍ଦ୍ର ମହାପାତ୍ର, ଶାନ୍ତମୈତ୍ରୀ ଅନୁଷ୍ଠାନର ପ୍ରଭାତବାବୁ, ଡ୍ରାଇଭର ସଂଘର ଅଖିଳ ବିଶ୍ୱାଳ, ସାମ୍ବାଦିକ ସଂଘର ସମସ୍ତ କର୍ମକର୍ତ୍ତା ଓ ଅନ୍ୟମାନେ ଉପସ୍ଥିତ ରହି ବାଲିଗୁଡାକୁ ଜିଲ୍ଲା କରିବା ପାଇଁ ନିଜ ନିଜର ମତାମତ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.