ଖାଲି ପେଟରେ କେହି ନଶୁଅନ୍ତୁ

ଦିନଥିଲା ଗରିବ ଲୋକଟି ମାସର ଅନେକ ଦିନ ପେଟରେ ଓଦାକନା ଦେଇ ଶୋଇ ପଡୁଥିଲା । ସେହି ଲୋକଟି ନିଜ ପରିବାର ପ୍ରତିପୋଷଣ ପାଇଁ କଠୋର ପରିଶ୍ରମ କରୁଥିଲା କିନ୍ତୁ ଯେତେ ଖଟିଲେବି ସେ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ମୁଖରେ ଠିକ୍ ଭାବରେ ଆହାର ଦେଇ ପାରୁ ନଥିଲା । ରୋଗ ବଇରାଗ ହେଲେ ସ୍ଥିତି ସାଂଘାତିକ ହୋଇ ପଡୁଥିଲା । ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ଓ ହାତ ପାହାନ୍ତରେ କାମ ଏକ ଦୁରୁହ ବ୍ୟାପାର ଥିଲା । ଜମି ମାଲିକମାନେ ଗରିବ ଲୋକଙ୍କୁ ଯେଉଁ ଭାବରେ ଖଟାଉଥିଲେ ସେହି ଅନୁସାରେ ପାଉଣା ଦେଉନଥିଲେ । ଗରିବ ଲୋକଟି ମହାଜନ ପାଖରୁ ଅଗ୍ରିମ କିଛି ଟଙ୍କା ଓ ଶସ୍ୟ ଆଣି ବର୍ଷସାରା ତାଙ୍କ ଜମିରେ ଖଟୁଥିଲା । ସାମାଜିକ ସୁରକ୍ଷା ପ୍ରତି ମଧ୍ୟ ସେହି ସମୟରେ ବିଶେଷ ଧ୍ୟାନ ଦିଆଯାଇନଥିବା ପରିଲକ୍ଷିତ ହୁଏ । ଗରିବ ଲୋକର ବିକଳ ଚିତ୍କାର କାହାର କାନରେ ପଡୁନଥିଲା । ଅନେକ ଲୋକ କ୍ଷୁଧାରେ ମୃତ୍ୟୁବରଣ କରୁଥିଲେ ମଧ୍ୟ । ଦେଶର ବିଭିନ୍ନ ପ୍ରାନ୍ତରେ ଦାରିଦ୍ର୍ୟ ଓ ଅନାହାରର ବିକଳ ଚିତ୍ର ସାମ୍ନାକୁ ଆସୁଥିଲା । ପେଟର କ୍ଷୁଧା ନିବାରଣ ପାଇଁ ଅନେକ ଲୋକ ହିନକାର୍ଯ୍ୟ କରିବାକୁ ମଧ୍ୟ ପଛାଉନଥିଲେ । ତେବେ ଗତ କିଛି ବର୍ଷ ତଳୁ ଏସବୁ ଧିରେ ଧିରେ ଅପସରିତ ହୋଇଛି । ସମାଜର ଶେଷ ଲୋକଙ୍କ ପାଖକୁ ମଧ୍ୟ ସରକାରଙ୍କ ଯୋଜନା ପହଞ୍ଚି ପାରିଛି । ସାମାଜିକ ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଆଦି ମୈ।ଳିକ ସୁବିଧା ଧିରେ ଧିରେ ସମସ୍ତଙ୍କ ପାଖକୁ ପହଞ୍ଚିବାରେ ଲାଗିଛି । ତେବେ ଏସବୁ ମଧ୍ୟରେ ବି ଆଜି ଦେଶର ଅନେକ ଲୋକ ଭୋକ ଉପାସରେ ସମୟ ଅତିବାହିତ କରୁଅଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଏକ ମର୍ମସ୍ପର୍ଶୀ ବାର୍ତ୍ତା ଦେଇଛନ୍ତି ।

ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି ଯେ, ଭାରତର ସଂସ୍କୃତି ଏବଂ ପରମ୍ପରା ହିଁ ବିଶ୍ବ ଦରବାରରେ ଆମକୁ ସ୍ବତନ୍ତ୍ର ପରିଚୟ ଦେଇଛି । ଆମ ଏକତା ଏବଂ ଅଖଣ୍ଡତା ବିଶ୍ବକୁ ପରିବ୍ୟାପ୍ତ । ତେଣୁ ଏହାକୁ ବଜାର ରଖୁବା ମଧ୍ୟ ଆମର କର୍ତ୍ତ୍ୟବ । ଏକ ଗୁରୁତ୍ଵପୂର୍ଣ୍ଣ ଘଟଣା କ୍ରମେ ମର୍ମସ୍ପର୍ଶୀ ବାର୍ତ୍ତା ଦେଇଛନ୍ତି ସୁପ୍ରିମକୋର୍ଟ ।ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ‘ଆମ ଦେଶର ସଂସ୍କୃତି ହେଉଛି କେହି ଜଣେ ବି ଯେମିତି ଖାଲି ପେଟରେ ନଶୁଅନ୍ତି ତାହା ସୁନିଶ୍ଚିତ କରିବା ଆଉ ତାହା କେନ୍ଦ୍ର ସରକାରଙ୍କ ଦାୟିତ୍ବ’। ଏ ନେଇ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସମାଜରେ ଥିବା ଶେଷ ଲୋକଟି ପାଖରେ ଯେପରି ଖାଦ୍ୟ ପହଞ୍ଚେ ଏବଂ କେହି ଯେମିତି ଖାଲି ପେଟରେ ନ ଶୋଇବେ ତାହା ସୁନିଶ୍ଚିତ କରିବାକୁ କେନ୍ଦ୍ରକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ଜଷ୍ଟିସ୍ ଏମ୍.ଆର୍. ଶାହ ଏବଂ ଜଷ୍ଟିସ୍‌ ହିମା କୋହଲିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏ ବାବଦରେ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଏକ ତାଜା ରିପୋର୍ଟ ଚାର୍ଟ ପ୍ରଦାନ କରିବାକୁ କହିଛନ୍ତି । ଇ-ଶ୍ରମ ପୋର୍ଟାଲରେ କେତେ ସଂଖ୍ୟକ ଶରଣାର୍ଥୀ ଏବଂ ଅସଂଗଠିତ କ୍ଷେତ୍ରର କର୍ମଚାରୀ ପଞ୍ଜିକରଣ କରାଇଛନ୍ତି ତାହାର ମଧ୍ୟ ତାଜା ରିପୋର୍ଟ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବେଞ୍ଚ । କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବେଞ୍ଚ କହିଛନ୍ତି, ‘ଆମେ ଏହା କହୁନାହୁଁ ଯେ କେନ୍ଦ୍ର ସରକାର କିଛି କରୁନାହାନ୍ତି । କରୋନା ମହାମାରୀ ସମୟରେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ସରକାର କରିଥିବା ପ୍ରୟାସ ପ୍ରଶଂସନୀୟ । ତେଣୁ ଏହା ଯେପରି ଜାରି ରୁହେ ତାହା ଦେଖିବାକୁ ପଡିବ । ଏହା ଆମର ସଂସ୍କୃତି ଯେ, କେହି ଯେପରି ଖାଲି ପେଟରେ ନଶୋଇବେ ତାହା ସୁନିଶ୍ଚିତ କରିବା’।

୩ ଜଣ ସାମାଜିକ କର୍ମୀ ଏ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଅଞ୍ଜଳି ଭରଦ୍ବାଜ, ହର୍ଷ ମନ୍ଦିର ଏବଂ ଜଗଦୀପ ଛୋକର ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ମାଧ୍ୟମରେ ଫାଇଲ କରିଥିଲେ । ଆଡଭୋକେଟ୍ ପ୍ରଶାନ୍ତ ଭୂଷଣ କହିଛନ୍ତି, ୨୦୧୧ ଜନଗଣନା ପରେ ଭାରତର ଜନସଂଖ୍ୟା ବୃଦ୍ଧି ପାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଥିବା ଲାଭାର୍ଥୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଇଛି।

ପ୍ରଶାନ୍ତ ଭୂଷଣ କୋର୍ଟଙ୍କୁ କହିଛନ୍ତି, ‘ସରକାର ଦାବି କହୁଛନ୍ତି ଯେ ଗତ କିଛି ବର୍ଷ ହେଲା ଜନସାଧାରଣଙ୍କ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଛି । କିନ୍ତୁ ବିଶ୍ବ କ୍ଷୁଧା ସୂଚକାଙ୍କରେ ଭାରତ ଦ୍ରୁତ ଗତିରେ ନିମ୍ନଗାମୀ ହେଉଛି’।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.