ଡକ୍ଟର ଅଜିତ କୁମାର ବେହେରା ପାଇଲେ ଶିକ୍ଷା ଭାରତୀ ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲାର ଜଣେ ଉଦୀୟମାନ ଯୁବ ଗବେଷକ ତଥା ସାହିତ୍ୟିକ ଡକ୍ଟର ଅଜିତ କୁମାର ବେହେରା ଶିକ୍ଷା ଭାରତୀ ସମ୍ମାନ-୨୦୨୨ ପ୍ରାପ୍ତ ହୋଇଛନ୍ତି। କର୍ଲାମୁଣ୍ଡା ବ୍ଲକ ରେଗେଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପଞ୍ଚମ ବାର୍ଷିକୋତ୍ସବରେ ଡ଼ଃ ବେହେରାଙ୍କୁ ମାନପତ୍ର, ଟ୍ରଫି ଓ ଉପଢୌକନ ଦେଇ ଚଳିତ ବର୍ଷର ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଛି। କଶୃପଡା ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟରତ ଡ଼ଃ ବେହେରା ଆଦିବାସୀ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣାକରି ନିକଟରେ ସମ୍ୱଲପୁର ବିଶ୍ଵବିଦ୍ୟାଳୟରୁ ଶିକ୍ଷା ଜଗତର ସର୍ବୋଚ୍ଚ ମର୍ଯ୍ୟାଦାଜନକ ଡି.ଲିଟ୍ ଡିଗ୍ରୀ ଲାଭ କରିଛନ୍ତି।

ଇତିପୂର୍ବରୁ ସେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟରୁ ‘ଜୁନିଅର ଫେଲୋସିପ, କଳାହାଣ୍ଡି ଯୁବ ପୁରସ୍କାର, ରାଜ୍ୟ ଜନଜାତି ସମ୍ମାନ, ଭକ୍ତକବି ଗୋପାଳକୃଷ୍ଣ ସମ୍ମାନ, ଦେବଗିରି କଳା ସମ୍ମାନ, ମୁନିଗୁଡ଼ା ସାହିତ୍ୟ ସମ୍ମାନ, ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମାନ, ଅଷ୍ଟଭୁଜା ସାହିତ୍ୟ ସମ୍ମାନ, ପ୍ରଗତିଶୀଳ ସମ୍ମାନ, ଅ ପ୍ରତିଭା ସମ୍ମାନ ଭଳି ରାଜ୍ୟସ୍ତରୀୟ ସମ୍ମାନ ଲାଭ କରି ସୁନାମ ଅର୍ଜନ କରିଛନ୍ତି। ତାଙ୍କର କବିତା ସଙ୍କଳନ “ତୁମେ” ଓ ଗବେଷଣାମୂକ ପୁସ୍ତକ “କଳାହାଣ୍ଡିର ଲୋକବିଶ୍ୱାସ” ପ୍ରକାଶିତ ହୋଇଥିବା ବେଳେ “ପଶ୍ଚିମ ଓଡ଼ିଶାର ଲୋକଦେବତା”, “କନ୍ଧାନ୍ ଭାଷା ଓ ସାହିତ୍ୟ” ଏବଂ “କନ୍ଧ ଲୋକଧାରା” ପ୍ରକାଶ ଅପେକ୍ଷାରେ ରହିଛି। ଡ଼ଃ ବେହେରାଙ୍କ ଅନେକ କବିତା, ଗଳ୍ପ, ପ୍ରବନ୍ଧ ବହୁ ପତ୍ର ପତ୍ରିକାରେ ପ୍ରକାଶିତ ଏବଂ ଆକାଶବାଣୀରେ ପ୍ରସାରିତ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.