ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଙ୍ଗନବାଡି ଓ ସହାୟିକା ମାନଙ୍କ ଧାରଣାକୁ ମାସେ ପୁରିବାକୁ ଯାଉଥିବା ବେଳେ ଗତକାଲି ପର୍ଯ୍ୟନ୍ତ ଧାରଣାରେ ବସିଥିଲେ କର୍ମୀ । ସରକାର ଏମାନଙ୍କ ଦାବୀ ଗୁଡିକ ପ୍ରତି କର୍ଣ୍ଣପାତ ନ କରିବାରୁ ଆଜି ଠୁଁ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ । ସେପଟେ ଭୁବନେଶ୍ୱର ରେ କର୍ମୀ ମାନେ ଧାରଣାରେ ବସି ହଙ୍ଗମା କରୁଥିବା ବେଳେ ପ୍ରତି ବ୍ଲକ ର କର୍ମୀ ମାନେ ସିଡିପିଓ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ଆଜି ନର୍ଲା ବ୍ଲକ ର ୩୦୦ ରୁ ଉର୍ଦ୍ଧ୍ବ କର୍ମୀମାନେ ରାଜ ରାସ୍ତାକୁ ଓହ୍ଲାଇ ନାରବାଜୀ କରି ବେନର ଓ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିଥିବା ଦେଖିବାକୁ ମିଳିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ରାଜ୍ୟ ସାରାର ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନେ ୮ ଦଫାର ଦାବୀ ନେଇ ଗତ ୨୧ ରୁ ରାଜଧାନୀ ଭୁବନେଶ୍ୱରରେ ଗଣ ଧାରଣା ଦେଉଥିବା ବେଳେ ନର୍ଲା ଆଇସିଡିଏସ୍ ଅଫିସ୍ ସମ୍ମୁଖରେ ନର୍ଲାର ଶତାଧିକ ଅଙ୍ଗନୱାଡି କର୍ମୀ ଓ ସହାୟୀକା ମାନେ ଧାରଣା ଦେଇ ଆସୁଥିଲେ। ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ଆସୋସିଏସନ ସଂଘର ଡାକରାରେ ୨୦୧୮ ରେ ବହିସ୍କୃତ ହୋଇଥିବା ଅଙ୍ଗନୱାଡି କର୍ମୀଙ୍କ ପୁନଃ ନିଯୁକ୍ତି ଦାବୀ, ଅଙ୍ଗନୱାଡି କର୍ମୀ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦିଆଯାଉ, ଯେତେଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆଯାଇ ନାହିଁ ଅଙ୍ଗନୱାଡି କର୍ମୀଙ୍କୁ ୧୮,୦୦୦ ଟଙ୍କା ଓ ସହାୟୀକା ମାନଙ୍କୁ ୯,୦୦୦ ଟଙ୍କା ପ୍ରଦାନ କରାଯାଉ । ଏବଂ ଇପିଏଫ୍, ଇଏସ୍ଆଇସି ଓ ଗ୍ରାଚ୍ୟୁଇଟି ରେ ସାମିଲ କରାଯାଉ । ମିନି ଅଙ୍ଗନୱାଡି କର୍ମୀକୁ ଉଚ୍ଛେଦ କରାଯାଇ ମୁଖ୍ୟ ଅଙ୍ଗନୱାଡି କର୍ମୀର ମାନ୍ୟତା ଦିଆଯାଉ । ଅଙ୍ଗନୱାଡି କର୍ମୀଙ୍କୁ ଅବସର କାଳରେ ୫,୦୦,୦୦୦ ଟଙ୍କା ସହାୟତା ରାଶି ଓ ମାସିକ ପେନସନ ୫,୦୦୦ ଟଙ୍କା ପ୍ରଦାନ କରାଯାଉ । କାର୍ଯ୍ୟରତ ଅବସ୍ଥାରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା ମୃତ୍ୟୁ କାଳୀନ ସହାୟତା ରାଶି ଓ ପରିବାର ର ଜଣକୁ ଚାକିରୀ ଦିଆଯାଉ । ୨୦୧୮ ରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶ ଲାଗୁ କରାଯାଉ । ୫୦ ପ୍ରତିଶତ ଅଙ୍ଗନୱାଡି କର୍ମୀଙ୍କୁ ପଦୋନ୍ନତି ଦିଆଯାଉ । ଏଭଳି ୮ ଗୋଟି ଦଫାର ଦାବୀ ନେଇ ରାଜଧାନୀ ଭୁବନେଶ୍ୱରରେ ଅଙ୍ଗନୱାଡି କର୍ମୀଙ୍କ ଗଣ ଆନ୍ଦୋଳନ ଚାଲିଛି । ଏହା ଦାବୀ ପୁରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ସାରା ରାଜ୍ୟର ଅଙ୍ଗନୱାଡି କର୍ମୀ ଭୁବନେଶ୍ୱରରେ ଧାରଣାରେ ସମବେତ ହୋଇଥିବା ବେଳେ ଓଡିଶାର ସମସ୍ତ ବ୍ଲକ ର ଆଇସିଡିଏସ୍ ଅଫିସ୍ ସମ୍ମୁଖରେ ଭୁବନେଶ୍ୱର ଧାରଣାକୁ ଯାଇ ପାରି ନଥିବା ଅଙ୍ଗନୱାଡି କର୍ମୀ ମାନେ ସେଠାରେ ଧାରଣା ଦେଉଥିବା ଦେଖିବାକୁ ମିଳୁଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଞ୍ଚଳରେ ୧୫୪ ଗୋଟି ଅଙ୍ଗନୱାଡି କେନ୍ଦ୍ର ଓ ୧୦ ଗୋଟି ମିନି ଅଙ୍ଗନୱାଡି କେନ୍ଦ୍ର ଚାଲିଛି । ସକାଳ ୯ ଘଣ୍ଟାରୁ ଦିବା ୨ ଘଣ୍ଟା ଯାଏଁ ପ୍ରତୀକ ଧାରଣା ଦେଉଥିବା ଦେଖିବାକୁ ମିଳିଛି । ଅଙ୍ଗନବାଡି ଓ ସହାୟିକା ମାନଙ୍କ ଧାରଣା ମାସଟେ ହେବାକୁ ଯାଉଛି । ନର୍ଲା ବ୍ଲକ୍ ଅଞ୍ଚଳରେ ରହିଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକ ଠପ୍ ହୋଇପଡିଛି । ଅଙ୍ଗନୱାଡି କେନ୍ଦ୍ର ଗୁଡିକ ବନ୍ଦ ହୋଇ ପଡିଥିବାରୁ ଶିଶୁ ମାନଙ୍କ ଶିକ୍ଷାଦାନ ଓ ପୌଷ୍ଟିକ ଆହାର କାର୍ଯ୍ୟକ୍ରମ ଗୁରୁତର ଭାବରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।