ଢାପ୍, ଘୁମୁରା, ବଜାସାଲ୍, ବିହୁ, ଗୋଟିପୁଅ, ସମ୍ବଲପୁରୀ, ଯୋଡ଼ି ଶଙ୍ଖ, ଓଡ଼ିଶୀ, ମାଦଲି ଆଦି ବିଭିନ୍ନ ବାଦ୍ୟନୃତ୍ୟରେ ଦୁଲୁକିବ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ମଞ୍ଚ

ସମ୍ମାନୀତ ହେବେ ଜିଲ୍ଲାର ୮ଜଣ ସୂଯୋଗ୍ୟ ସନ୍ତାନ 

ବୁଢ଼ା ଡଙ୍ଗର ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ବହୁ ପ୍ରତିକ୍ଷୀତ ବୁଢାଡଙ୍ଗର ଲୋକ ମହୋତ୍ସବ ଆସନ୍ତା ଡ଼ିସେମ୍ବର ୨୪ ଓ ୨୫ ଦୁଇଦିନ ଧରି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ପଡିଆଠାରେ ଆୟୋଜିତ ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ଦେଶଜର ଅପୂର୍ବ ମିଳନ “ବୁଢ଼ା ଡଙ୍ଗର ଲୋକ ମହୋତ୍ସବ-୨୦୨୨” ଅନୁଷ୍ଠିତ ହେବବୋଲି ଆୟୋଜକ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ କେସିଙ୍ଗା ପକ୍ଷରୁ ସୂଚନା ରହିଛି।

ଏବର୍ଷ ଓଡ଼ିଶୀ, ସମ୍ବଲପୁରୀ, ବାଜାସାଲ୍, ଆସାମର ବିହୁ ଓ ଝୁମେର, ଗଞ୍ଜାମର ଯୋଡ଼ି ଶଙ୍ଖ, ଟିଟଲାଗଡର ଢାପ୍, ମହେଶ୍ୱର ସରାଫ ଓ ତାଙ୍କ ସାଥୀଙ୍କ ଘୁମୁରା, ପୁରୀର ଗୋଟିପୁଅ, ଢେମସା, ନୟାଗଡ଼ର ପ୍ରସିଦ୍ଧ ଜୁମ୍ପା, ମାଦଲି ଓ ଢୋଲ ମହୁରୀରେ କମ୍ପିବ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ମଞ୍ଚ। ଏହା ସହିତ ରାଜ୍ୟ ସ୍ତରୀୟ କବିତା ପାଠ ଉତ୍ସବ, ଏକକ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆଜି (ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର ଓ ସମ୍ପାଦକ ଅକ୍ଷୟ କୁମାର ଦାସ।

ଚଳିତ ବର୍ଷ ଏହି ଲୋକମହୋତ୍ସବକୁ ମହା ଆଡ଼ମ୍ବରରେ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଛି। ଉତ୍ସବ ପାଇଁ କେସିଙ୍ଗା ସହରର ସମସ୍ତ ସ୍କୁଲ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ଓ କୃତି ଛାତ୍ରଛାତ୍ରୀମାନଙ୍କୁ ମହୋତ୍ସବରେ ସମ୍ମାନିତ କରାଯିବ। ଏହା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ଆଠ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ଲୋକକଳା ପାଇଁ ଅନାଦି ଦେବ୍ ଗୁନିଆ, କୃଷି କ୍ଷେତ୍ରରେ ମାନସ ରଞ୍ଜନ ସାହୁ ଓ ଅବନୀ ରଞ୍ଜନ ମହାପାତ୍ର, ଦିନେଶ ଜୈନ ସେବା ସମ୍ମାନ ପାଇବେ ଅବିନାଶ ମୁଣ୍ଡ, ସେହିପରି ସାମ୍ବାଦିକତା କ୍ଷେତ୍ରରେ ସମ୍ମାନ ପାଇବେ ଚନ୍ଦ୍ର ଭାନୁ ମାେଲାନା ଓ ଦେବେନ୍ଦ୍ର ବିଶି, କଳା କ୍ଷେତ୍ରରେ କମ୍ବୁପାଣି ଭୋଇ ଓ ମୃଣୟି ଦାସ ସମ୍ମାନ ପାଇବେ ବୋଲି ଅନୁଷ୍ଠାନର ସଭାପତି ଶ୍ରୀ ମହାପାତ୍ର ଓ ସମ୍ପାଦିକ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅମୀୟ ନନ୍ଦ, ରମେଶ ଜେନା, ବିକ୍ରମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.