କଳାହାଣ୍ଡିର ଲୋକଦେବତା ଓ ଝାଞ୍ଜିମଡା ଯାତ୍ରା

ପ୍ରାଗ୍ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା କଳାହାଣ୍ଡିର ଏକ ବଳିଷ୍ଠ ଐତିହାସିକ ପୃଷ୍ଠଭୂମି ରହିଛି। ଅତିତରେ ଆଟବିକ, ବିଦ୍ୟାଧର ରାଜ୍ୟ କାନ୍ତାର ମହାକାନ୍ତାର ଇନ୍ଦ୍ରବନ କମଳମଣ୍ଡଳ ଆଦି ବିଭିନ୍ନ ନାମରେ ନାମିତ କଳାହାଣ୍ଡି ପ୍ରାଚୀନ କାଳରୁ ନିଜର କଳା ସଂସ୍କୃତି ଓ ଧର୍ମାଚାର ପାଇଁ ସାରା ଦେଶରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଥାଏ। କେଉଁ ଏକ ସ୍ମରଣାତିତ କାଳରୁ ଏହି ମାଟିରେ ଧରନୀ, କାଲିସୁନ୍ଦରୀ, ଭାଲୁମୁଡେନ, ମାଏଲି, ଡୁକରିବୁଡି, ମାନେକସରୀ, ଦୁଲା, କୋକଡେନ, ବସ୍ତରେନ, ଗବଡା, ପାହାଡେନ୍, ପୋଡଛାପରେନ୍, ଡଙ୍ଗରବୁଡା, ଭୈରୋ, କର୍ଲାସେନୀ, କାଲିସୁନ୍ଦରୀ ଆଦି ଅନେକ ଦେବାଦେବୀ ପୂଜା ପାଇ ଆସୁଛନ୍ତି। ଏହି ଦେବାଦେବୀ ମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାଚୀନ ଅଭିଚାର ତନ୍ତ୍ର ଧାରାରେ ଆଜି ପର୍ଯ୍ୟନ୍ତ ପୂଜା ପାଇ ଆସୁଛନ୍ତି। ଏହି ଆଲେଖ୍ୟରେ କଳାହାଣ୍ଡିର କେତେକ ପ୍ରମୁଖ ସ୍ଥାନର ଝାଞ୍ଜିମଡା ଯାତ୍ରା ଉପରେ ଆଲୋକପାତ କରାଯାଇଛି।

• ବାରମୁନିଙ୍କ ଝାଞ୍ଜିମଡା ଯାତ୍ରା

ଆଦିବାସୀ କନ୍ଧ ସଂସ୍କୃତିର ଅନେକ ବିଭବ ମଗଧା ଯାଦବ ସଂସ୍କୃତିସହ ସଂଶ୍ଲିଷ୍ଟ ହୋଇଯାଇ ଏକ ମହାନ ସାଂସ୍କୃତିକ ଧାରାରେ ରୂପାନ୍ତରିତ ହୋଇଛି । ମଗଧା ଯାଦବଙ୍କ ୧୨୦ ବଂଶ ମଧ୍ୟରୁ ବନ୍ଦୀଛୋଡ ମାନେ ଏକ ପ୍ରମୂଖ ବଂଶ । ଏମାନେ କରୁଆଁ ମାନଙ୍କ ଦୂଧ୍ ଭାଇ ଭାଇ ।

ଲୋକଶୃତି ଓ କିମ୍ବଦନ୍ତି ଅନୁସାରେ ହଜାର ହଜାର ବର୍ଷ ପୂର୍ବେ ଆଟବିକ ରାଜ୍ୟ (ବର୍ତ୍ତମାନର ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ କନ୍ଧମାଳ)ରେ କନ୍ଧ ମାନେ ଗଉଡ ମାନଙ୍କୁ ସେମାନଙ୍କ ଜମି ସହ ଦେବତା ଭାଗ ଦେଇ ଶାନ୍ତିର ସହ ସହବସ୍ଥାନ କଲେ । ସେହି କ୍ରମରେ ‘ବାରମୁନି’ ଦେବତା ୧୨ ଭାଇ ବନ୍ଦୀଛୋଡ ମାନେ ପାଇ ଉପାସନା କରିବାକୁ ଲାଗିଲେ ।

ଏହା ସହ କାଲିସୁନ୍ଦରୀ, ଦୂଲା ଓ ଦୂଆରସୁନୀ ଦେବୀଙ୍କୁ ମଧ୍ୟ ପୂଜା କଲେ । କିନ୍ତୁ ପରଂପରା ଅନୁକ୍ରମରେ ଯାଦବଙ୍କ ସମସ୍ତ ଇଷ୍ଟ ଦେବା ଦେବୀ ଗୃହରେ ପୂର୍ବବତ ରହିଲେ । ବନ୍ଦୀଛୋଡ ଯାଦବ ମାନେ ପୂଜା କରୁଥିବାରୁ ବାରମୁନି ଶୁକ୍ଲାହାର କରିଥାନ୍ତି । କିନ୍ତୁ ଅନ୍ୟ ଦେବାଦେବୀ ମାନଙ୍କୁ ଗୁହାଳ ଠାରେ ବଳିଭୋଜା ଦିଆଯାଇଥାଏ । ସମୟକ୍ରମେ ବିଭିନ୍ନ ସ୍ଥାନରେ ବସତି ସ୍ଥାପନ କରି ବନ୍ଦୀଛୋଡଙ୍କ ଏକ ବିରାଟ ଗୋଷ୍ଠୀ କଳାହାଣ୍ଡି ନର୍ଲା ବ୍ଲବର ବୁଢିପଦର ଦେବଗିରି ନିକଟସ୍ଥ ଅର୍ଜୁନଗାଁରେ ବାରମୁନି ଦେବତାଙ୍କ ଆସ୍ଥାନ ନିର୍ମାଣ କରି ଉପାସନା କରିଆସୁଛନ୍ତି ।

ଦଶହରା ସମୟରେ ବାରମୁନି ଦେବତାଙ୍କ ଝାଞ୍ଜିମଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ବାରମୁନି ଏକ ପ୍ରତ୍ୟକ୍ଷ ଦେବତା । ଜାତି ସଂପ୍ରଦାୟ ନିର୍ବିଶେଷରେ ସମସ୍ତେ ଏହାଙ୍କୁ ପୂଜା କରିଥାନ୍ତି । ଚଳିତ ବର୍ଷମଧ୍ୟ ପାରମ୍ପରିକ ରିତି ନିତି ଅନୁସାରେ ବାରମୁନିଙ୍କ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

• ଥୁଆମୂଳ ରାମପୁରରେ ଭୈରବ ଦେବଙ୍କ ଝାମୁଯାତ୍ରା

ସେପ୍ଟେମ୍ବର ୧୫ରେ ଥୁଆମୂଳ ରାମପୁରଠାରେ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ବିଧି ମତେ ସମ୍ପନ୍ନ ହୋଇଥିଲା । ଆଦିବାସୀ ମାନଙ୍କ ଶୈବ ଅରାଧାନର ଏହା ହେଉଛି ଏକ ଅନନ୍ୟ ପୀଠ । ଶିବଙ୍କର ସାତଟି ରୂପ ମଧ୍ୟରୁ ଅଗ୍ନି ଭୈରବ ଅନ୍ୟତମ । ଏହି ପୀଠରେ ତାନ୍ତ୍ରିକ ଓ ଗୁପ୍ତ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଉଥିବାରୁ ଝାମୁଯାତ୍ରା ଦିନ କାଳିସୀଙ୍କ ଦେହରେ ଅଗ୍ନି ଭୈରବ ପ୍ରବେଶ କରି ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି ।

ଭୈରବଙ୍କ ନଗର ପରିକ୍ରମା ସମୟରେ ଗଣାବଜା, ଘୁମୁରା ଆଦି ବିବିଧ ପ୍ରକାରର କଳାହାଣ୍ଡିଆ ଲୋକବାଦ୍ୟ ଓ ଲୋକନୃତ୍ୟ ଦେଖିବାକୁ ମିଳିଥାଏ । ଭୈରବ ଦେବଙ୍କ କାଳିସୀ କଞ୍ଚା ହାଣ୍ଡି ଉପରେ ବସି ତାକୁ ଅକ୍ଷତ ରଖିବା କଣ୍ଟା ଦୋଳିରେ ଝୁଲି ସାରିବା ପରେ ପ୍ରସ୍ତୁତ କରାଯାଇଥିବା ଅଗ୍ନି କୁଣ୍ଡରେ ପ୍ରବେଶ କରି ଚାଲିବା ଦୃଶ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନରେ ଭୟ ଓ ଭକ୍ତିର ମିଶ୍ରିତ ଭାବ ସୃଷ୍ଟି କରିଥାଏ ।

ଥୁଆମୂଳ ରାମପୁରରେ ଭୈରବ ଉପାସନା ବହୁ ପ୍ରାଚୀନ । ତେବେ ତତ୍କାଳୀନ ଥୁଆମୂଳ ରାମପୁର ରାଜା ରାମଚନ୍ଦ୍ର ଦେବ ୧୮୯୧ ମସିହାରେ ଲାଞ୍ଜିଗଡରୁ ଭୈରବଦେବଙ୍କୁ ଆଣି ରାମପୁର ଠାରେ ସ୍ଥାପନ କରିବା ପରେ ଏହି ଯାତ୍ରା ଆହୁରି ଯାକ ଯମକରେ ପାଳନ କରାଯାଉଥିବା ଗବେଷକମାନେ ମତବ୍ୟକ୍ତ କରିଥିବା ବେଳେ ଏହି ଯାତ୍ରର ଅନେକ କିମ୍ବଦନ୍ତୀ ରହିଛି ।

ଚଳିତ ବର୍ଷ ମନ୍ଦିରର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଏହି ଯାତ୍ରା ପାଳନ କରାଯାଇଥିଲା । ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଥୁଆମୂଳ ରାମପୁର ଭୈରବ ପୀଠର ଏକ ସ୍ୱତନ୍ତ୍ରତା ରହିଛି । ଏଠାରେ ଝାମୁଯାତ୍ରା ସମ୍ପନ୍ନ ହେବାପରେ ନିକଟସ୍ଥ ଅନ୍ୟାନ୍ୟ ପୀଠ ମାନଙ୍କରେ ପାର୍ବଣ ଅନୁଷ୍ଠିତ ହୋଇଥାଏ । ପ୍ରକୃତି ଓ ମଣିଷ ଏବଂ କୃଷି ସହିତ ଏହି ପର୍ବର ରହିଛି ଘନିଷ୍ଠ ସମ୍ପର୍କ । ତେଣୁ ଏହା କେବଳ ଆଦିବାସୀ ମାନଙ୍କ ମଧ୍ୟରେ ସୀମିତ ନ ରହି ଏହି ପର୍ବକୁ ସମସ୍ତ ଅଞ୍ଚଳବାସୀ ପାଳନ କରିଥାନ୍ତି ।

• ବିଶ୍ବନାଥପୁରରେ ବେତାଳୀ ଭୈରବଙ୍କ ବାଲିଯାତ୍ରା

ପ୍ରାଚୀନ ଧର୍ମଧାରା ଓ ଲୋକ ଚେତନାର ଅନନ୍ୟ ପ୍ରତୀକ ବେତାଳ ଭୈରବୀଙ୍କ ବାଲିଯାତ୍ରା ଚଳିତ ବର୍ଷ ସେପ୍ଟେମ୍ବର ୧୫ରେ ପାରମ୍ପରିକ ରୀତିନୀତି ଅନୁସାରେ ବିଶ୍ଵନାଥପୁର ସ୍ଥିତ ବେତାଳ ଭୈରବଙ୍କ ପୀଠରେ ସଂପନ୍ନ ହୋଇଥିଲା । ରାଜା ରାଜୁଡା ଅମଳରୁ ଭାଦ୍ରବ ଦ୍ଵାଦଶୀ ତିଥିରେ ଏହି ଯାତ୍ରା ପାଳିତ ହୋଇଆସୁଛି ।

ପ୍ରଥମେ ଭୈରବ ମନ୍ଦିରରୁ ବାହାରି ନିକଟସ୍ଥ ନଦୀରୁ ବାଲି କଢାଯାଇଥିଲା । ପରେ ୭ଟି ନୂଆଁ ଚାଙ୍ଗୁଡିରେ ନଦୀରୁ ବାଲି ଆଣି ସେଥିରେ ଗାଁର ସଂଗ୍ରୃହୀତ ବିଭିନ୍ନ ପ୍ରକାରର ଶସ୍ୟ ଧାନ, ମକା, ବିରି, କୋଳଥ ଇତ୍ୟାଦି ବିହନ ଗଜା ହେବାପାଇଁ ପକାଯାଇଥିଲା। ଗଜା ହୋଇଥିବା ବିହନ ସପ୍ତମ ଦିନ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ଓ କଞ୍ଚା ମାଟିରେ ସେ ଦିନ ବସି ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଦେବତା ।

ସପ୍ତମ ଦିନ ନିକଟସ୍ଥ କୁମାରବାରୁ ଜଙ୍ଗଲକୁ ଯାଇ ପୂଜକ ମାନେ ଝାମେରା କଣ୍ଟା ଆଣି ଦୋଲି ପ୍ରସ୍ତୁତ କରିଥିଲେ । ସପ୍ତମ ଦିନରେ ପାଟଖଣ୍ଡା ଓ ବେତାଳ ଭୈରବ ନିଆଁରେ ତିଆରି ଖନ୍ଦା (ଝାମି)କୁ ତିନି ଥର ପ୍ରଦକ୍ଷିଣ କରିବା ପରେ ଝାମେରା କଣ୍ଟାରେ ତିଆରି ଦୋଲିରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।

ପାରମ୍ପରିକ ଗଣାବଜାର ଅପୂର୍ବ ମୁର୍ଛନାରେ କାଳିସି ନିଆଁ ଉପରେ ଚାଲି ଭକ୍ତଙ୍କୁ ତାଙ୍କର ପରିଚୟ ଦେଇଥିଲେ । ଗାଁର ଗୈାନ୍ତିଆ ତଥା ଦେବତାଙ୍କ ମୂଖ୍ୟ ସେବାୟତ ପ୍ରଦିପ ଘଡେ଼ଇ ସମସ୍ତ ଦେବନୀତି ସମୟରେ ଉପସ୍ଥିତ ରହିଥିଲେ । ଯାତ୍ରା ସରିବା ପରେ ମାନସିକ କରିଥିବା ଲୋକଙ୍କ ଦ୍ବାରା ପାରା, କୁକୁଡ଼ା ଓ ଛେଳି ଆଦି ବଳି ଦିଆଯାଇଥିଲା ।


• ଦେବୀ ଦୁଆରସୁନୀଙ୍କ ନବଦିନାତ୍ମକ ପୂଜା ଓ ଝାଞ୍ଜିମଡ଼ା ଯାତ୍ରା

ନର୍ଲା ବ୍ଲକ ଅନ୍ତର୍ଗତ ବଲବସପୁର ଶଗରପଡା ଠାରେ ଦେବୀ ଦୁଆରସୁନୀଙ୍କ ନବଦିନାତ୍ମକ ଯାତ୍ରାର ଶେଷ ଦିବସ ବିଜୟା ଦଶମୀ ଦିନ ଝାଞ୍ଜିମଡା ପର୍ବ ଆୟୋଜିତ ହୋଇଥିଲା। ଦେବଗିରି ବୁଢିପଦରର ଅନିତି ଦୂରରେ ଥିବା ଏହି ଶକ୍ତିପୀଠରେ ଦୁଆରସୁନୀଙ୍କ ସହ ମାନେକସରୀ, ଜେନା ବୁଢା, ଭଏଁରୋ, ଚଣ୍ଡି, ସମଲେଇ ଆଦି ପୂଜିତ ହୋଇଥାନ୍ତି।

ନବଦିନାତ୍ମକ ଯାତ୍ରାରେ ଏହି ଦେବାଦେବୀ ମାନେ ନଗ୍ର ଭ୍ରମଣ କରି ଭକ୍ତଙ୍କ ଦୁଃଖ ହରଣ କରିଥାନ୍ତି। ଦିର୍ଘ ୯ ଦିନଧରି ଦେବତାମାନଙ୍କ ବିଭିନ୍ନ ରୀତିନୀତି ଚାଲିବାସହ ଦଶହରା ଦିନ ଦୁଆରସୁନୀ ଦେବୀ ନିଆଁରେ ଚାଲି ନିଜର ଶକ୍ତି ପରିକ୍ଷା ଦେଇଥାନ୍ତି। ଏହି ଅବସରରେ ଦେବୀ କଣ୍ଟା ଦୋଳିରେ ବସି ଭକ୍ତଙ୍କ ହାରିଗୁହାରି ଶୁଣିଥାନ୍ତି।


ଦେବଗିରିର ପ୍ରାଚୀନ ସଂସ୍କୃତି ଭିନ୍ନ ପ୍ରକାରର ହୋଇଥିବାରୁ ଦେବୀ ଦୁଆରସୁନୀଙ୍କ ଯାତ୍ରା ଓ ସେବାପୂଜା କେବଳ ଡମ୍ବ ସଂପ୍ରଦାୟଙ୍କ ଦ୍ବାରା ସଂପନ୍ନ ହୋଇଥାଏ। ତେବେ ଯାତ୍ରା ଦେଖିବାକୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇଥାନ୍ତି। ଦେବୀ ଦୁଆରସୁନୀ ଏକ ପ୍ରତ୍ୟକ୍ଷ ଦେବତା। ଦେବୀଙ୍କ ରୀତିନୀତି ଅଭିଚାର ତନ୍ତ୍ର ଧାରାରେ ପରିଚାଳିତ ହୋଇଥାଏ।

ଅଭିଷ୍ଟ ପୁରଣହେଲେ ଭକ୍ତମାନେ ତାଙ୍କୁ ତାଙ୍କୁ ବଳିଭୋଜା ଦେଇ ସନ୍ତୁଷ୍ଟ କରିଥାନ୍ତି।କିମ୍ବଦନ୍ତୀ ଅନୁସାରେ ମା ମାନେକସରୀଙ୍କ ଦ୍ବାର ଜଗୁଥିବା ଦେବୀ ଦୁଆରସୁନୀ ନିଜର ଏକ ସ୍ବତନ୍ତ୍ର ଯାତ୍ରା କରିବାର ଆଶା ପୋଷଣ କରିବାରୁ ଅଶ୍ବିନ ଦଶମୀ ତିଥିରେ ତାଙ୍କର ଝାଞ୍ଜିମଡାର ଆୟୋଜନ କରାଯାଇଥିଲା।

ଏହା ପୂର୍ବରୁ ଦେବଗିରି ନିକଟବର୍ତ୍ତୀ ଅର୍ଜୁନ ଗାଁର ବାରମୁନୀ, ବୁଢିପଦର ମାନେକସରୀ, ରାକ୍ସି ଓ ବଲବସପୁରର ଭୈରବ ଦେବତାମାନଙ୍କ ଯାତ୍ରା ସମାପନ ହୋଇଯାଇଥାଏ। ପରିଶେଷରେ ଦେବୀ ଦୁଆରସୁନୀଙ୍କ ଝାଞ୍ଜିମଡା ଆୟୋଜିତ ହୋଇଥାଏ। ଏହି ଯାତ୍ରାରେ କେବଳ ଡମବଜା ହିଁ ବାଜିଥାଏ।

• ଦେବୀ କର୍ଲାସେନୀ ଓ ବୁଢାଭୈରୋଙ୍କ ଝାଞ୍ଜିମଡା ଯାତ୍ରା

ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରେ ଝାମିଯାତ୍ରା, ଝାମୁଯାତ୍ରା ବା ଝାଞ୍ଜିମଡା ଏକ ବହୁ ପ୍ରାଚୀନ ପରମ୍ପରା ଭାବେ ବର୍ତ୍ତମାନ ସୁଦ୍ଧା ଅନୁସୃତ ହୋଇ ଆସୁଅଛି । ଏହିକ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଗୋରକେଲ ଗ୍ରାମରେ ୯ ଦିନ ଧରି ଚାଲିଥିବା ଏହି ପର୍ବ ସେପ୍ଟେମ୍ବର ୧୫ରେ ଝାମିମଡା ସହ ସଂପନ୍ନ ହୋଇଥିଲା ।

ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରୁ ଆରମ୍ଭ ହୋଇଥାଏ ଗୋରକେଲ ଗ୍ରାମର ଝାଞ୍ଜିମଡା ଯାତ୍ରା । ସେହି ଦିନ ନଦୀକୁ ଯାଇ ଦେବାଦେବୀଙ୍କ ପୂଜାରୀ ଓ କାଳିସୀମାନେ ବାଲିରେ ଶସ୍ୟ ଜାତୀୟ ଦ୍ରବ୍ୟ ମୁଗ, ବିରି, ଚଣା ପ୍ରଭୃତି ପୋତି କି ଆସିଥାନ୍ତି ।

ଏହାର ଦୁଇ ଦିନ ପରେ ଭକ୍ତ ବୃନ୍ଦ ଦେବାଦେବୀଙ୍କ ସମେତ ନଦୀକୁ ଯାଇ ଗଜା କରାଯାଇଥିବା ଶସ୍ୟ ଗୁଡିକ ସହ ବାଲି ଆଣି ମନ୍ଦିରରେ ସ୍ଥାପନା କରିଥାନ୍ତି । କର୍ଲାସେନୀ ଦେବୀ ଉପବାସରେ ରହି ଶିବଙ୍କର ପୂଜାର୍ଚ୍ଚନା କରିଥାନ୍ତି ବୋଲି ବିଶ୍ୱାସ ରହିଛି । ନଅ ଦିନ ଧରି ମନ୍ଦିରରେ ଗ୍ରାମର ଇଷ୍ଟଦେବୀ କର୍ଲାସେନୀ, ବୁଢାଭୈରୋ, ପାଟଖଣ୍ଡାଙ୍କୁ ପୂଜାର୍ଚ୍ଚନା ନିୟମିତ ଚାଲିଥାଏ ।

ମନ୍ଦିରରେ ଦେବୀ ମାନଙ୍କ ଅସ୍ତ୍ରଶସ୍ତ୍ର ଖଣ୍ଡା ଗୁଡିକ ବସାଇ ପୂଜା କରାଯାଇଥାଏ । ଏବେ ଗ୍ରାମର ଗୈାନ୍ତିଆ ଚିନ୍ତାମଣି ପାତ୍ରଙ୍କ ଦେହରେ ଦେବୀ କର୍ଲାସେନୀ ଖେଳୁଥିବା ବେଳେ ତାଙ୍କ ଭାଇ ମୀନକେତନ ପାତ୍ରଙ୍କ ଦେହରେ ବୁଢାଭୈରୋ ଦେବତା ପ୍ରକଟ ହୋଇଥାନ୍ତି । ଏହି ଦେବାଦେବୀ ଝାମି ଖନ୍ଦାରେ ଚାଲି ନିଜ ଶକ୍ତିର ପରିଚୟ ଦେଇଥାନ୍ତି ।

• ଦିଆଲରେ ଭୈରବ ଦେବଙ୍କ ଝାମୁଯାତ୍ରା

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ତାଲବନ୍ଦ ପଡାଠାରେ ଦିଆଲ୍ ଅବସରରେ ଭୈରବ ଦେବଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ। ସକାଳ ବିଧିମତେ କାଠରେ ଅଗ୍ନିସଂଯୋଗ ହୋଇ ଝାମି ଖନ୍ଦା ପ୍ରସ୍ତୁତ ହୋଇଥିଲା। ସ୍ବର୍ଗତ ୰ଧବଳେଶ୍ଵର ଦୁର୍ଗାଙ୍କ ପରିବାରର ଇଷ୍ଟଦେବୀ ମନ୍ଦିରକୁ କାଳିସୀ ଯାଇ ସେଠାରେ ଗୁପ୍ତ ପୂଜା ସାରି ବାବା ଭୈରବ ଦେବଙ୍କ ପାଟ ଖଣ୍ଡା ଧରି ସହର ପରିକ୍ରମା କରିଥାନ୍ତି। ପରେ କଣ୍ଟାଦୋଳିରେ ଝୁଳି ଅଗ୍ନି ଖଳାରେ ପୂଜକଙ୍କ ଦ୍ବାର ବିଧିମତେ ପୂଜାର୍ଚ୍ଚନା କରାଯାଇଥାଏ। ଏହାପରେ ଭୈରବଦେବ ଅଗ୍ନିରେ ପଦଚାରଣ କରିଥାନ୍ତି। ଦୀପାବଳୀ ବା ଦିଆଲ୍ ପର୍ବ ଡମ୍ବ ସଂପ୍ରଦାୟର ଆଦି ପର୍ବ ହୋଇଥିବାବେଳେ ଏଥିରେ ପ୍ରାଚୀନ ଧର୍ମଧାରାର ଝଲକ ଦେଖିବାକୁ ମିଳିଥାଏ।


• ଖଜୁରଗୁଡାରେ ଝାମୁଯାତ୍ରା

ଲାଞ୍ଜିଗଡ ବ୍ଲକ ଖଜୁରଗୁଡାଠାରେ ମା’ ଭୈରବୀ ଦେବୀଙ୍କ ଝାମୁଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ପରମ୍ପରା ଅନୁଯାୟୀ, ପୂଜକମାନେ ସାତ ଗୋଟି ନୂଆ ଚାଙ୍ଗୁଡ଼ିରେ ନଦିରୁ ବାଲି ଆଣି ବିଭିନ୍ନ ପ୍ରକାର ଶସ୍ୟ ଧାନ, ମକା, ମୁଗ, ବିରି, କୋଲଥ ଇତ୍ୟାଦି ବିହନ ପକାଇ ଥିଲେ। ଦେବତାଙ୍କ ପାଇଁ ଝାମେରା କଣ୍ଟାରେ ଦୋଳି ପ୍ରସ୍ତୁତ ହୋଇଥିଲା। ଗଜା ହୋଇ ଥିବା ବିହନ ଓ କଣ୍ଟାଦୋଳିକୁ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହି ଦିନ ମା’ ଭୈରବୀ କଞ୍ଚା ମାଠିଆରେ ବସି ଭକ୍ତଙ୍କୁ ଦର୍ଶନ ଦେଇ ଥିଲେ। ସେହିପରି ଗ୍ରାମର ଜଣେ ବ୍ୟକ୍ତିଙ୍କ ଦେହର ଦେବୀଙ୍କ ଆବିର୍ଭାବ ହୋଇଥିଲା।

ଏହାପରେ ଦେବୀଙ୍କ କଳେସୀ ମୁଖ୍ୟ ପିଠସ୍ଥଳିକୁ ଯିବା ସହ ସେଠାରୁ ଏକ ଶୋଭାଯାତ୍ରାରେ ଗ୍ରାମରେ ଥିବା ବାଲିଘରକୁ ଫେରିଥିଲେ। ଗଣାବଜା ସହ କାଳିସୀ ପ୍ରଥମେ ଗାଁ ମୁଖିଆ ଘରକୁ ଯାଇ ପାଦପୂଜା ପରେ ସେଠାରୁ ଝାମୁଯାତ୍ରା ପଡିଆକୁ ଫେରିଥିଲେ।ଫେରିବା ପରେ କଣ୍ଟା ଦୋଳିରେ ବସି ଭକ୍ତମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଥିଲେ। ଏହାପରେ ନିଆଁରେ ଦେବୀଙ୍କ କାଳିସୀ ଚାଲିବା ସହ ଶକ୍ତିର ପରିଚୟ ଦେଇ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.