ତୁଲାପଡା ଖେଳ ପଡିଆରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ କ୍ରୀଡା ମହୋତ୍ସବ ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଶିକ୍ଷା ବିଭାଗ ଦ୍ଵାରା ନର୍ଲା ବ୍ଲକର  ତୁଳାପଡା ଖେଳ ପଡ଼ିଆଠାରେ ଜିଲ୍ଲା ସ୍ତରୀୟ କ୍ରୀଡା ମହୋତ୍ସବ ଶନିବାର ସକାଳ ୧୧ ଘଣ୍ଟା ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ କର କମଳରେ ଉଦ୍ଘାଟିତ ହୋଇଯାଇଛି । ଗତ ଡିସେମ୍ବର ୨୬ ରୁ ୩୦ ଯାଏଁ ଏଥିପାଇଁ ଅନୁଷ୍ଠିତ ହୋଇଥିଲା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା । ପ୍ରତି ଗ୍ରାମ ପଂଚାୟତ ସ୍ତରରୁ ଆସିଥିବା ଟିମ ମାନଙ୍କ ମଧ୍ୟରୁ ଉତ୍ତମ ଖେଳାଳୀ ଚୟନ କରାଯାଇ ବ୍ଲକ ଟିମ ସବୁ ଗଠିତ ହୋଇଛି । ସେମାନଙ୍କ ମଧ୍ୟରେ ଆଜିଠାରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ଆରମ୍ଭ ହୋଇଛି ।

ଏଥିରେ ଫୂଟବଲ, ଭଳିବଲ, ଖୋକୋ, ଲମ୍ବା ଡିଆ, ଉଚ୍ଚା ଡିଆ, ୧୦୦,୨୦୦, ୪୦୦ ମିଟର ପ୍ରଭୃତି ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ୭ ରୁ ୧୦ ଯାଏଁ ଚାରିଦିନ ଧରି ଚାଲିବ । ୧୦ରେ ଉଦଯାପିତ ହେବ । ଏହି କ୍ରୀଡା ମହୋତ୍ସବରେ ଜିଲ୍ଲାର ସମସ୍ତ ବ୍ଲକ ର ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ଜଣାପଡ଼ିଛି । ଏଥିପାଇଁ ୮୦ ରୁ ଉର୍ଦ୍ଧ୍ବ କ୍ରୀଡା ଶିକ୍ଷକ ବିଭିନ୍ନ ଇଭେଣ୍ଟ ର ଖେଳ ସବୁ ପରିଚାଳନା କରୁଥିବା ଜଣାପଡ଼ିଛି ।

ଏଥି ମଧ୍ୟରୁ ପ୍ରମଖ କ୍ରୀଡା ଶିକ୍ଷକ ଜାତୀୟ ସ୍ତରର କ୍ରୀଡା ଶିକ୍ଷକ ନବୀନ ନାଏକ, ରୂପସିଂ ରାଉତ, ନାରାୟଣ ପଧାନ, ସୁଧୀର ରାଉତ, ବୃଷଧ୍ୱଜ ବୁଦ୍ଧିଆ, ନିର୍ମଲ ପଧାନ, ସନ୍ତୋଷାନନ୍ଦ ନାୟକ, ଉମାକାନ୍ତ ଭୋଇ ପ୍ରମୁଖ ସମସ୍ତ କ୍ରୀଡା ପରିଚାଳନା କରିଥିଲେ । ଅମିତ ମହାନ୍ତି, ମିଳନ ନାଏକ, ତେଜ ବିଶ୍ୱାଳ ଟେବୁଲ ଅଫିସର ଭାବରେ ନିଯୁକ୍ତି ହୋଇଛନ୍ତି । ଏଥିପାଇଁ ସକାଳ ୧୧ ଘଣ୍ଟା ସମୟରେ ତୁଲାପଡା ମା ପାଝରାଣୀ ପୀଠରୁ ମଶାଲ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଘୁମୁରାର ତାଳେ ତାଳେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଏବଂ ଅନ୍ୟ ସମ୍ମାନୀତ ଅତିଥି ନର୍ଲା ବିଇଓ ତପିମଣି ଯାନୀ, ପୂର୍ବତନ ସରପଞ୍ଚ ମନମୋହନ ନାୟକ, ସରପଞ୍ଚ ମଲ୍ଲିହାର ପଧାନ, ତୁଲାପଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ନେପାଳ ନାଏକ, କାର୍ଯ୍ୟକ୍ରମର ଅଧ୍ୟକ୍ଷ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାର ପ୍ରମୁଖ ମଶାଲ ନେଇଆସି ମଞ୍ଚରେ ସ୍ଥାପନା କରିଥିଲେ ।

ଅତିଥି ବୃନ୍ଦଙ୍କ ମଞ୍ଚ ପୂଜନ ପରେ ତୁଲାପଡା ହାଇସ୍କୁଲ ର ଛାତ୍ରୀ ମାନେ ସ୍ୱଗାତ ସଂଗୀତ ଗାନ କରିଥିଲେ। ଏହାପରେ ଗ୍ରୁପ ଅନୁଯାୟୀ ପ୍ୟାରେଡ଼ ଅନୁଷ୍ଠିତ ହେବାପରେ ମୁଖ୍ୟ ଅତିଥି କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ଶିକ୍ଷକ ଯାଜ୍ଞନସେନ ପଧାନ ମଞ୍ଚ ପରିଚାଳନା କରିଥିଲେ। ତୁଲାପଡା ହାଇସ୍କୁଲର ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମଞ୍ଚ କାର୍ଯ୍ୟକ୍ରମ ଶେଷରେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଯାନୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.