ନୂଆବର୍ଷ ଆରମ୍ଭରୁ ୨ ଟି ବଡ ସଡକ ଦୁର୍ଘଟଣା: ୫ ମୃତ, ଅନେକ ଗୁରୁତର

ମରଣଯନ୍ତା ପାଲଟିଛି ଏନଏଚ ୨୬ ବୋରିଗୁମ୍ମା ଠାରୁ ବରଗଡ଼

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ) : ନୂତନ ଆଶା ଉଦ୍ଦୀପନା ନେଇ ଆସିଥିବା ନୂଆବର୍ଷ-୨୦୨୩ ଅନେକ ପରିବାର ପାଇଁ କାଳ ସାଜିଛି। ସଡ଼କ ଦୁର୍ଘଟଣାରେ ଅକାଳରେ ଝଡ଼  ପଡିଛି ଅନେକ ଅମୁଲ୍ୟ ଜୀବନ। ଉଜୁଡି ଯାଇଛି ଅନେକ ପରିବାର। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଏନଏଚ ୨୬ ପାଷ୍ଟିକୁଡ଼ି ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗ୍ୟାସ ବୋଝେଇ ଟ୍ୟାଙ୍କର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ବାଇକ ଆରୋହି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହାର ତିନି ଦିନ ପୂର୍ବରୁ ଏହି ରାସ୍ତାର ଚାଁଚେର ଠାରେ ବସ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇ ବୁର୍ଲା ଡାକରଖାନାରେ ଚିକିତ୍ସିତ ହେଉଛନ୍ତି। ବର୍ଷ ତମାମ ଏହି ରାସ୍ତାର ଭବାନୀପାଟଣା ଠାରୁ କେସିଙ୍ଗା ମଧ୍ୟରେ ବାରମ୍ବାର ସଡକ ଦୁର୍ଘଟଣାରେ ବହୁ ଧନ ଜୀବନ ହାନି ଘଟୁଥିବା ଯୋଗୁ ବେପାରୁଆ ଗାଡି ଚାଳନା ଉପରେ ଟ୍ରାଫିକ ପୁଲିସର ନିୟନ୍ତ୍ରଣ ରହୁ ନଥିବା ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଉଛି।ପ୍ରାପ୍ତସୂଚନାରୁ ପ୍ରକାଶ ଯେ, ୨୬ ନମ୍ବର ଜାତୀୟ ରାଜପଥ ବୋରିଗୁମ୍ମା ଠାରୁ ବରଗଡ଼ ଏବେ ଜନସାଧାରଣଙ୍କ ପାଇଁ ମରଣ ଯନ୍ତା ପାଳଟିବାକୁ ବସିଲାଣି। ପ୍ରତ୍ୟେକ ବର୍ଷ ଆମପାଣି ଘାଟି ଠାରୁ ଆରମ୍ଭ କରି ଆମାଠ ମଧ୍ୟରେ ବ୍ୟାପକ ଭାବେ ସଡକ ଦୁର୍ଘଣା ଘଟୁଥିବା ବେଳେ ଅନେକ ନିରୀହ ଜୀବନ ଅକାଳରେ ଝଡିପଡୁଥିବା ଦେଖିବାକୁ ମିଳୁଛି। ୨୦୨୩ ନୂତନ ବର୍ଷ ଆରମ୍ଭର ଗୋଟାଏ ସପ୍ତାହ ନ ପୁରୁଣୁ ଦୁଇଟି ବଡ ଦୁର୍ଘଟଣା ଘଟିବା ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ଖେଳିଯାଇଛି। ତିନି ଦିନ ତଳେ ବରଗଡ଼ ଧନୁଯାତ୍ରା ଦେଖି ଏକ ପରିବାର ଫେରୁଥିବା ବେଳେ ଚାଁଚେର ନିକଟରେ ଦିଲଖୁସ ଯାତ୍ରୀବାହୀ ବସ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏଭଳି ସ୍ଥିତିରେ ପୁଣି ଥରେ ଆଜି ଏକ ବଡ ଧରଣର ଦୁର୍ଘଟଣାରେ ତିନି ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ହତବାକ କରିଦେଇଛି।କେସିଙ୍ଗା ଥାନା ଉତ୍କେଲାରୁ ୩ ଜଣ ବାଇକ ଆରୋହି କ୍ରିକେଟ ମ୍ୟାଚ ଖେଳି ନିଜ ଗ୍ରାମ ରକାବାହାଲିକୁ ଫେରୁଥିବା ସମୟରେ ଏନଏଚ ୨୬ ସ୍ଥିତ ପାଷ୍ଟିକୁଡ଼ି ହସ୍ପିଟାଲ ନିକଟରେ ଏହି ତିନିଜଣ ବାଇକ ଆରୋହୀଙ୍କ ଏକ ଗ୍ୟାସ ଟ୍ୟାଙ୍କର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ପରେ ଗ୍ୟାସ ଟ୍ୟାଙ୍କର ଯୁବକ ମାନଙ୍କ ଉପରେ ଚଢ଼ି ଯିବା ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି।ଏହି ମୃତ ଯୁବକମାନେ ହେଲେ ରକାବାହାଳି ଗ୍ରାମର ଅକ୍ଷୟ ଗୌଡ଼, ଟୁଟୁ ଗୌଡ଼ ଓ ରଘୁ ଗୌଡ଼ ବୋଲି ଜଣାପଡିଛି।ସଡକ ଦୁର୍ଘଟଣା ପରେ ସ୍ଥାନୀୟ ଉତ୍ୟକ୍ତ ଲୋକେ ଗ୍ୟାସ ଟ୍ୟାଙ୍କଟିକୁ ଅଟକ ରଖି ମୃତ ଦେହ ଧରି ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି। ଭବାନୀପାଟଣା ସଦର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଉତ୍ୟକ୍ତ ଲୋକଙ୍କୁ ରାସ୍ତା ରୋକରୁ ଓହରିଯିବା ପାଇଁ ବୁଝାଶୁଝା କରୁଥିବା ଦେଖିବାକୁ ମିଳିଛି। ପାଷ୍ଟିକୁଡ଼ି ଏନଏଚ ୨୬ ଠାରେ ଏହି ଦୁର୍ଘଟଣାକୁ ରାସ୍ତା ରୋକ ଫଳରେ ଉଭୟ ପଟରୁ ଚଳାଚଳ କରୁଥିବା ଶହଶହ ଯାନ ବାହାନ ଚଳାଚଳ ଠପ ହୋଇଥିଲା।ଏହି ରାସ୍ତାରେ କ୍ରମନ୍ଵୟରେ ଏଭଳି ସଡକ ଦୁର୍ଘଟଣାକୁ ଘଟୁଥିବା ଯୋଗୁଁ ସାଧାରଣରେ ଭୃକୁଞ୍ଚନ ଦେଖାଦେଇଥିବା ବେଳେ ବେପାରୁଆ ଗାଡିଚାଳନା ଉପରେ ଟ୍ରାଫିକ ପୋଲିସର ନିୟନ୍ତ୍ରଣ ନ ରହୁଥିବା ଯୋଗୁଁ ଏଭଳି ଧନ ଜୀବନ ହାନି ଘଟୁଛି ବୋଲି ମତ ପ୍ରକାଶ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.