ନର୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ !

• ଜଣେ ଦକ୍ଷ ପୋଲିସ୍ ଆଇଆଇସି ଦେବାପାଇଁ ଦାବୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ସାଧାରଣରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଚୋରି, ରାହାଜାନୀ, ଲୁଟ୍, ହତ୍ୟା ଓ ଧର୍ଷଣ ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନର୍ଲା ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବା ବେଳେ ଏଇଠି ଜଣେ ଦକ୍ଷ ତଥା ବିଚକ୍ଷଣ ଥାନାଧିକାରୀ ନରହିଲେ ଧିରେ ଧିରେ ନର୍ଲା ଏକ ହିଂସାତ୍ମକ ଓ ଅପରାଧପ୍ରବଣ ଅଞ୍ଚଳ ଭାବରେ ଅଳ୍ପ କେଇଦିନ ମଧ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ବୁଦ୍ଧିଜୀବି ମାନେ ଚିନ୍ତା ପ୍ରକଟ କରିଛନ୍ତି । ନୂଆ ଆଇଆଇସି ଗଙ୍ଗାଧର ମେହେର ନର୍ଲା ଆସିବା ଦିନଠୁଁ ଏଇଠି ନା ଚାଲିଛି ପୋଲିସର ପେଟ୍ରୋଲିଂ ନା ବ୍ୟବସ୍ଥିତ ହୋଇ ପାରିଛି ଦୈନନ୍ଦିନ ଜୀବନଯାତ୍ରା । ଥାନା ଭିତରେ ସମସ୍ତେ ଗୁମ ମାରି ବସିଥିବା ଆଲୋଚନା ହେଉଛି ।ଏମିତିରେ ତ କଳାହାଣ୍ଡି ମଧ୍ୟ ମାଓବାଦୀ ମାନଙ୍କ ଚରାଭୂଇଁ ପାଲଟି ସାରିଲାଣି । ମ.ରାମପୁର, ଲାଞ୍ଜିଗଡ ସାଙ୍ଗକୁ ନର୍ଲା ବ୍ଲକ୍ ଅଞ୍ଚଳ ମଧ୍ୟ ମାଓବାଦୀ ମାନଙ୍କ ଆଡ୍ଡାସ୍ଥଳୀ ପାଲଟଛି । ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ହୋଇଥିବା ସର୍ବେକ୍ଷଣରୁ ଜଣାପଡିଛି ନର୍ଲାରେ ଗତ ଦୁଇବର୍ଷ ମଧ୍ୟରେ ନାରୀ ନିର୍ଯାତନା, ଧର୍ଷଣ, ଚୋରୀ, ରାହାଜାନୀ ଓ ଡକାୟତି ଭଳି ଘଟଣା ପୂର୍ବାପେକ୍ଷା ବଢିଥିବା ବେଳେ ବେଆଇନ ଚୋରା ମଦ ବ୍ୟବସାୟ, ସଟ୍ଟା ଖେଳ ସହ ଗଞ୍ଜେଇ ଭଳି ନିଶାଦ୍ରବ୍ୟର କାରବାର ମଧ୍ୟ ଆଶାତୀତ ଭାବରେ ବଢିଥିବା ଜଣା ପଡିଛି । ଏହି ବର୍ଷେ ମଧ୍ୟରେ ବେଆଇନ ଦେଶୀ ଓ ବିଦେଶୀ ମଦ ବ୍ୟବସାୟ କେନ୍ଦ୍ର ଓ ମଦ୍ୟପଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇଥିବା ହେତୁ ବିଭିନ୍ନ ପ୍ରକାରର ଅପରାଧ ମୂଳକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇଛି । ଆଗରୁ ନର୍ଲାରେ ରହି ଆସିଥିବା ଦକ୍ଷ ଆଇଆଇସି ନୀଲମଣି ପରିଡା, ଗୋବିନ୍ଦ ଚନ୍ଦ୍ର ବରୁଦା, ସମୀର କୁମାର ରାଉତ, ରମଣୀ ରଞ୍ଜନ ଦଳେଇଙ୍କ ସମୟରେ ବେଆଇନ ମଦ କାରବାର ବନ୍ଦ ସାଙ୍ଗକୁ ମଦୁଆଙ୍କୁ ଅଙ୍କୁଶ ଲଗେଇବା ଫଳରେ ଅଞ୍ଚଳର ମହିଳା ମାନେ ଅନାୟାସରେ ଏକୁଟିଆ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ ଆସି ପାରୁଥିଲେ । ହେଲେ ବର୍ତ୍ତମାନ କର୍ମଜୀବୀ ମହିଳା ସାଙ୍ଗକୁ ଛାତ୍ରୀମାନେ ମଧ୍ୟ ସ୍କୁଲ କଲେଜ ଯିବା ପାଇଁ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ବର୍ତ୍ତମାନ ନର୍ଲା ଆଇଆଇସି ଭାବରେ ଗଙ୍ଗାଧର ମେହେର ଦାଇତ୍ୱ ଗ୍ରହଣ କରିବା ପରେ ନର୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଅତି ଦୟନୀୟ ହୋଇ ପଡିଥିବା ଚର୍ଚ୍ଚା ଓ ଆଲୋଚନା ହେଉଛି । ଚାରିଛକ ନିକଟସ୍ଥ ସମୀର ଗନ୍ତାୟତଙ୍କ ଘର ତାଲା ଭାଙ୍ଗି ଚୋରୀ, ସନ୍ତୋଷ ଦାସଙ୍କ ଘର ଭିତରୁ ବାଇକ ଚୋରୀ, ନର୍ଲାର ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କ ନାମରେ ଅସୁରଗଡଠାରେ ମାଓ ପୋଷ୍ଟର ମରାଯାଇଥିବା ଘଟଣାକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ନର୍ଲା ପୋଲିସ ତରଫରୁ ତଦନ୍ତରେ କୌଣସୀ ଫଳାଫଳ ମିଳି ପାରିନାହିଁ । ନର୍ଲା ପୋଲିସ୍ ସନ୍ଧାନୀ କୁକୁର ଆଣି ତଦନ୍ତ କରିଥିଲେ ମଧ୍ୟ ଫଳ ଶୂନ୍ । ନର୍ଲାରେ ଏହି ଗୋଟିଏ ବର୍ଷ ମଧ୍ୟରେ ଧର୍ଷଣ, ଲୁଣ୍ଠନ, ଚୋରି ଓ ଡକାୟତ ଏକ ସାଧାରଣ ତଥା ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି । ନର୍ଲା ଥାନା ଅଞ୍ଚଳରେ ଘରେ ଘରେ ଦେଶୀ ମଦ କୋଠୀ ଖୋଲିଥିବା ବେଳେ ନର୍ଲା, ରୁପ୍ରା, ଲାଞ୍ଜିଗଡରୋଡ, ରୁପ୍ରାରୋଡ ପ୍ରଭୃତି ଅଞ୍ଚଳରେ ଚା, ପାନ ଓ ଥଣ୍ଡା ପାନୀୟ ଦୋକାନରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦର ବେଆଇନ କାରବାର ଖୁଲ୍ଲମ ଖୁଲ୍ଲା ଚାଲୁଛି । ପ୍ରତି ସୋମବାର ବାଲିପଡା ବଜାରରୁ ହଜାର ହଜାର ସଂଖ୍ୟାରେ ଭବାନୀପାଟଣା ଭୂବନେଶ୍ୱର ରାଜରାସ୍ତା ଜାମ କରି ଗୋରୁପଲ ଚାଲାଣ ସ୍ପଷ୍ଟ ଦିବାଲୋକରେ ଚାଲୁଥିବା ବେଳେ ଏଥିପାଇଁ ଭୟଙ୍କର ଭାବରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଦୃଶ୍ୟମାନ ହେଉଛି । ଟ୍ରାଫିକ ସମସ୍ୟା ଯୋଗୁଁ କର୍ମଜୀବୀ ମହିଳା, ଛାତ୍ରଛାତ୍ରୀ ଓ ବ୍ୟବସାୟୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ସାଙ୍ଗକୁ ଦୁର୍ଘଟଣା ମାନ ଘଟି ଧନ ଜୀବନ ହାନୀ ହେଉଛି । ଗତ ତିନି ମାସ ତଳେ ଆଇଆଇସି ଶ୍ରୀ ମେହେର ବାଲିପଡ଼ା ଗୋରୁ ବଜାର ସ୍ଥଳକୁ ଯାଇ ରାଜ ରାସ୍ତା ଉପରେ ଗୋରୁ ଚାଲାଣ ବନ୍ଦ କରି ଅନ୍ୟ ରାସ୍ତାରେ ନେବା ପାଇଁ ଚେତାବନୀ ଦେବା ସହ ପିକଉପ ଭ୍ୟାନ ରେ ଗୋରୁ ଗାଇ ବାନ୍ଧି ନେବା ପାଇଁ ମଧ୍ୟ ବନ୍ଦ କର ବୋଲି ତାଗିଦ କରିଥିଲେ । ପୋଲିସର ଚେତାବନୀ ପରେ ମଧ୍ୟ ପୁଣି ପରବର୍ତ୍ତୀ ସୋମବାର ଦିନ ରାଜ ରାସ୍ତା ଉପରେ ଗାଇ ଗୋରୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଏବଂ ନର୍ଲା ଆଇଆଇସି ୧୭ ଜଣ ଗୋରୁ ନେଉଥିବା ଲୋକଙ୍କ ଉପରେ କେସ ଦାଏର କରି ସେମାନଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଟକ ରଖିଥିଲେ । ଗୋରୁ ବ୍ୟବସାୟୀ ମାନେ ଲେଖା ଲେଖି କରି ଦେବା ପରେ ସେମାନଙ୍କୁ ସର୍ତ୍ତ ମୂଳକ ଭାବରେ ଛାଡିଥିଲେ ଆଇଆଇସି । ଆଇଆଇସି ଶ୍ରୀ ମେହେର ଥାନାର କର୍ମଚାରୀ ମାନଙ୍କୁ ଦିନ ତମାମ ଗୋରୁ ଚାଲାଣ କାରି ମାନଙ୍କୁ ଏବଂ ଗୋରୁ, ମହିଷୀ ବୋଝେଇ ପିକଅପ ଭ୍ୟାନ ମାନଙ୍କୁ ଧରିବାରେ ନିୟୋଜିତ କରେଇ ଦେଇଥିଲେ । ଜନ ସାଧାରଣଙ୍କୁ ସେଦିନ ଲାଗିଲା ଯେ ଏଥର କିଛି କରିକି ଦେଖେଇବେ ନର୍ଲାର ନୂତନ ଆଇଆଇସି । ହେଲେ ପରେ ଜଣା ପଡିଲା ଏହା ମାସିକିଆ ଚାନ୍ଦା ବଢେଇବା ପାଇଁ ନର୍ଲା ଆଇଆଇସିଙ୍କ ପ୍ରାୟୋଜିତ ଲୋକ ଦେଖାଣିଆ ଏକ ସ୍ଟଣ୍ଟ ଥିଲା । ବର୍ତ୍ତମାନ ଗୋରୁ ମାଫିଆମାନେ ପୋଲିସ ସହ ଡିଲ ଫିକ୍ସ ହୋଇଥିବା କଥା ଖୁଲମ ଖୁଲ୍ଲା କହୁଛନ୍ତି । ଆଇଆଇସି ଶ୍ରୀ ମେହେର ନର୍ଲାରେ ଯୋଗ ଦେବାପରେ ଛତିକୁଡାରେ ବେଆଇନ ମଦ ଦୋକାନ ମାଫିଆ ମାନଙ୍କ ଉପରେ ମଧ୍ୟ ଯୋଗଦାର ଚଢ଼ାଉ କରିଥିଲେ । ହେଲେ ବର୍ତ୍ତମନ ପୂର୍ବ ଅପେକ୍ଷା ଆହୁରି ଯୋରସୋର ରେ ମଦ ମାଫିଆଙ୍କ ରାଜ ଚାଲିଛି । ଯଥା ପୂର୍ବମ ତଥା ପରମ । ଏଭଳି ପରିସ୍ଥିତିରେ ନର୍ଲାର ଜନ ସାଧାରଣ ଏହା ଗୋରୁ ମାଫିଆ ଏବଂ ମଦ ମାଫିଆ ମାନଙ୍କ ଠାରୁ ମାସକିଆ ବଟି ବଢ଼େଇବା ପାଇଁ ନର୍ଲା ପୋଲିସ ପକ୍ଷରୁ କେବଳ ଏକ ପ୍ରହସନ କରାଯାଉଛି ବୋଲି ଆଲୋଚନା ହେଉଛି । ଏହାରି ପଛର ନର୍ଲା ପୋଲିସର କ’ଣ ଆଭିମୁଖ୍ୟ ରହୁଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚି ସୃଷ୍ଟି ହେଉଛି । କେତେଜଣ ଚୋରା ମଦ ବେପାରି ସେମାନଙ୍କ ନାମ ଗୋପନ ରଖି ନର୍ଲା ପୋଲିସକୁ ସେମାନେ ଏହି କଳା କାରବାର ପାଇଁ ବେଶ୍ ମୋଟା ଅଙ୍କର ଚାନ୍ଦା ଦେଉଥିବା ପ୍ରକାଶ କରିଛନ୍ତି । ଠିକ୍ ସେହି ଭଳି ବାଲିପଡା ବଜାରକୁ ଆସୁଥିବା ଗୋରୁ ବେପାରୀ ମାନେ ମଧ୍ୟ ନର୍ଲା ପୋଲିସର ଗୁମର ଫିଟାଇଛନ୍ତି । ଆମର ବହୁତ କାମ ରହୁଛି ଆମେ କେତେବେଳେ ଆଉ ପେଟ୍ରୋଲିଂ କରିବୁ କହି କମ୍ପ୍ୟୁଟର ଧରି ଦିନରାତି ଥାନା ଭିତରେ ବସି ରହୁଥିବା ଫଳରେ ଚୋର, ଡକାୟତ ଓ ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ମିଳିଯାଉଛି । ମୋଟାମୋଟି ଭାବରେ ନର୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଥିବା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଓ ଆଲୋଚନା ହେଉଛି । ଏଥିପ୍ରତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.