ମାଣ୍ଡିଆ ମଣ୍ଡିର ଉଦଘାଟନ କଲେ ଜିଲ୍ଳାପାଳ

୧୯ଟି ମଣ୍ଡିରୁ ୮୦ହଜାର କ୍ୱିଂଟାଲ ମାଣ୍ଡିଆ ଶସ୍ୟ ସଂଗ୍ରହ ଲକ୍ଷ୍ୟ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ଓଡିଶା ମିଲେଟ୍ ମିଶନ୍ ସହାୟତାରେ ଆଜି ରାୟଗଡା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଳାସ୍ତରୀୟ ମାଣ୍ଡିଆ ମଣ୍ଡିର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଳାସ୍ତରୀୟ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଳାପାଳ ଭୀମସେନ୍ ଶବର, ଡିଆରସିଏସ ମନ୍ମଥ କୁମାର ଦାସ, ଜିଲ୍ଳା ମୁଖ୍ୟ କୃଷି ଉନ୍ନୟନ ଅଧିକାରୀ ରାମଚନ୍ଦ୍ର ଦାଶ, ଆଦିବାସୀ ଉନ୍ନୟନ ସମବାୟ ସମିତି ଲିଃ. ଜିଲ୍ଳା ପ୍ରବନ୍ଧକ ଅଶୋକ କୁମାର ପାତ୍ର, ଓଡିଶା ମିଲେଟ୍ ମିଶନ ରାୟଗଡା ଜିଲ୍ଳା ସଂଯୋଜକ, ମିଶନ ଶକ୍ତି ଡିପିସି ନିରଂଜନ ମଲ୍ଳିକଙ୍କ ସମେତ ଆରଏମସି କର୍ତୁପକ୍ଷ, କୃଷି ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ମାଣ୍ଡିଆ ଚାଷୀ, ସମବାୟ ସମିତି ଅଧିକାରୀ ଓ କୃଷକ ଉତ୍ପାଦକ ସଂସ୍ଥାର କର୍ମକର୍ତାମାନେ ଉପସ୍ଥିତ ରହିଥିଲେ । ଚଳିତ ୨୦୨୨-୨୩ ଖରିଫ ବର୍ଷରେ ଉତ୍ପାଦିତ ମାଣ୍ଡିଆ ଓଡିଶା ସରକାରଙ୍କ ତରଫରୁ ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିଃ (ଟି.ଡି.ସି.ସି) ମାଧ୍ୟମରେ ରାୟଗଡା ଜିଲ୍ଳାର ସମସ୍ତ ୧୧ଗୋଟି ବ୍ଳକରୁ କ୍ରୟ କରାଯାଉଛି । ଚଳିତ ବର୍ଷ ରାୟଗଡା ଜିଲ୍ଳାକୁ ସରକାରଙ୍କ ତରଫରୁ ୮୦ହଜାର କ୍ୱିଂଟାଲ ମାଣ୍ଡିଆ ଶସ୍ୟ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ମଣ୍ଡି ଶୁଭାରମ୍ଭରେ ଜିଲ୍ଳାର ୧୫ଜଣ ଚାଷୀଙ୍କ ଠାରୁ ୧୪୨.୫୦କ୍ୱିଂଟାଲ ମାଣ୍ଡିଆ କ୍ରୟ କରାଯାଇଛି । ଆସନ୍ତା ଜାନୁଆରୀ ମାସ ୩୧ତାରିଖ ପର୍ଯ୍ୟନ୍ତ ଚାଷୀଙ୍କ ନାମ ପଂଜୀକରଣ ପାଇଁ ଶେଷ ସମୟ ରହିଥିବା ବେଳେ ବର୍ତମାନ ସୁଦ୍ଧା ୧୦୭୨୫ଜଣ ଚାଷୀ ପଂଜୀକୃତ ହୋଇଥିବା ଟିଡିସିସି ପ୍ରବନ୍ଧକ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ସରକାରଙ୍କ ତରଫରୁ ଏଫ.ଏ.କ୍ୱ୍ୟୁ ମାନର ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଚ୍ଛା ୩୫୭୮ଟଙ୍କା ରହିଛି । ଏଣୁ ମଣ୍ଡିକୁ ଚାଷୀଭାଇମାନେ ଶୁଖିଲା ଓ ପରିଷ୍କାର ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରି ଏହି ସୁଯୋଗର ଲାଭ ଉଠାନ୍ତୁ ବୋଲି ଜିଲ୍ଳାପାଳ ସ୍ୱଧାଦେବ ସିଂ ଚାଷୀଙ୍କୁ ପରାମର୍ଶ ଦେଇଥିଲେ । ରାୟଗଡା ଜିଲ୍ଳାର ୧୧ଗୋଟି ବ୍ଳକରେ ୧୯ଟି ମାଣ୍ଡିଆ ମଣ୍ଡି ଆଜି ଠାରୁ ଖୋଲାଯାଇଛି । ଏହା ଆସନ୍ତା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏଥିରେ ୫ଟି କୃଷକ ଉତ୍ପାଦକ ସଂସ୍ଥା ଦ୍ୱାରା ଜିଲ୍ଳାର ବିଷମକଟକ, ଗୁଡାରୀ, ଚନ୍ଦ୍ରପୁର, ଗୁଣପୁର ଓ କାଶିପୁର ବ୍ଳକର ମଣ୍ଡିଗୁଡିକରୁ ଏବଂ ୧୪ଟି ଲ୍ୟାମ୍ପସ୍ ତଥା ସମବାୟ ସମିତି ପକ୍ଷରୁ ୨୬ଟି ଉତ୍ପାଦକ କେନ୍ଦ୍ରରୁ ଚାଷୀମାନଙ୍କ ଦ୍ୱାରା କ୍ରୟ କରାଯିବ ବୋଲି ଜଣାପଡିଛି । ଏଥିସହ ମଣ୍ଡିରେ ମାଣ୍ଡିଆ ବିକ୍ରି ପରେ ବିକ୍ରୟ ମୂଲ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବରେ ପୈଠ କରାଯିବ । ଖାଦ୍ୟସାରରେ ଭରପୁର ମାଣ୍ଡିଆ ଏକ ଉପାଦେୟ ଖାଦ୍ୟ । ଏଥିରେ ସ୍ନେହସାର, ଶ୍ୱେତସାର, ଖଣିଜ ଦ୍ରବଣ, କ୍ୟାଲସିୟମ, ଫସଫରସ୍‌, ଲୈାହ, ତନ୍ତୁ ଭରି ରହିଛି । ତେଣୁ ଓଡିଶା କ୍ଷୁଦ୍ରଦାନା ଶସ୍ୟ ମିଶନ,କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ମାଣ୍ଡିଆ ଶସ୍ୟ ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.