ଉତ୍ସବର ଉଦଯାପନୀ କାର୍ଯ୍ୟକ୍ରମ ବିଳମ୍ବକୁ ନେଇ ଅସନ୍ତୋଷ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ) : ଲୋକ ସଂସ୍କୃତି, ପରମ୍ପରା, ଲୋକଗୀତ ଓ ଲୋକନୃତ୍ୟର ବାର୍ତ୍ତାବହକୁ ନେଇ ପ୍ରତିବର୍ଷ ପାଳନ ହୋଇଥାଏ କଳାହାଣ୍ଡି ଉତ୍ସବ ଘୁମୁରା । ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ଧରି କଳାହାଣ୍ଡି ଉତ୍ସବ ଘୁମୁରା ପାଳନ ହୋଇପାରିନଥିଲା । ତେବେ ଚଳିତ ବର୍ଷ କଳାହାଣ୍ଡି ଉତ୍ସବ ଘୁମୁରାର ୨୫ତମ ବର୍ଷ ଅବସରରେ ଉତ୍ସବକୁ ଜିଲ୍ଲାର ସମସ୍ତ ପଞ୍ଚାୟତ ଓ ବ୍ଲକ ସ୍ତରରେ ମହାସମାରୋହରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ କେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ସୋମବାର ଦିନ ପାଳନ କରାଯାଇଛି। ଉତ୍ସବ ପାଳନ ଉଦଘାଟନ ହେବା ପୂର୍ବରୁ ସୋମବାର ସକାଳୁ ବେଲଖଣ୍ଡି ସ୍ଥିତ ଶୈବପୀଠରୁ ମଶାଲ ବାହାରିଥିଲା ଓ କେସିଙ୍ଗା ସହରକୁ ମଶାଲ ପହଞ୍ଚିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ତାହାକୁ ସ୍ବାଗତ କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ଉତ୍ସବ ପଡିଆର ମଞ୍ଚକୁ ନିଆଯାଇଥିଲା । ମଶାଲ ଶୋଭାଯାତ୍ରାରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁଙ୍କ ସମେତ ଜିଲ୍ଲା ଉତ୍ସବର ମଶାଲ ସବ୍ କମିଟି ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ, କେସିଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ, ଓଡ଼ିଶା ଜୀବିକା ମିଶନର ସିଆରପି ପ୍ରମୁଖ ସାମିଲ ହୋଇଥିଲେ । ପରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ର ଉଦଘାଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକଙ୍କ ସମେତ ବ୍ଲକ୍ ଉପାଧ୍ୟକ୍ଷା, କେସିଙ୍ଗା ବ୍ଲକ ତିନି ଗୋଟି ଜୋନର ଜିଲ୍ଲା ପରିଷଦ ସଭ୍ୟ, ବିଡ଼ିଓ, ବିଇଓ, ସିଡିପିଓ ପ୍ରମୁଖ ମଞ୍ଚାସୀନ ରହିଥିଲେ । ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଅଧ୍ୟକ୍ଷତା କରିଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଦୀପକ୍ କୁମାର ସାହୁ ଉଦଘାଟନୀ କାର୍ଯ୍ୟକ୍ରମରେ ସଭାମଞ୍ଚ ସଂଚାଳନ କରିଥିଲେ । ପରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ଓ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କାର ପ୍ରଦାନ କରାଯାଇଥିଲା । ଅପରପକ୍ଷରେ ଉତ୍ସବର ଉଦଯାପନୀ ସଭା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ସମୟରେ ରଖାଯାଇଥିଲେ ମଧ୍ୟ ସାଢେ଼ ୭ ହେବା ପର୍ଯ୍ୟନ୍ତ ଉଦଯାପନୀ ସଭା ଆରମ୍ଭ ହୋଇପାରି ନଥିଲା । ଉଦଯାପନୀ ସଭା କାର୍ଯ୍ୟକ୍ରମ ବିଳମ୍ବ ହେବା ଫଳରେ ବ୍ଲକର ଦୂରଦୁରାନ୍ତରୁ ଆସିଥିବା ବିଭିନ୍ନ ପଞ୍ଚାୟତ ଲୋକେ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟକ୍ରମ ଦେଖିନପାରି ଫେରିଯାଇଥିଲେ । ଉଦଯାପନୀ ସନ୍ଧ୍ୟାର ସାରସ୍ଵତ ସମାରୋହ ସଭାରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗଦାନ କରି ଜିଲ୍ଲାର ଲୋକ ସଂସ୍କୃତି, ପରମ୍ପରା ଉପରେ ମତପୋଷଣ କରି କଳାହାଣ୍ଡି ଉତ୍ସବ ଘୁମୁରା ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ । ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ବରେ ମୁଖ୍ୟ ବକ୍ତା ଭାବେ ଉପନିବନ୍ଧକ କ୍ଷୀରୋଦ ବାଗ, ସମ୍ମାନିତ ଅତିଥି ଭାବେ କେସିଙ୍ଗା ନଗରପାଳ ନୃପରାଜ ଯାଦବ, ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ମଞ୍ଚାସୀନ ରହିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ୱର ମେହେର ଓ ସଭା ସଂଚାଳନ କରିଥିଲେ ଜ୍ଞାନେନ୍ଦ୍ର ଭୋଇ । ପରେ ରୁକୁ ସୁନାଙ୍କ ଦଳକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରକାଶ ଯେ, କେସିଙ୍ଗା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ବିଭିନ୍ନ ଅବ୍ୟବସ୍ଥା ଦେଖାଦେଇଥିଲା । ଉତ୍ସବର ଅବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜିଲ୍ଲାର ଲୋକ ସଂସ୍କୃତି, ଲୋକ ନୃତ୍ୟ ଓ ପରମ୍ପରା କୁ ଉଜ୍ଜିବିତ କରିବାର ଉଦ୍ଦେଶ୍ୟ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା ପାଳନ। ହେଲେ ତାହାକୁ ଗୁରୁତ୍ବ ନଦେଇ କେବଳ ବାହାରର ସାଂସ୍କୃତିକ ଦଳକୁ ନିମନ୍ତ୍ରଣ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ବିଷୟକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଉତ୍ସବ ପାଳନ କରିବା ପାଇଁ ପୂର୍ବରୁ ବିଭିନ୍ନ ସବ୍ କମିଟି ଗଠନ କରାଯାଇଥିଲା ସତ ହେଲେ ସବ୍ କମିଟିର ସଦସ୍ୟମାନଙ୍କୁ ଅଣଦେଖା କରାଯାଇ କାର୍ଯ୍ୟକ୍ରମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସେହିପରି ଉତ୍ସବର କାର୍ଯ୍ୟକ୍ରମ ସମ୍ପର୍କରେ ଖବର ପ୍ରକାଶ କରିବା ପାଇଁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଚେଷ୍ଟା କରିଥିଲେ ମଧ୍ୟ ଆୟୋଜକଙ୍କ ପକ୍ଷରୁ ସଂପୂର୍ଣ୍ଣ ତଥ୍ୟ ଦେବାରେ ଅବହେଳା କରାଯାଇଥିଲା । ଷ୍ଟେଜ କାର୍ଯ୍ୟକ୍ରମର ସମ୍ପୂର୍ଣ ଦାୟିତ୍ଵ ନିର୍ଦ୍ଦିଷ୍ଟ ଦୁଇ ଜଣ ଶିକ୍ଷକ ଏବଂ କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କ ହାତରେ ରହିଥିଲା । ଷ୍ଟେଜ କମିଟିରେ ଦୁଇ ଜଣ ଶିକ୍ଷକ ସଦସ୍ୟ ରହିଥିବା ବେଳେ ଷ୍ଟେଜ କାର୍ଯ୍ୟକ୍ରମ ସମ୍ପର୍କରେ କମିଟିର ଜନୈକ ଶିକ୍ଷକଙ୍କୁ ପଚାରିଥିଲେ ମଧ୍ୟ ସେ ଆମେ କିଛି କହିପାରିବୁ ନାହିଁ ବୋଲି କହି କୈ।ଣସି ସୂଚନା ଦେଇପାରିନଥିଲେ । ତେବେ ଏସଂପର୍କରେ ପଚାରିବୁଝିବା ପାଇଁ ଆୟୋଜକ କମିଟିର ସଭାପତି ତଥା ବ୍ଲକ୍ ଅଧ୍ୟକ୍ଷ ଚନ୍ଦନ ସେନାପତି ଏବଂ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁଙ୍କୁ ଫୋନ୍ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା । ଯାହାଫଳରେ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ । ମୋଟାମୋଟି ଭାବରେ କହିବାକୁ ଗଲେ କେସିଙ୍ଗା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଏକ ପ୍ରକାର ଅବ୍ୟବସ୍ଥା ମଧ୍ୟରେ ପାଳନ ହୋଇଥିବା ନେଇ ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।