ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ମିସ୍ ଆଣ୍ଡ ମିସେସ୍ ଇଣ୍ଡିଆ କ୍ବିନ୍ ଅଫ୍ ହାର୍ଟସ୍ ସିଜିନ-୫ରେ ଓଡିଆ ଝିଅ ଗୁଡ୍ଡିଙ୍କ କମାଲ । ମିସେସ୍ ପପୁଲାର୍ ଏବଂ କନଫିଡେଣ୍ଟ କାଟାଗୋରିରରେ ସମସ୍ତଙ୍କୁ ପଛରେ ପକାଇ ବିଜେତା କ୍ରାଉନ ହାସଲ କରିଛନ୍ତି ଗୁଡ୍ଡି ଓରଫ ଋତୁପର୍ଣ୍ଣା। ନୂଆଦିଲ୍ଲୀ ଜନକପୁରସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରା ଦେଶରୁ ୨୧୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିମଧ୍ୟରୁ ୫୦ ଜଣ ଗ୍ରାଣ୍ଡ ଫିନାଲେକୁ ଯାଇଥିଲେ । ଗ୍ରାଣ୍ଡ ଫିନାଲେରେ ପ୍ରତିଯୋଗୀମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଗୁଡ୍ଡି ମଧ୍ୟ ନିଜ ଟ୍ୟାଲେଣ୍ଟରେ ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ସୂଚନାଯୋଗ୍ୟ ଯେ, ଜାତୀୟ ସ୍ତରରେ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ପାଇଁ ଗୌରବ ଆଣିପାରିଥିବାରୁ ସବୁ ମହଲରୁ ଗୁଡ୍ଡିଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ପୂର୍ବରୁ କଳିଙ୍ଗ ଗୌରବ ପକ୍ଷରୁ ଆୟଜିତ ମିସେସ୍ କଳିଙ୍ଗ ସୁନ୍ଦରୀ ପ୍ରତିଯୋଗିତାରେ ମଧ୍ୟ ସେ ଦ୍ବିତୀୟ ରନର୍ସ-ଅପ୍ ହୋଇଥିଲେ। ଜଣେ ରେଡ଼ିଓ ଜକି ହେବା ସହ ଗୁଡ୍ଡି ଟେଲିଭିଜନରେ ଉପସ୍ଥାପନା କରିବା, ଗୀତ ଗାଇବା, ଡବିଂ କରିବା, ଅନେକ ସିରିୟଲ ଓ ଆଲବମରେ ଅଭିନୟ କରି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।