ଘୁଙ୍ଗୁଡ଼ି ମାରୁଛନ୍ତି ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦେଶୀ, ବିଦେଶୀ ମଦର ବନ୍ୟାରେ ଉବୁଟୁବୁ ହେଉଛି ନର୍ଲା ଥାନା ଅଞ୍ଚଳ ମଧ୍ୟରେ ଥିବା ଶତାଧିକ ଗାଁ। ଏହି ଥାନା ଅଞ୍ଚଳରେ ଅବୈଧ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନର୍ଲା ମଦ ଭାଟି ଓ କେନ୍ଦୁପଡା ଉପଭାଟି, ବଲବସପୁର ଭାଟି, ତୁଲାପଡା ଭାଟି, ଲାଞ୍ଜିଗଡ଼ରୋଡ ଭାଟି, ସେରଗଡ ଭାଟି ଏବଂ ନିଶାଣପୁର ଭାଟିରେ ଯେତିକି ମଦ ବିକ୍ରି ହେଉଛି ସେଠାରୁ ପ୍ରାୟ ତିରିଶି ଗୁଣା ଅଧିକ ମଦ ଗାଁ ଗାଁରେ ଖୋଲିଥିବା ମଦ କୋଠିରେ ବିକ୍ରୀ ହେଉଥିବା ଜଣାପଡିଛି। ସରକାର କେବଳ ଭାଟିରେ ଦେଶୀମଦ ବିକ୍ରି ପାଇଁ ଅନୁମତି ଦେଇଥିବାବେଳେ ଏହି ନିୟମର ଖୋଲା ଉଲଂଘନ ହେଉଛି। ନର୍ଲା ଥାନା ଅଧିନରେ ୧୯୨ଟି ଗାଁ ରହିଛି। ଏହାଛଡ଼ା ନର୍ଲା ବ୍ଲକର ଅନେକ ଗାଁ କେସିଙ୍ଗା ଥାନା ଅଧିନରେ ରହିଛି, ଯେଉଁଠାରେ ମଧ୍ୟ ଗାଁ ଗାଁରେ ମଦ କୋଠି ଚାଲିଛି। ଏମିତି ହିସାବ କଲେ ନର୍ଲାରେ ୩୦୦ ରୁ ଉର୍ଦ୍ଧ୍ବ ଯୋରଦାର ବିକ୍ରି ହେଉଥିବା ମଦ କୋଠି ରହିଛି। ଭାଟିମାନେ ଗାଁ ଗାଁର କୋଠି ମାନଙ୍କୁ ମଦ ବିକ୍ରି ପାଇଁ ଦେଉଛନ୍ତି। ଗାଁରେ କୋଠି ଖୋଲି ମଦ ବିକ୍ରି କରୁଥିବା ଲୋକ ଗାଁକୁ ବାର୍ଷିକ ଅତି କମରେ ୫୦ ହଜାର ଠାରୁ ଆରମ୍ଭ କରି ଲକ୍ଷେ, ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଚାନ୍ଦା ଦେଉଛନ୍ତି। ସେହିପରି ଭାବେ ବିହାରୀ ମଦ ଭାଟି ମାଲିକମାନେ ଜନ ପ୍ରତିନିଧି, ଯୁବକ ସଂଘ, ବିଭିନ୍ନ ଅନୁଷ୍ଠାନ ଓ ଟାଉଟର ମାନଙ୍କୁ ବାର୍ଷିକ ଚାନ୍ଦା ଦେଇ ମୁହଁ ବନ୍ଦ କରି ଦେଇଛନ୍ତି। ପୋଲିସ ମଧ୍ୟ ବଟି ଆଦାୟ କରୁଥିବା ଅଭିଯୋଗ ହେଉଛି। ଏତ ଗଲା ଭାଟି କୋଠି ମଦ କଥା। ଏହାବାଦ ନର୍ଲା ବ୍ଲକର ଅନେକ ଉପାନ୍ତ ଅଞ୍ଚଳରେ ହାତରନ୍ଧା ଦେଶୀ ମହୁଲି ମଦ ପ୍ରସ୍ତୁତ ହୋଇ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି। ସେହିପରି ଭାବେ ବ୍ଲକର ନର୍ଲାରୋଡ, ଛତିକୁଡା, ବାଲିପଡା ଏବଂ ରୁଫ୍ରାରେ ଥିବା ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରୁ ପ୍ରତ୍ୟହ ଗାଁ ଗାଁକୁ ବିଦେଶୀ ମଦ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ନର୍ଲା ଥାନା ଅଞ୍ଚଳରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହୋଇ ବିକ୍ରୀ ହେଉଥିବା ପରି ସାଂଘାତିକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ବିହାରୀ ଏକ୍ସପୋର୍ଟ ମାନେ ଏହି ନକଲି ମଦ ତିଆରି କରୁଥିବା ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ନକଲି ମଦ ପାଇଁ ଅନେକ ମହିଳା ଅଳ୍ପ ବୟସରେ ବିଧବା ହୋଇ ଯାଉଥିବା ବେଳେ ଅନେକ ଘର ନାରଖାର ହୋଇଯାଉଛି। ବିଶେଷକରି ଯୁବ ସମାଜକୁ ପଥଭ୍ରଷ୍ଟ କରୁଛି ଦେଶୀ ଓ ବିଦେଶୀ ମଦ। ତେବେ ବେନିୟମ ମଦ ବେପାରକୁ ସ୍ଥାନୀୟ ପୋଲିସ ପ୍ରୋତ୍ସାହିତ କରୁଥିବା ପରି ପ୍ରତୟମାନ ହେଉଛି, ଯାହା ଏକ ସୁସ୍ଥ ସମାଜ ପାଇଁ ଆଦ୍ୟୋ ଗ୍ରହଣୀୟ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ଖବର ସଂଗ୍ରହ କରିବା ସମୟରେ ଏକ ତଥ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇପାରେ। ‘ମଦ ବେପାର ଖୁଲମଖୁଲା ନକରି ସ୍ବାମୀ-ସ୍ତ୍ରୀ ସଂପର୍କ ପରି କର।’ ପରିବାର ମଧ୍ୟରେ ରହି ମଧ୍ୟ ସ୍ବାମୀ-ସ୍ତ୍ରୀ ଯେପରି ଗୋପନରେ ସମ୍ବନ୍ଧ ସ୍ଥାପନ କରିଥାନ୍ତି, ମଦ ବେପାର ଆଜିକାଲି ସେଭଳି ହେବା ଜରୁରୀ ବୋଲି ପୋଲିସ ମଦ ବେପାରୀ ମାନଙ୍କୁ କହିଥିବା ଚର୍ଚ୍ଚା ହେଉଛି। ତେବେ ନର୍ଲା ବ୍ଲକ ଓ ଥାନା ଅଞ୍ଚଳରେ ଖୁଲମଖୁଲା ଦେଶୀ ବିଦେଶୀ ମଦର ବନ୍ୟା ଛୁଟୁଥିବା ବେଳେ ଅବକାରୀ ବିଭାଗ ଓ ପ୍ରଶାସନ କାହିଁକି ଚୁପ୍ ହୋଇ ବସିଛନ୍ତି ବୋଲି ସଚେତନ ନାଗରିକମାନେ ପ୍ରଶ୍ନ ଉଠାଇଛନ୍ତି।