ପ୍ରକୃତିମିତ୍ର ସମ୍ମାନ ପାଇଲା ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ଟାଉନହଲ ଠାରେ ଆୟୋଜିତ ପଡୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ ଅବସରରେ ସରିଆଁ ଗ୍ରାମର ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି। ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାଏକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାମେଶ ଚନ୍ଦ୍ର ପାଢ଼ୀ, ବିଶିଷ୍ଟ ବାଗ୍ମୀ ସତ୍ୟନାରାୟଣ ମୁଣ୍ଡଛିନା, ଶିକ୍ଷାବିତ ଡ଼. ଉମେଶ ଚନ୍ଦ୍ର ସଥପତି, କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସିପିଜିପି ମେଜର ଡ଼. ଜୟଦେବ ସାହୁ, ନେହେରୁ ଯୁବ କେନ୍ଦ୍ର ନୂଆପଡା ଜିଲ୍ଲା ଯୁବ ଅଧିକାରୀ ଅସିଶ କୁମାର ଠାକୁର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ପ୍ରତାପ ଚନ୍ଦ୍ର ଦାସ ପରିଚାଳନା କରିଥିବାବେଳେ ଏଥିରେ ଜିଲ୍ଲାର ସମସ୍ତ ବ୍ଲକର ବିଭିନ୍ନ କ୍ଲବ, ମହିଳା ମଣ୍ଡଳ, ସ୍କୁଲ, କଲେଜ, କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ, ଏନସିସି ଏନଏସଏସର ପ୍ରାୟ ୮୦୦ ଛାତ୍ର/ସଦସ୍ୟ ଯୋଗଦାନ କରିଥିଲେ। ଏହି ପରିପ୍ରେକ୍ଷୀରେରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରଥିବା ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନକୁ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର, ଶ୍ରେଷ୍ଠ ଯୁବ ଅନୁଷ୍ଠାନ ପୁରସ୍କାର ଓ ୫ଟି କ୍ଲବକୁ କ୍ରୀଡ଼ା ସାମଗ୍ରୀ ପ୍ରଦାନ କରାଯାଇଥିଲା। ସେଥି ମଧ୍ୟରୁ ନର୍ଲା ବ୍ଲକର ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁକୁ ପ୍ରକୃତି ମିତ୍ର ଓ ନର୍ଲା ବ୍ଲକ ପୁର୍ବର୍ତ୍ତନ ଜାତୀୟ ଯୁବ ସ୍ବେଚ୍ଛାସେବୀକା ଉତ୍କଳିକା ସାହୁଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ପୂର୍ବରୁ ବୃକ୍ଷରୋପଣ, ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ, ପଶୁପକ୍ଷୀଙ୍କ ବାସସ୍ଥଳି ନିର୍ମାଣ, ଜଳ ସଂରକ୍ଷଣ ଏବଂ କରୋନା ସମୟରେ ମାସ୍କ ଓ ସାନିଟାଇଜର ବଣ୍ଟନ, ରକ୍ତଦାନ ଶିବିର ଏବଂ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ସ୍ୱାଧୀନ ଭୋଇ, ସମ୍ପାଦକ ମିଲନ କୁମାର ଭୋଇ, ଉପ ସଭାପତି ସୁକଦେବ ସାହୁ, ସଦସ୍ୟ ଅସୀମ ଭୋଇ, ସୁନନ୍ଦ ଭୋଇ, ପ୍ରତ୍ୟୁଷ ଭୋଇ , ଅଜିତ ସାହୁ, ପପୁ ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.