ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର କାର୍ଯ୍ୟରତ ଜଣେ ଦୈନିକ ଖବରକାଗଜର ସାମ୍ବାଦିକଙ୍କୁ ଖବର ସଂଗ୍ରହବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ବରାଡଙ୍ଗା ପଞ୍ଚାୟତରେ ସୋମବାର ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ କିଶନ କୁମାର ପଟ୍ଟନାୟକ ସେଠାକୁ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ।
ତେବେ ପଞ୍ଚାୟତ କାର୍ଯ୍ୟାଳୟର ବିଭିନ୍ନ ସ୍ଥାନରେ ଏକାଧିକ ମଦ ବୋତଲ ପଡ଼ିଥିବା ଦେଖିବାକୁ ପାଇ ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତୀଶ ରଥଙ୍କ ପ୍ରତିକ୍ରିୟା ନେବା ସମୟରେ ରାଗି ଯାଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଏମିତି କି ତଣ୍ଟି ଚିପି ମୋବାଇଲ ଛଡେଇବାକୁ ଚେଷ୍ଟା କରିଥିଲେ। ତେବେ କାହିଁକି ଏପରି କରୁଛନ୍ତି ବୋଲି ପଚାରିବାରୁ ସାମ୍ବାଦିକ ଦେଖେଇ ହେଉଛୁ ବୋଲି କହିବା ସହିତ ସେ ମୋବାଇଲ ଫୋନ ଟାଣି ଥିଲେ। ପରେ ସାମ୍ବାଦିକ ଜଣକ ସମ୍ପୃକ୍ତ ପିଇଓଙ୍କ ନାଁରେ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଆମପାଣି ଥାନା କେଶ ନଂ ୧୪/୨୩ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଚତୁର୍ଭୁଜ ନାଏକ ପ୍ରକାଶ କରିଛନ୍ତି। ଅଭିଯୋଗ ପ୍ରଦାନ ସମୟରେ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ, ସନତ କୁମାର ପ୍ରଧାନୀ, ବିଜୟ ପଣ୍ଡା, ଜଗଦୀଶ ନାଏକ, ଦୁଷ୍ମନ୍ତ ପଟ୍ଟଯୋଷୀ ପ୍ରମୁଖ ଉପସ୍ଥିତ ଥିଲେ।