ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଓ ସହାୟକ ଷ୍ଟାଫ୍‌ଙ୍କ ଦାବିକୁ ନେଇ ଆପ୍ କରିବ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ ଏମବିକେ, ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର, ବ୍ୟାଙ୍କ ମିତ୍ର ଏବଂ ଏଲଏସପି ଭଳି କମ୍ୟୁନିଟି ସପୋର୍ଟ ଏବଂ ସହାୟକ ଷ୍ଟାଫ୍‌ମାନଙ୍କ ଚାକିରିକୁ ସ୍ଥାୟୀ କରିବା ସହ ଦରମା ବୃଦ୍ଧି କରିବା ପାଇଁ ଆସନ୍ତା ଫେବୃଆରୀ ୨୮ତାରିଖ ଦିନ ରାୟଗଡା ଜିଲ୍ଳା ଆମ ଆଦମୀ ପାର୍ଟି (ଆପ୍‌)ଦଳ ପକ୍ଷରୁ ବିଶାଳ ଶୋଭାଯାତ୍ରା ସହ ଧାରଣା ଦିଆଯାଇ ଏକ ଆନ୍ଦୋଳନ କରାଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ଆଜି ଆପ୍ ଜିଲ୍ଳା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ (ସଂଗଠକ) ମୁଖପାତ୍ର, ଓଡିଶା ତଥା ରାୟଗଡା ଜିଲ୍ଳା ସଭାପତି ଜନ୍ମେଜୟ ସ୍ୱାଇଁ ପ୍ରକାଶ କରିଛନ୍ତି । ଉକ୍ତ ଦିନ ସ୍ଥାନୀୟ ରାୟଗଡା ପଂଚାୟତ ସମିତି କାର୍ଯ୍ୟାଳୟ ଠାରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଜିଲ୍ଳାର କାର୍ଯ୍ୟରତ ମିଶନ ଶକ୍ତି ଅଧିନସ୍ଥ କମ୍ୟୁନିଟି ସପୋର୍ଟ ଏବଂ ସହାୟକ ଷ୍ଟାଫ୍ ଏବଂ ଦଳୀୟ କାର୍ଯ୍ୟକର୍ତା ଏବଂ କର୍ମୀଙ୍କ ଗହଣରେ ଶୋଭାଯାତ୍ରା ବାହାର କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ଏହି ଆନ୍ଦୋଳନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯିବ । ଦୀର୍ଘ ୨୨ବର୍ଷରୁ ଉର୍ଦ୍ଧ ସମୟ ଧରି ଶାସକ ବିଜେଡି ଦଳ ଶାସନ ଗଦିରେ ବସିଥିବା ବେଳେ ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଓ ସହାୟକ ଷ୍ଟାଫଙ୍କ ନ୍ୟାର୍ଯ୍ୟ ଦାବିକୁ ନବୀନ ସରକାର ଅଣଦେଖା କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ଅନେକ ସରକାରୀ ଯୋଜନାକୁ ସଫଳ କରୁଥିବା ନେଇ ଡିମିଡିମ ପିଟୁଥିବା ନବୀନ ସରକାର ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି କ୍ଷେତ୍ରରେ ଅଣଦେଖା କରୁଛନ୍ତି । ଗତ ଫେବୃଆରୀ ୨୦ତାରିଖରେ ୨୦ହଜାରରୁ ଉର୍ଦ୍ଧ କର୍ମଚାରୀମାନେ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର କର୍ଣ୍ଣପାତ କରିଲେ ନାହିଁ । ଚଳିତ ୨୦୨୩-୨୪ବଜେଟକୁ ଏକ ବଳକା ବଜେଟ୍ ବୋଲି ଦାବି କରୁଥିବା ସରକାର ମିଶନ ଶକ୍ତିର ସହାୟକ କର୍ମଚାରୀଙ୍କୁ କାହିଁକି ସ୍ଥାୟୀ କରିବାରେ ରାଜି ହେଉନାହାନ୍ତି ତାହା ଜଣାପଡୁନାହିଁ । ନିର୍ବାଚନ ବେଳେ କେବଳ ଏମାନଙ୍କୁ କାମରେ ଲଗାଇବା ହିଁ ସରକାରଙ୍କ କାମ ବୋଲି ଅଭିଯୋଗ କରିଛି ଆପ୍ । ଯଥାଶୀଘ୍ର ଏମାନଙ୍କ ନ୍ୟାର୍ଯ୍ୟ ଦାବିକୁ ପୂରଣ ନ କଲେ ଆଗାମୀ ଦିନରେ ଆପ୍ ଦଳ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଶ୍ରୀ ସ୍ୱାଇଁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୈାର ନଗର ସଭାନେତ୍ରୀ ଶ୍ରୀମତି ସୁଚିତ୍ରା ପାଇକ, ମଧୁସୂଦନ ପାଣିଗ୍ରାହୀ, ଲକି ଶଗଡିଆଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.