ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିବାର କାରଣ ବଖାଣିଲା ସିବିଆଇ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ରବିବାର ସନ୍ଧ୍ୟାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି । ସୋମବାର ସିସୋଦିଆଙ୍କୁ କୋର୍ଟରେ ହାଜର କରାଯିବ। ଏହାପୂର୍ବରୁ ଗିରଫ କରିବାର କାରଣ କହିଛି ସିବିଆଇ। ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି। ସିସୋଦିଆ ତଦନ୍ତରେ ସହଯୋଗ କରୁନଥିଲେ, ତେଣୁ ତାଙ୍କୁ ଗିରଫ କରାଯାଇଛି। ଏନେଇ ସିବିଆଇ ପକ୍ଷରୁ ସୂଚନା ମିଳିଛି । ସିବିଆଇ କହିଛି, ୨୦୨୧-୨୨ ବର୍ଷ ପାଇଁ ପ୍ରସ୍ତୁତ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ମୁମ୍ବାଇ ସ୍ଥିତ ଏକ ଘରୋଇ କମ୍ପାନୀର ତତ୍କାଳୀନ ସିଇଓ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଡିସେମ୍ବର ୨୫ରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଏନେଇ ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଦୁର୍ନୀତି ମାମଲାରେ ତଦନ୍ତ ପାଇଁ ମନୀଷ ସିସୋଦିଆଙ୍କୁ ଫେବ୍ରୁଆରି ୧୯ରେ ସିବିଆଇ ନୋଟିସ କରିଥିଲା । କିନ୍ତୁ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଦର୍ଶାଇ ଏକ ସପ୍ତାହ ସମୟ ମାଗିଥିଲେ ସିସୋଦିଆ । ଏହାପରେ ରବିବାର ସିବିଆଇ ଅଫିସରେ ହାଜର ହୋଇଥିଲେ ସିସୋଦିଆ । ସିବିଆଇ ଏହି ମାମଲାରେ ପୂର୍ବରୁ ଗତବର୍ଷ ଅକ୍ଟୋବର ୧୭ରେ ସିସୋଦିଆଙ୍କୁ ସିବିଆଇ ଯେଉଁ ପ୍ରଶ୍ନ କରିଥିଲା ସେହି ସମାନ ପ୍ରଶ୍ନ ରବିବାର ମଧ୍ୟ କରିଥିଲା ସିବିଆଇ। ହେଲେ ସିସୋଦିଆ ଏହାର ଉତ୍ତର ଏଡାଇ ଦେଇଥିଲେ ବୋଲି ସୂଚନା ରହିଛି । ସେହିପରି ସିସୋଦିଆ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ନେଇ ପ୍ରମାଣ ଯୋଗାଡ଼ କରାଯାଇଛି। ତେଣୁ ଗିରଫ କରାଯାଇଛି ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳେ ସିସୋଦିଆଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି, ମନୀଷ କୌଣସି ଦୁର୍ନୀତିରେ ସାମିଲ ନାହାନ୍ତି। ତାଙ୍କ ଗିରଫଦାରୀ ଏକ କୁତ୍ସିତ ରାଜନୀତି। ସେପଟେ ବିଜେପି କହିଛି ଯଦି ଦୁର୍ନୀତି ହୋଇନି ତାହାଲେ ସରକାର କେଉଁ କାରଣ ପାଇଁ ଅବକାରୀ ନୀତିକୁ ପ୍ରତ୍ୟାହାର କରିଥିଲେ?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.