ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଟୋଲବ୍ରାହ୍ମଣୀ ସ୍ଥିତ ଶିଦ୍ଧ ରତ୍ନ କୁଟିର ମହିମା ଆଶ୍ରମ ପରିସରରେ ବ୍ରହ୍ମ ଅବଧୂତ ରତ୍ନମଣି ବାବା ଓ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ବ୍ରହ୍ମ ଅବଧୂତ ଭଗବାନ ବାବା ସାଧୁସନ୍ଥଙ୍କ ଉପସ୍ଥିତରେ ଏହି ଦୁଇ ମହାପୁରୁଷଙ୍କ ପ୍ରତିମୂର୍ତ୍ତିର ଶୁଭ ଉନ୍ମୋଚନ କରିଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଆଶ୍ରମର ପ୍ରତିଷ୍ଠାତା ବୈଦ୍ୟରାଜ ପବିତ୍ର ଶବର, କଳାହାଣ୍ଡି ଜିଲ୍ଲା ଆଦିସ୍କନ୍ଧ ସମାଜ ସଭାପତି ସୁରେଶ ଚନ୍ଦ୍ର ଭୋଇ, କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ, ଲୋକ ସଂସ୍କୃତି ଗବେଷକ ସୁନୀଲ କୁମାର ଧଙ୍ଗଡାମାଝୀ, ସାହିତ୍ୟିକ କୁଳମଣି ସାହୁ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରିନା ଭୋଇ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଆଶ୍ରମରେ ମହିମା ମେଳା ଆୟୋଜିତ ହୋଇଛି। ଆଜି ମାର୍ଚ୍ଚ ୫ ରବିବାର ଠାରୁ ଭଗବାନ ବାବାଙ୍କ ପୌରୋହିତ୍ୟରେ ବ୍ରହ୍ମଧୁନି ସ୍ଥାପନ ହୋଇ ଷୋହଳ ପ୍ରହର ବ୍ରହ୍ମନାମ ସଂକିର୍ତ୍ତନ ଆରମ୍ଭ ହୋଇଛି। ଅଖଣ୍ଡ ନାମଯଜ୍ଞ, ବ୍ରହ୍ମଯଜ୍ଞ, ଝାଡବତୀ ପ୍ରଜ୍ଜ୍ୱଳନ, ଅନ୍ନଯଜ୍ଞ, ସତସଙ୍ଗ ଆଦି ବିବିଧ କାର୍ଯ୍ୟକ୍ରମରେ ଆଶ୍ରମ ପରିସର ମୁଖରିତ ହୋଇ ଉଠିଛି। ଏହି ମେଳାରେ ଯୋଗଦେବାକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ମହିମା ଧର୍ମାବଲମ୍ବୀ ସାଧୁସନ୍ଥଙ୍କ ସମାଗମ ହୋଇଛି। ଏପରି ଭବ୍ୟ ପରିବେଶରେ ନବନିର୍ମିତ ମୁଖଶାଳା ମଧ୍ୟରେ ବ୍ରହ୍ମ ଅବଧୂତ ରତ୍ନମଣି ବାବା ଓ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ଶିଦ୍ଧ ରତ୍ନ କୁଟିର ମହିମା ଆଶ୍ରମର ଶୋଭାକୁ ଦ୍ଵିଗୁଣିତ କରୁଛି।