ରାୟଗଡ଼ା ବ୍ଲକ୍ ସ୍ତରୀୟ ଲୋକସେବା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲା ସଦର ବ୍ଳକ କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ବ୍ଲକ ସ୍ତରୀୟ ଲୋକସେବା ଦିବସ ପାଳିତ ହୋଇଯାଇଛି । ଏଥିରେ ସୁଶ୍ରୀ ଟୁନି ହୁଇକା ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଏ ସାନମୁଖା କୁମାର ପାତ୍ର, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ପଣ୍ଡା ଓ ପାନୀୟଜଳ ବିଭାଗ ସହକାରୀ ଯନ୍ତ୍ରୀ ଦୀପ୍ତି ବାଟଲାଭଦ୍ରା ପ୍ରମୁଖ ମାଞ୍ଚାସୀନ ଥିଲେ । ରାୟଗଡ଼ା ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ, ସଭ୍ୟା, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବ୍ଲକ୍ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଭୂମିପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଶିଶୁ ବିକାଶ, ମିଶନ ଶକ୍ତି, ଶିକ୍ଷା, ପାନୀୟ ଜଳ, ସ୍ୱଚ୍ଚ ଭାରତ ମିଶନ, ଗ୍ରାମୀଣ ଆବାସ, କୃଷି ଆଦି ବିଭାଗ ତରଫରୁ ସଚେତନତା ଷ୍ଟଲ ଓ ବ୍ୟାନର ପ୍ରଦର୍ଶନକୁ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ଉଦଘାଟନ କରିଥିଲେ। ବିଜୁବାବୁଙ୍କ ଜନ୍ମ ଦିନରେ ଗ୍ରାମୀଣ ବିକାଶର ସଫଳତା କାହାଣୀ ମାନ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ଅଧ୍ୟକ୍ଷା ବିଜୁବାବୁଙ୍କ ଜୀବନ ଆଦର୍ଶ ବର୍ଣ୍ଣନା କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗ୍ରାମ୍ୟ ସ୍ତରରୁ ବିକାଶ ନିମନ୍ତେ ସଂକଳ୍ପ ନେବା ନିମନ୍ତେ ପ୍ରବର୍ତ୍ତାଇଥିଲେ । ବରିଷ୍ଠ ଶିକ୍ଷକ ନୀଳାଚଳ ମିଶ୍ର ଓଡ଼ିଶାର ଅଗ୍ରଗତିରେ ପ୍ରଣୀତ ପଞ୍ଚାୟତିରାଜ ବ୍ୟବସ୍ଥା ଓ ବିକାଶ ବିଷୟରେ ଅଭିଭାଷଣ ରଖିଥିଲେ । ଏହି ଦିନଟିକୁ ଲୋକସେବା ଦିବସ ରୂପେ ଉତ୍ସର୍ଗ କରି ସେମାନଙ୍କ ସମସ୍ୟା ଚିହ୍ନଟ ଓ ସମାଧାନ ସହ ସମସ୍ତ ସରକାରୀ ଯୋଜନା ଗୁଡ଼ିକୁ ଲୋକାଭିମୁଖୀ କରାଇବା ନିମନ୍ତେ ଆଲୋଚନା ହୋଇଥିଲା ।

ବିଜୁପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ଶିଶୁ ପ୍ରିୟ ପଞ୍ଚାୟତ ରୂପେ ହାଲୁଆ ଗ୍ରାମ ପଞ୍ଚାୟତକୁ ଦୁଇ ଲକ୍ଷ ଟଙ୍କା ଓ ସୁଦୃଢ଼ ଭିତ୍ତିଭୂମି ଗ୍ରାମ ପଞ୍ଚାୟତ ରୂପେ ପେଣ୍ଟାକୁ ଏକ ଲକ୍ଷ ଆର୍ଥିକ ପୁରସ୍କାର ସରକାର ଘୋଷଣା କରିବା ସହ ମାନପତ୍ର ଜିଲ୍ଲା ପରିଷଦ ରାୟଗଡ଼ା ତରଫରୁ ପ୍ରଦାନ କରାଯାଇଥିବାରୁ ପଞ୍ଚାୟତ ସମିତି ତରଫରୁ ହାଲୁଆ ସରପଞ୍ଚ ତାମାରାଓ ବିଡିକା ଓ ନିର୍ବାହୀ ଅଧିକାରୀ ଅଜିତ କୁମାର ହୋତା, ପେଣ୍ଟ। ପଞ୍ଚାୟତ ସରପଞ୍ଚ ଏ ବିଶ୍ଵନାଥ ଓ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର କୁମାର ପାତ୍ରଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଶ୍ରୀ ଗୋପାଳ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.