ରାହୁଲଙ୍କ ବୟାନ କେତେ ସତ କେତେ ମିଛ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦେଶରେ ଭାରତ ଯୋଡୋ ଯାତ୍ରା କରି ଚର୍ଚ୍ଚାରେ ରହିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ବିଦେଶ ମାଟିରେ ବି ଚର୍ଚ୍ଚାରେ। ଏଥର ବିଦେଶ ମାଟିରେ ଭାରତର ଗଣତନ୍ତ୍ର ବିପଦରେ ଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରାହୁଲ। ବ୍ରିଟେନ ଗସ୍ତରେ ଥିବା ରାହୁଲ ବହୁ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରୁଛନ୍ତି ।କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭାରତରେ ଗଣତନ୍ତ୍ର ବିପଦରେ ଥିବା କହିବା ପରେ ଏହାକୁ ନେଇ ବିଜେପି ରାହୁଲଙ୍କୁ ଟାର୍ଗେଟ କରିଥିଲା। ଏପରିକି ରାହୁଲ ଚୀନ ଭାରତ ସୀମା ବିବାଦ ପ୍ରସଙ୍ଗରେ ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି। ଦେଶରେ ଗଣତାନ୍ତ୍ରିକ ଢାଞ୍ଚା ଉପରେ ଆକ୍ରମଣ ହେଉଛି ଓ ବିରୋଧୀ ଦଳଗୁଡିକ ଏହାକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ସାହାସୀ ଓ ଭୀରୁ ମଧ୍ୟରେ ଲଢେଇ ଚାଲିଛି ବୋଲି ରାହୁଲ କହିଛନ୍ତି। ବିଜେପିର କେନ୍ଦ୍ରୀୟ ନେତାମାନେ ରାହୁଲ ଗାନ୍ଧୀଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି। ଭାରତକୁ ବଦନାମ କରିବାକୁ କଂଗ୍ରେସର ଏଭଳି ମନୋଭାବ ସେମାନଙ୍କ ପତନର କାରଣ ବୋଲି କୁହାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି । ପୂର୍ବରୁ ବିଦେଶ ଏଜେଣ୍ଟମାନେ ଦେଶକୁ ଟାର୍ଗେଟ କରୁଥିଲେ । ଏବେ ନିଜ ଲୋକମାନେ ବିଦେଶ ମାଟିରେ ଦେଶକୁ ବଦନାମ କରୁଛନ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି। କେମ୍ବ୍ରିଜରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ଆଳରେ ବିଦେଶରେ ଭାରତକୁ ବଦନାମ କରିବାର ଅପଚେଷ୍ଟା ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ବିଜେପି ଅଭିଯୋଗ କରିଛି। ଏସବୁ ଭିତରେ ରାହୁଲ ଗାନ୍ଧୀ ଓ ବିଜେପି ମଧ୍ୟରେ ଚାଲିଥିବା କଥାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଦେଶରେ ସିବିଆଇ ଇଡି ଆଦି ସ୍ୱାଧୀନ ସଂସ୍ଥାକୁ କେନ୍ଦ୍ରର ବିଜେପି ସରକାର ନିଜ ଫାଇଦା ପାଇଁ ବ୍ୟବହାର କରିଥିବା ଅଭିଯୋଗ ହୋଇ ଆସିଛି। ଏପରିକି କୌଣସି ବିରୋଧୀ ବିଜେପି ବିରୋଧରେ କିଛି ଅଭିଯୋଗ ଆଣିଲେ ତାଙ୍କ ସ୍ୱରକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ରାହୁଲ ଗାନ୍ଧୀ ବିଭିନ୍ନ ସମୟରେ ସରକାରଙ୍କୁ ସମାଲୋଚନା କରି ଆସିଛନ୍ତି। ଦେଶରେ ଏ ସବୁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବିଦେଶ ମାଟିରେ ଏ କଥା ଉଠିବା ପ୍ରସଙ୍ଗର ଗୁରୁତ୍ୱକୁ ବଢ଼ାଇ ଦେଇଛି। ବିଜେପିର ନିନ୍ଦା ପରେ ବି ରାହୁଲ ଏ ସବୁ କଥାକୁ ଦୃଢ଼ତାର ସହ କହୁଥିବା ଦେଖାଯାଇଛି। ଆଗକୁ ନିର୍ବାଚନ ଥିବାବେଳେ ଭାରତ ଜୋଡୋ ଯାତ୍ରା ରାହୁଲଙ୍କ ଭାବମୂର୍ତିକୁ ଉଜ୍ବଳ କରିବା ସହ କଂଗ୍ରେସ ସପକ୍ଷରେ ଏକ ବାତାବରଣ ତିଆରି କରିଥିଲା। ଏପରିକି ଆଗକୁ ମଧ୍ୟ ଭାରତ ଯୋଡୋ ଯାତ୍ରାର ଦ୍ଵିତୀୟ ସଂସ୍କରଣ ହେବ ବୋଲି କଂଗ୍ରେସ ଘୋଷଣା କରିସାରିଛି। ଏଭଳି ସ୍ଥିତିରେ ବିଦେଶ ମାଟିରେ ରାହୁଲଙ୍କ ମନ୍ତବ୍ୟ ଓ ବିଜେପିର କାଉଣ୍ଟର ଆଟାକ କାହାକୁ ଫାଇଦା ଦେଉଛି କାହାର କ୍ଷତି କରୁଛି ତା ଉପରେ ସମସ୍ତଙ୍କର ନଜର ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.