ମଇ ୧ ରୁ ୨୭ ଯାଏଁ ଓବିସି ସର୍ଭେ: ନର୍ଲାରେ ପ୍ରଥମ ପର୍ଯ୍ୟାୟ ଏନିମେଟର ଓ ସୁପରଭାଇଜର ଟ୍ରେନିଂ ଆରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ରହିଥିବା ପଛୁଆ ବର୍ଗ ମାନଙ୍କ ସର୍ଭେକ୍ଷଣ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମଇ ୧ ରୁ ୨୭ ଯାଏଁ ଏସିବିସି ସର୍ଭେ ସାରା ଜିଲ୍ଲାରେ ଆରମ୍ଭ ହେବ । ଏନେଇ ଅଙ୍ଗନୱାଡି କର୍ମୀ ଓ ଆଇସିଡିଏସ୍ ସୁପରଭାଇଜର ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଏହିକ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ମଧ୍ୟ ଓବିସି ସର୍ଭେ ପାଇଁ ପ୍ରକ୍ରୀୟା ଆରମ୍ଭ ହୋଇଯାଇଛି । ଏନେଇ ମଙ୍ଗଳବାର ନର୍ଲା ପଞ୍ଚାୟତ ସମିତି ସରକାରୀ ୫ଟି ହାଇସ୍କୁଲରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏସିବିସି ସର୍ଭେ ପାଇଁ ନିୟୋଜିତ ଅଙ୍ଗନୱାଡି କର୍ମୀ ଓ ଆଇସିଡିଏସ ସୁପରଭାଇଜର ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ସର୍ଭେକ୍ଷଣ ଅଧିକାରୀ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ନର୍ଲା ହାଇସ୍କୁଲରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ଅନ୍ୟତମ ଅଧିକାରୀ ଭାବରେ ତହସିଲଦାର ଶଙ୍କର ବାଗ, ସହକାରୀ ନୋଡାଲ ଅଫିସର ନର୍ଲା ବ୍ଲକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷିତୀଶ ଚନ୍ଦ୍ର ନାଏକ, ଏବିଇଓ ସୁଦର୍ଶନ ମାହାନ୍ତୀ ପ୍ରମୁଖ ଯୋଗଦାନ କରିଥିବା ବେଳେ ମାଷ୍ଟର ଟ୍ରେନର ଭାବରେ ନର୍ଲା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ ଶିବିରାର୍ଥୀ ମାନଙ୍କୁ ସର୍ଭେକ୍ଷଣ କିପରି କରାଯିବ, ଫର୍ମ କେମିତି ପୁରଣ କରାଯିବ, ଏଥିରେ ଗୋଟିଏ ପରିବାରର କେଉଁ କେଉଁ ମାନଙ୍କୁ ସାମିଲ କରାଯିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ତାଲିମ ଦେଇଥିଲେ । ଅଙ୍ଗନୱାଡି କର୍ମୀମାନେ ଏସିବିସି ସର୍ଭେ ପାଇଁ ନିୟୋଜିତ ହୋଇଥିବା ବେଳେ ଆଇସିଡିଏସ ସୁପରଭାଇଜର ମାନେ ଅଙ୍ଗନୱାଡି କର୍ମୀ ମାନଙ୍କ କାର୍ଯ୍ୟକୁ ତଦାରଖ କରିବେ । ଏଣୁ ସେମାନଙ୍କୁ ସୁପରଭାଇଜର ତାଲିମ ପ୍ରଦାନ କରାଯାଇଥିଲା । ନର୍ଲା ବ୍ଲକରେ ରହିଥିବା ୨୬ ଗୋଟି ଗ୍ରାମ ପଞ୍ଚାୟତରେ ୭୮ ଗୋଟି ସର୍ଭେ କେନ୍ଦ୍ର ଖୋଲାଯିବ । ପ୍ରତି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ୩ ଗୋଟି ସର୍ଭେ କେନ୍ଦ୍ର ଖୋଲାଯିବ । ଏହା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର କିମ୍ବା ଅନ୍ୟ ଯେ କୌଣସୀ ସରକାରୀ ଅଫିସରେ ଖୋଲାଯିବ ବୋଲି ନର୍ଲା ବ୍ଲକ ନୋଡାଲ ଅଫିସର ବିଡିଓ ଶ୍ରୀମତୀ ସେଠୀ ସୂଚନା ଦେଇଛନ୍ତି । ଏହି ତାଲିମ ଦୁଇଟି ପର୍ଯ୍ୟାରେ ହେବାକୁ ରହିଥିବା ବେଳେ ମଙ୍ଗଳବାର ଓ ବୁଧବାର ଅପ୍ରେଲ ୧୧ ଓ ୧୨ ଦୁଇଦିନ ଧରି ପ୍ରଥମ ପର୍ଯ୍ୟାୟ ତାଲିମ ଦିଆଯିବ । ଦ୍ୱିତିୟ ପର୍ଯ୍ୟାୟ ତାଲିମ ଅପ୍ରେଲ ୧୯ ଓ ୨୦ ଦୁଇଦିନ ଧରି ଦିଆଯିବ ବୋଲି ସୂଚନା ମିଳିଛି । ଏହି ଏସିବିସି ସର୍ଭେ ରେ ନିଜ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ହୋଇଥିବା ସର୍ଭେ କେନ୍ଦ୍ର ଗୁଡିକୁ ଯାଇ ପରିବାରର ମୁଖିଆ ନିଜନାମ ଓ ପରିବାରର ବ୍ୟକ୍ତି ବିଶେଷଙ୍କ ସବିଶେଷ ତଥ୍ୟ ପ୍ରଦାନ କରି ସରକାରଙ୍କ ଏହି ଏସିବିସି ସର୍ଭେ ଯୋଜନାକୁ ସଫଳ କରିବା ପାଇଁ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ନର୍ଲା ବ୍ଲକ ଅଞ୍ଚଳବାସୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.