ମାନବ ସମାଜ ପାଇଁ ଜଙ୍ଗଲ ସମ୍ପଦର ଅବଦାନ ଅତୁଳନୀୟ । ତେବେ ବର୍ତ୍ତମାନ ଦ୍ରୁତ ଗତିରେ ଜଙ୍ଗଲ କ୍ଷୟ ହେଉଥିବାରୁ ମାନବ ସମାଜ ପାଇଁ ଏହା କ୍ଷତିକାରକ ସାବ୍ୟସ୍ତ ହେବ । ଜଙ୍ଗଲ କ୍ଷୟ ଅବ୍ୟାହତ ଥିବାବେଳେ ସାମାଜିକ ବନ୍ୟ ପ୍ରକଳ୍ପ ବିଫଳ ହୋଇଛି । ଜଙ୍ଗଲ ସଂପଦ ଉତ୍ପାଦନ ହ୍ରାସ ପାଇଛି ଓ ଜଙ୍ଗଲ ମାଫିଆ ତଥା କର୍ମଚାରୀଙ୍କ ଦ୍ୱାରା ମୂଲ୍ୟବାନ ଜଙ୍ଗଲ ସମ୍ପଦ ଆଖିବୁଜା ଲୁଟ୍ ହେଉଛି ଏବଂ ବହୁ ସଂଖ୍ୟାରେ ଜଙ୍ଗଲ ପ୍ରାଣୀ ଅକାଳ ମୃତ୍ୟୁ ବରଣ କରୁଛନ୍ତି । ପ୍ରତିବର୍ଷ ରାଜ୍ୟରେ ୭୦୦ରୁ ୯୦୦ ବର୍ଗ କି.ମି. ଆୟତନର ଜଙ୍ଗଲ ଧ୍ୱଂସ ପାଉଛି । ଏଥିରେ ଅବିଭାଜିତ କୋରାପୁଟ ଜିଲ୍ଲା ବହୁ ଆଗରେ ରହିଛି । ଉପକୂଳବର୍ତ୍ତୀ ଅଂଚଳରେ ଲୁଣା ଜଙ୍ଗଲ ସଂପୂର୍ଣ୍ଣ ରୂପେ ଧ୍ୱଂସ ପାଇ ସାରିଛି । ୧୯୯୯ ମହାବାତ୍ୟାରେ ୭୫ ଭାଗ ଲୁଣା ଜଙ୍ଗଲ ଧ୍ୱଂସ ପାଇଥିଲା । ଡ଼େରାଡ଼ୁନଠାରେ ଥିବା ଭାରତୀୟ ବନ ସର୍ଭେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ ଆଗାମୀ ୨୦ବର୍ଷ ମଧ୍ୟରେ ଓଡ଼ିଶାର ସବୁତକ ଜଙ୍ଗଲ ଧ୍ୱଂସ ପାଇଯିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି । ୧୯୮୧ ମସିହାରେ ରାଜ୍ୟରେ ପ୍ରାୟ ୫୯୯୬୩ ବର୍ଗ କିଲୋମିଟର ଅଂଚଳ ଜଙ୍ଗଲ ପରିବେଷ୍ଟିତ ଥିଲା । ସେତେବେଳେ ଏହା ରାଜ୍ୟର ଭୌଗୋଳିକ ପରିସୀମାର ୩୮ ଭାଗ ଥିବାବେଳେ ଭାରତ ବର୍ଷର ମୋଟ ଜଙ୍ଗଲ ପରିମାଣର ୮ଭାଗ ଥିଲା । ହେଲେ୧୯୯୭ ସୁଦ୍ଧା ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ଜଙ୍ଗଲ ପରିମାଣ ୫୮୧୩୫.୪୭ ବର୍ଗ କି.ମି.କୁ ଖସି ଆସିଥିଲା । ଏଥିମଧ୍ୟରେ ଚିହ୍ନଟ ସଂରକ୍ଷିତ ଜଙ୍ଗଲ, ଅଣ ଚିହ୍ନଟ ଜଙ୍ଗଲ, ଅଣ ଶ୍ରେଣୀଭୁକ୍ତ ଏବଂ ଅନ୍ୟାନ୍ୟ ଜଙ୍ଗଲ ପରିଣାମ ଯଥାକ୍ରମେ ୨୬୨୩୯.୧୬ବର୍ଗ କି.ମି., ୧୧୬୮୫.୬୮ ବର୍ଗ କି.ମି., ୩୮୩୮.୭୮ ବର୍ଗ କି.ମି. ଓ୧୬୨୬୧.୩୪ ବର୍ଗ କି.ମି. ରହିଥିଲା । ବର୍ତ୍ତମାନ ରାଜ୍ୟରେ ପ୍ରାୟ ୪୫ ହଜାର ବର୍ଗ କି.ମି. ଜଙ୍ଗଲ ରହିଥିବା କୁହାଯାଉଛି । ମାତ୍ର ଜଙ୍ଗଲ ପରିମାଣକୁ ନେଇ ବିଭିନ୍ନ ସମୟରେ ଭାରତୀୟ ବନ ସଂରକ୍ଷଣ ସଂସ୍ଥାର ରିପୋର୍ଟ ଓ ରାଜ୍ୟ ସରକାରଙ୍କ ରିପୋର୍ଟରେ ତାରତମ୍ୟ ରହୁଛି । ବାସ୍ତବତା ଦେଖାଗଲେ, ବର୍ତମାନ ଓଡ଼ିଶାରେ ୩୦ହଜାର ବର୍ଗ କି.ମି. ଜଙ୍ଗଲ ଥିବାନେଇ ସନ୍ଦେହ ରହିଛି । ୧୯୬୨ ମସିହାରେ ୭ଟି ଆଫୋର୍ଷ୍ଟେସନ୍ ଡ଼ିଭିଜନ୍ ଖୋଲାଯାଇଥିଲା । ଏହାରି ମାଧ୍ୟମରେ ଜଙ୍ଗଲ ଧ୍ୱଂସକୁ ରୋକିବା ସହ ଜଙ୍ଗଲ ପୁନରୁଦ୍ଧାର ହୋଇ ପାରିବ ବୋଲି ଲକ୍ଷ୍ୟ ରଖାଗଲା । କିନ୍ତୁ ଜଙ୍ଗଲ ଧ୍ୱଂସ ଅବ୍ୟାହତ ରହିଲା । ୧୯୭୩ରେ ରାଜ୍ୟ ସରକାର କେନ୍ଦୁପତ୍ରକୁ ସ୍ୱତନ୍ତ୍ର ବିଭାଗରେ ପରିଣତ କଲେ ଓ ଏଥିପାଇଁ ରାଜ୍ୟରେ ୧୨ଟି ଡ଼ିଭିଜନ୍ ଖୋଲାଗଲା । ଜଙ୍ଗଲ ବିଭାଗକୁ ଭାଗଭାଗ କରାଯାଇ ଅଧିକରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବା ସତ୍ୱେ ମଧ୍ୟ ଜଙ୍ଗଲ ଧ୍ୱଂସ ଅବ୍ୟାହତ ରହିଲା । କ୍ରମେ ରାଜ୍ୟବାସୀଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଲା । ପରିବେଶ ପ୍ରଦୂଷିତ ହେବାରେ ଲାଗିଲା । ବର୍ଷକୁ ବର୍ଷ ତାପମାତ୍ରା ବଢିଲା । ଭବିଷ୍ୟତରେ ଭୟାବହତାର ଆଶଙ୍କା କରାଗଲା । ଆଉ ରାଜ୍ୟ ସରକାର ଜଙ୍ଗଲ ସୁରକ୍ଷା ନିମନ୍ତେ କୌଣସି ସନ୍ତୋଷ ଜନକ ପଦକ୍ଷେପ ନେଇ ପାରୁ ନଥିବାବେଳେ ୧୯୮୪ରେ ସୁଇଡ଼େନ୍ ସରକାର ଓଡ଼ଶାରେ ଆରମ୍ଭ କଲା, “ସାମାଜିକ ବନ୍ୟ ପ୍ରକଳ୍ପ” କାର୍ଯ୍ୟକ୍ରମ । ମାତ୍ର ଏସବୁ ସତ୍ତ୍ୱେ ଆଜି ରାଜ୍ୟ ସରକାର ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିବାରେ ବିଫଳ ହୋଇଛନ୍ତି । ଭିତରକନିକା ପ୍ରାଣୀ ଅଭୟାରଣ୍ୟ, ସାମୁଦ୍ରିକ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ପରିଚାଳନାରେ ବ୍ୟାପକ ତୃଟି ରହୁଥିବାରୁ କୂମ୍ଭୀର, ଅଲିଭ୍ ରିଡଲେ କଇଁଛ, ବିଦେଶୀ ପକ୍ଷୀ, ବାର୍ହା ଓ ଧଳା ହରିଣ ଆଦି ଜୀବଜନ୍ତୁ ତଥା ସରୀସୃପ ଅସୁରକ୍ଷା ବଳୟ ଭିତରେ ରହୁଛନ୍ତି । କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ବାଧା ସୃଷ୍ଟି ଯୋଗୁ କ୍ରମେ ଏଠାକୁ ଆସୁଥିବା କଇଁଛଙ୍କ ସଂଖ୍ୟା ହ୍ରାସ ପାଉଛି । ଜଙ୍ଗଲ ସୁରକ୍ଷା ଓ କୁତ୍ରିମ ଜଙ୍ଗଲ ସୃଷ୍ଟି ପାଇଁ ସରକାର ଅନେକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଉଛନ୍ତି । ଏପଟେ କେତେକ କାର୍ଯ୍ୟକ୍ରମ ଖାତାପତ୍ର ବା ଘୋଷଣାରେ ସୀମିତ ରହିଥିବାବେଳେ ଆଉ କେତେକ କାର୍ଯ୍ୟକାରୀତାରେ ଅନିୟମିତତା ରହିଛି । ତେଣୁ ସରକାର ଆନ୍ତରିକତାର ସହ ଏଥିପ୍ରତି ଦୃଷ୍ଟି ଦେବା ଉଚିତ ।