ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ରୁପ୍ରାରୋଡ ଦେବସର ଧାମ ଦୁର୍ଗା ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଚାଲିଛି । ମଙ୍ଗଳବାର ଏହି ମହୋତ୍ସବର ତୃତୀୟ ଦିବସ ହୋଇଥିବାବେଳେ ଛପନ ପ୍ରହର ଅଖଣ୍ଡ ନାମ ଯଜ୍ଞର ଦ୍ବିତୀୟ ଦିବସ ଥିଲା । ଦିନ ତମାମ ଶ୍ରଦ୍ଧାଳୁମାନେ ଦେବସର ଧାମ ପରିକ୍ରମା କରିବା ସହ ପ୍ରହରି ମଣ୍ଡପରେ ନାମ ଯଜ୍ଞ ଦେଖିଥିଲେ । ତେବେ ସନ୍ଧ୍ୟା ପରେ ଅଧିକ ଜନସମାଗମ ଦେଖିବାକୁ ମିଳିଥିଲା । ଛପନ ପ୍ରହର ନାମ ଯଜ୍ଞ ଦେଖିବା ସହ ମିନାବଜାରର ମଜା ନେଇଥିଲେ ଲୋକେ । ଆଜି (ବୁଧବାର) ଦୁର୍ଗା ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଚତୁର୍ଥ ଦିବସ । ଆଜି ମଧ୍ୟ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ଜନସମାଗମ ହେବ ବୋଲି ଆକଳନ କରାଯାଉଛି । ଏହି ମହୋତ୍ସବ ଅପ୍ରେଲ ୨୪ ପର୍ଯ୍ୟନ୍ତ ଚାଲିବ । ଅନ୍ୟପକ୍ଷରେ ଶାନ୍ତିଶୃଙ୍ଖଳା ବଜାୟ ରଖି ସମସ୍ତେ ନାମ ଯଜ୍ଞ ଦେଖିବା ସହ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବର ପ୍ରତ୍ୟେକ କାର୍ଯ୍ୟକ୍ରମରେ ସାମିଲ ହୋଇ ଦୈବୀ କୃପା ଲାଭ କରିବାକୁ ନିବେଦନ କରିଛନ୍ତି ଦେବସର ଧାମ ଟ୍ରଷ୍ଟ ବୋର୍ଡ ଏବଂ ରୁପ୍ରାରୋଡର ବରିଷ୍ଠ ନାଗରିକ ମଣ୍ଡଳୀ ।





