ଓଡ଼ିଆ କୋଚ୍ ତପନ ଗଉଡ଼ଙ୍କ କମାଲ: କରାଟରେ ୧ ସ୍ବର୍ଣ୍ଣ, ୩ ରୌପ୍ୟ, ୩ ବ୍ରୋଞ୍ଚ ମେଡାଲ ହାସଲ କଲେ ଶିକ୍ଷାର୍ଥୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଗ୍ରାମର ଉଦୀୟମାନ ଯୁବ ପ୍ରତିଭା ତଥା ଖ୍ୟାତିସମ୍ପନ୍ନ କରାଟେ କୋଚ୍ ତପନ ଗଉଡ ଗୁଜରାଟରେ ପୁଣି ଥରେ ନିଜର ଜଲଓ୍ବା ଦେଖାଇଛନ୍ତି । ଜାମନଗରର ଲାୟନ୍ସ କରାଟେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ‘ଚତୁର୍ଥ ଗୁଜରାଟ ରାଜ୍ୟ ଭର୍ସାଟାଇଲ କରାଟେ ପ୍ରତିଯୋଗିତା’ରେ ତପନଙ୍କ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଜଣେ ଗୋଲ୍ଡ ମେଡାଲ ହାସଲ କରିଥିବାବେଳେ ୩ ଜଣ ସିଲଭର ଓ ୩ଜଣ ବ୍ରୋଞ୍ଚ ମେଡାଲ ପାଇଛନ୍ତି । ୨୦୨୨ରେ ‘ମାର୍ସାଲ ଆର୍ଟସ ଗଟ୍ ଟେଲେଣ୍ଟ ଓ୍ବାର୍ଲ୍ଡ ଚାମ୍ପିୟନ’ ହୋଇ ଓଡିଶା ତଥା ଦେଶ ପାଇଁ ଗୈାରବ ଆଣି ଆସିଥିଲେ ତପନ । ସେ ବର୍ତ୍ତମାନ ରାଜକୋଟରେ ଅବସ୍ଥାନ କରୁଥିବା ବେଳେ ଜଣେ ଦକ୍ଷ କରାଟେ କୋଚ୍ ଭାବେ ସାରା ଗୁଜୁରଟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଚତୁର୍ଥ ଗୁଜରାଟ ରାଜ୍ୟ ଭର୍ସାଟାଇଲ କରାଟେ ପ୍ରତିଯୋଗିତାରେ ତପନ ଶିକ୍ଷାଦାନ କରୁଥିବା ଇନୋଭେଟିଭ୍ ଇଣ୍ଟରନେସନାଲ୍ ସ୍କୁଲ, ଭିଜନ ଇଣ୍ଡୋ ସ୍ପୋର୍ଟସ ଏକାଡେମୀ ଓ ଏମଏସବି ସ୍କୁଲର ଶିକ୍ଷାର୍ଥୀମାନେ ଅଦ୍ଭୁତପୂର୍ବ ସଫଳତା ପାଇଛନ୍ତି । ତେଣୁ ଟୁର୍ଣ୍ଣାମେଣ୍ଟର ଆୟୋଜକ ତଥା ଲାୟନ୍ସ କରାଟେ କ୍ଲବ ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ନିତେଶ ମଖଓ୍ବାନ, କିଓ ଟୁର୍ଣ୍ଣାମେଣ୍ଟ କମିଶନ ସଦସ୍ୟ ବୀର ଚୌହାନ ଏବଂ କମନ ଓ୍ବେଲ୍ଥ କରାଟେ ଫେଡେରେସନ ଉପାଧ୍ୟକ୍ଷ ଭାରତ ଶର୍ମା କୋଚ୍ ତପନ ଗଉଡ଼ଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିବାସହ ଭୂୟସୀ ପ୍ରଶଂସା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.