୪ବର୍ଷ ହେଲା ଶେଷ ହେଉନି କୈଳାସକୋଟା ଘାଟିର ଜାତୀୟ ରାଜପଥ
୨ମାସ ହେଲା କୈଳାସକୋଟା ଘାଟିରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ବନ୍ଦ
ରାୟଗଡ,୮/୫ : ରାୟଗଡ ଜିଲ୍ଳା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର କୈଳାସକୋଟା ଘାଟିରେ ହେଉଥିବା ମନ୍ଥର ଗତିର ରାସ୍ତା ନିର୍ମାଣ କାର୍ଯ୍ୟ କାଳ ସାଜିଛି ସମସ୍ତଙ୍କ ପାଇଁ । ଦୀର୍ଘ ୨ମାସ ଧରି ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଡି ଚାଳକମାନେ । ଏପରିିକି ଅନେକ ସମୟରେ ସଡକ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଠିକାଦାରୀ ସଂସ୍ଥାର କାର୍ଯ୍ୟ ନିର୍ମାଣ ମନ୍ଥର ଗତିକୁ ନେଇ ଜାତୀୟ ରାଜପଥ ବିଭାଗ ଅଧୀକାରୀମାନେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁ ନ ଥିବା ବେଳେ ଏହି ରାସ୍ତାରେ ଯାତାୟାତ କରୁଥିବା ସମସ୍ତେ ନାହିଁନଥିବା ଅବସ୍ଥା ଭୋଗୁଛନ୍ତି ।
ପ୍ରକାଶ ଥାଉ କି ଅମ୍ଳାଭଟ୍ଟା ଛକ ଠାରୁ ତାଣ୍ଡିକୋଣା ଛକ ପର୍ଯ୍ୟନ୍ତ ନିର୍ମାଣଧୀନ ଏହି ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟାରମ୍ଭ ଗତ ୨୦୧୫ ସେପ୍ଟେମ୍ବର ୯ତାରିଖରେ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା ଏବଂ ନଭେମ୍ବର ୨ତାରିଖରେ କାର୍ଯ୍ୟାଦେଶ ପାଟିଲ କନଷ୍ଟ୍ରକ୍ସସନ୍ ନାମକ ଏକ ଠିକା କମ୍ପାନୀକୁ ପ୍ରଦାନ କରାଯାଇଥିଲା । ତେବେ ମୂଳ ସମୟ ପରେ ବର୍ଦ୍ଧିତ ୬ମାସ ସମୟ ଅର୍ଥାତ୍ ୨୦୧୮ ମେ ୩୧ତାରିଖରେ ଶେଷ ହୋଇ ଯାଇଥିଲେ ମଧ୍ୟ ରାସ୍ତାର ପ୍ରାୟ ବର୍ତମାନ ସୁଦ୍ଧା ୫୦ଭାଗ କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ ।
ବର୍ତମାନ ଏହି ଠିକା କମ୍ପାନୀ ଏବେ ଆଉ ଏକ ସବ୍-କଂଟ୍ରାକ୍ଟରକୁ କାର୍ଯ୍ୟ ଦେଇ ଏଠାରୁ ସେ ଚାଲିଯାଇଛି । ତେବେ ଦୀର୍ଘ ୪ବର୍ଷ ହେବ କୈଳାସକୋଟା ଘାଟିରେ ଏହି ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ ହେବାର ନାଁ ଧରୁନି । ଅପରପକ୍ଷେ ଗତ ୨ମାସ ପୂର୍ବରୁ ଏନ.ଏଚ. ବିଭାଗ ପକ୍ଷରୁ ସମସ୍ତ ବିଲପତ୍ର ଠିକ୍ ସମୟରେ ପ୍ରଦାନ କରାଯାଉଥିବା ବେଳେ ଗତ ୨ମାସ ହେବ ବିଲ ବାବଦକୁ ଟଙ୍କା ଜମା କରାଯାଉ ନ ଥିବାରୁ ମେସିନ ଅପରେଟର ଠାର ଆରମ୍ଭ କରି ଶ୍ରମିକମାନଙ୍କୁ ତାଙ୍କର ମଜୁରୀ ପ୍ରଦାନ କରିବା ପାଇଁ ବିଳମ୍ବ ହେବାରୁ ସେମାନେ ଚାଲିଯାଇଥିବାରୁ କାମ ଅଧାରେ ବନ୍ଦ ରହିଥିବା ଜଣାପଡିଛି ।
ଅମ୍ଳାଭଟ୍ଟା ଠାରୁ ତାଣ୍ଡିକୋଣା ଛକ ପର୍ଯ୍ୟନ୍ତ ସଂପୂର୍ଣ୍ଣ ରାସ୍ତାଟିର ଲମ୍ବ ୨୯.୭୫କି.ମି.ରହିଥିବା ବେଳେ ୭୯.୫୯୮କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ସେହିପରି କୈଳାସପୁର ଘାଟି ଅଂଚଳରେ ବର୍ତମାନ ୫.୫୦କି.ମି.ରାସ୍ତାର କାର୍ଯ୍ୟ ଚାଲୁ ରହିଛି । ବର୍ତମାନ ଘାଟିରେ ୧୦ ରୁ ୧୫ଟି କଲଭର୍ଟ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବେ ରହିଥିବାରୁ ଓସାରିଆ ରାସ୍ତା ସଂକୀର୍ଣ୍ଣ ହୋଇଯାଇଥିବା ବେଳେ ଦୀର୍ଘ ୫ କିଲୋମିଟର କୈଳାସକୋଟା ଘାଟିରେ ରାସ୍ତା ପ୍ରଶସ୍ତ ପାଇଁ ପାହାଡକୁ ଖୋଳା ଯାଇଥିବାରୁ ପାହାଡରୁ ପଥର ଓ ମାଟି ଅତଡା ଖସି ଅନେକ ସମୟରେ ରାସ୍ତା ଜାମ୍ ଭଳି ଟ୍ରାଫିକ ସମସ୍ୟା ଓ ସଡକ ଦୁର୍ଘଟଣା ଘଟୁଥିବାର ନଜିର ରହିଛି ।
ରାସ୍ତା ପାଶ୍ୱର୍ର ମାଟି ଅତଡା ଓ ବଡ ବଡ ପଥରଗୁଡିକ ରାସ୍ତା ମଝିରେ ପଡି ରହିଥିବାରୁ ଯାତାୟାତରେ ଅସୁବିଧା ଉପୁଜୁଛି । ଆଗକୁ ବର୍ଷା ଦିନ ଆସୁଥିବା ବେଳେ ରାସ୍ତାର ଏଭଳି ସ୍ଥିତି ଯୋଗୁଁ ନିଜର ଗୁଜୁରାଣ ମେଂଟାଇବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଅଧିବାସୀ ଓ ନିୟମିତ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ହଜାର ହଜାର ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିବ ।
ଜାଣିଶୁଣି ୩୨୬ନମ୍ବର ଜାତୀୟ ରାଜପଥର ତଦାରଖ କରୁଥିବା ବିଭାଗୀୟ ଅଧୀକାରୀମାନେ ଚୁପ ରହୁଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ନିତ କରିବା ପାଇଁ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ନେଇ କେହି ହେଲେ କର୍ଣ୍ଣପାତ କରୁନାହାନ୍ତି । ଯାହାଫଳରେ ରାସ୍ତାର ସ୍ଥାୟୀତ୍ୱ ଓ ଗୁଣାତ୍ମକ ମାନ ନେଇ ଆଶଙ୍କାରେ ଅଂଚଳବାସୀ ଏବଂ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ଯାତ୍ରୀବାହୀ ଗାଡି ଚାଳକ ମାଲିକମାନେ । ଏହି ରାସ୍ତା ନିର୍ମାଣ କାମରେ ବିଭାଗୀୟ ଅଧିକାରୀ ଓ ଠିକାଦାରୀ କମ୍ପାନୀର ମଧୁଚନ୍ଦ୍ରିକାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଏ ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ଅଶୋକ ସାହୁଙ୍କ ମତାମତ ନେବାରୁ ୨ମାସ ହେବ କାର୍ଯ୍ୟ ବନ୍ଦ ରହିଥିବା ବିଷୟକୁ ସେ ସ୍ୱୀକାର କରିଥିବା ବେଳେ ନିର୍ବାଚନ ସମୟର ଆଳ ଦେଖାଇ ନିଜ ମୁଣ୍ଡରୁ ଅଠା ଛଡାଇ ଦେଇଛନ୍ତି । ସେହିପରି ସବ୍ କଂଟ୍ରାକ୍ଟରଙ୍କ ଜଣେ ଇଂଜିନୟରଙ୍କୁ ପଚାରିବରୁ ସେ ବିଭାଗ ପକ୍ଷରୁ ବିଲପତ୍ର ପାସ କରିବାରେ ବିଳମ୍ବ କରାଯାଉଥିବାରୁ ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନରେ ବିଳମ୍ବତା ହେବା ଯୋଗୁଁ ସେମାନେ କାମ ଛାଡି ଚାଲିଯାଇଥିବା ବେଳେ ବର୍ତମାନ ବିଭାଗୀୟ ପକ୍ଷରୁ ବକେୟା ଟଙ୍କା ପ୍ରଦାନ କରାଯାଇଛି ଓ ଆଗାମୀ ୩/୪ ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ପୁନଃ ଆରମ୍ଭ ହେବ ବୋଲି ଜଣାଇଛନ୍ତି ।
ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇