ଗଛକାଟି ରାସ୍ତା ଅବରୋଧ ସହ ବ୍ୟାନର ମାରିଲେ ମାଓବାଦୀ

ଜଳ, ଜମି, ଜଙ୍ଗଲ ଉପରେ ଅଧିକାର ଦାବି: ସିପିଆଇ ମାଓ ସଂଗଠନ ପକ୍ଷରୁ ରାୟଗଡା ଜିଲ୍ଳା ବନ୍ଦ ଡାକାରା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସିପିଆଇ (ମାଓବାଦୀ) ସଂଗଠନ ନିଜ ୧୨ଗୋଟି ଦାବି ନେଇ ଚଳିତ ମାସ ମେ’୮ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଅଧିକାର ଅଭିଯାନ ଓ ମେ’୧୫ତାରିଖରେ କନ୍ଧମାଳ, କଳାହାଣ୍ଡି, ରାୟଗଡା, ବୈାଦ୍ଧ, ଗଜପତି, ନୟାଗଡ ଓ ଗଂଜାମ ଭଳି ୭ଟି ଜିଲ୍ଳାରେ ୨୪ଘଂଟିଆ ବନ୍ଦ ଡାକାରା ଦେଇଥିଲା । ଯାହାକୁ ନେଇ ସିପିଆଇ (ମାଓବାଦୀ) ଓଡିଶା ରାଜ୍ୟ କମିଟି ପ୍ରବକ୍ତା ଚକରା ବିଶୋଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଅଡିଓ ବାର୍ତା ଜାରି କରିଥିଲେ । ଆଜି ରାୟଗଡା ଜିଲ୍ଳା ଚନ୍ଦ୍ରପୁର ବ୍ଳକ ହନୁମନ୍ତପୁର ନିକଟସ୍ଥ ପାଙ୍କାଲଗୁଡି ଠାରେ ରାଜ୍ୟ ସଡକପଥରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି ମାଓବାଦୀମାନେ । ଫଳରେ ଚନ୍ଦ୍ରପୁରକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ମାଓବାଦୀଙ୍କ ପକ୍ଷରୁ ବିଭିନ୍ନ ଦାବି ସମୂହ ପୋଷ୍ଟର ଓ ବ୍ୟାନର ଛଡାଯାଇଥିଲା । ଏହି ବନ୍ଦ ଡାକରା ପୂର୍ବରୁ ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଏକ ଅଡିସ ଟ୍ୟାପ୍ ଜାରି କରାଯାଇଥିଲା । ଯେଉଁଥିରେ ରାଜ୍ୟର ସମସ୍ତ ଆଦିବାସୀ ଦଳିତ ଚାଷୀମୂଲିଆ ଗରୀବ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ବିଜୁ ପକ୍କାଘର ଯୋଜନା ମାଧ୍ୟମରେ ଆସନ୍ତା ୬ମାସ ମଧ୍ୟରେ ଗୃହ ଯୋଗାଇବା, ପିଡିଏସ ବଂଟନ ବ୍ୟବସ୍ଥାରେ ଚାଉଳ ସମେତ ଡାଲି, ତେଲ, ଲୁଣ ମାଗଣାରେ ଯୋଗାଇବା, ଦରଦାମ ବୃଦ୍ଧିକୁ ତୁରନ୍ତ ନିୟନ୍ତ୍ରଣ କରିବା, ସବୁ ଗାଁକୁ ସବୁଦିନିଆ ପକ୍କା ରାସ୍ତା, ସ୍ୱଚ୍ଛ ପିଇବା ପାଣି, ବିଦ୍ୟୁତ ସଂଯୋଗ ଓ ସମସ୍ତ ପରିବାରଙ୍କୁ ମାଗଣାରେ ୧୦୦ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଇବା,ସବୁ ପଂଚାୟତରେ ଗୋଟିଏ ଲେଖାଁଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲି ଅଭିଞ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତ କରିବା,ପ୍ରତି ପଂଚାୟତରେ ଗୋଟିଏ ଆଦର୍ଶ ବିଦ୍ୟାଳୟ ଖୋଲିବା ସହ ପିଲା ଅଭାବ ଦର୍ଶାଇ ବନ୍ଦ କରାଯାଇଥିବା ସ୍କୁଲଗୁଡିକୁ ପୁନଃ ଖୋଲିବା, ଆବଶ୍ୟକ ଶିକ୍ଷକଙ୍କୁ ନିଯୁକ୍ତ ଦେବା ଓ ଖାଲିଥିବା ପଦବୀ ପୂରଣ କରିବା, ଆଦିବାସୀ ଦଳିତ ଛାତ୍ରଛାତ୍ରୀଙ୍କୁ ମାସିକ ତିନି ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରିବା,ସମସ୍ତ ଗରୀବ ଆଦିବାସୀ ଦଳିତଙ୍କୁ ନିଶ୍ଚିତ ଉଚ୍ଚଶିକ୍ଷା ଯୋଗାଇବା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ବିଧବା ଭତା ମାସିକ ତିନି ହଜାର ପ୍ରଦାନ କରିବା ସହ ବ୍ୟାଙ୍କ ବଦଳରେ ସିଧାସଳଖ ପଂଚାୟତ ଠାରେ ହିତାଧିକାରୀଙ୍କ ହାତକୁ ଭତା ଟଙ୍କା ପ୍ରଦାନ କରିବା, ସିଡ୍ୟୁଲ୍‌-୫ ଅଂଚଳରେ ପେଶା ଆଇନକୁ ଯଥାଶୀଘ୍ର ଲାଗୁ କରିବା, ପ୍ରତି ଆଦିବାସୀ ଦଳିତ ଓ ଅନ୍ୟ ପାରିମ୍ପରିକ ବନବାସୀଙ୍କୁ ୧୫ଏକର ଲେଖାଁଏ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା, ମଦ ବିକ୍ରି ତୁରନ୍ତ ବନ୍ଦ କରିବା, ଠକି କରି ତଥା ହଡପ କରି ନେଇଯାଇଥିବା ଆଦିବାସୀଙ୍କ ଜମିକୁ ତୁରନ୍ତ ଫେରାଇବା, ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବିକାଶ ପାଇଁ ବିଶେଷ ଯୋଜନା କରି ଅଧିକ ଅର୍ଥ ଆବଂଟନ କରିବା,ପ୍ରତି ବେକାରୀଙ୍କୁ ରୋଜଗାର ଯୋଗାଇବା ସହ ଦାଦନ ସମସ୍ୟା ରୋକିବା ଏବଂ ବେକାରୀ ଭତା ବାବଦକୁ ମାସିକ ୩ହଜାର ଟଙ୍କା ପ୍ରଦାନ କରିବା, ମନେରଗା ଯୋଜନାରେ ବାର୍ଷିକ ଦୁଇ ଶହ ଦିନର କାମ ଯୋଗାଇବା, ଦୈନିକ ମଜୁରୀ ଛଅ ଶହ ଟଙ୍କା ପ୍ରଦାନ କରିବା, ଶିଆଳି ଓ କେନ୍ଦୁପତ୍ର ଆଦି ଜଙ୍ଗଲଜାତ ଦ୍ରବ୍ୟ ଉପରୁ ଜିଏସଟି ନେବା ବନ୍ଦ କରିବା,ଜଙ୍ଗଲଜାତ ଦ୍ରବ୍ୟର ଉପଯୁକ୍ତ ଦାମ ଦେବା, ଫସଲର ସହାୟକ ମୂଲ୍ୟ ବୃଦ୍ଧି କରିବା ସହ ଚାଷୀଙ୍କୁ ପେନସନ୍ ଦେବା,ଚାଷୀ ଋଣ ଛାଡ କରିବା, ସବସିଡି ବୃଦ୍ଧି କରିବା, ପ୍ରତି ବ୍ଳକରେ ଗୋଟିଏ ଲେଖାଁଏ ଶୀତଳ ଭଣ୍ଡାର ଖୋଲିବା, ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ପ୍ରଦାନ କରିବା ଓ ସାହୁକାରୀ ଶୋଷଣ ବନ୍ଦ କରିବା ସହ ବିସ୍ଥାପନ ବନ୍ଦ କରି ବକ୍ସାଇଟ, କୋଇଲା ଭଳି ଅନ୍ୟ ଖଣିଜ ପଦାର୍ଥ ଖନନ ପାଇଁ ଏବଂ କାରଖାନା,ନଦୀବନ୍ଧ ନିର୍ମାଣ ପାଇଁ ବେଦାନ୍ତ, ବିର୍ଲା ଓ ଆଦାନୀ ଭଳି ଡଜନରୁ ଅଧିକ ବହୁ ଦେଶୀୟ ଲୁଟେରା କମ୍ପାନୀକୁ ଦିଆଯାଇଥିବା ଲିଜକୁ ବାତିଲ କରିବା,ଖଣିଭିତିକ ଶିଳ୍ପ ବଦଳରେ ଜଙ୍ଗଲଜାତ ଦ୍ରବ୍ୟର ପ୍ରକ୍ରିୟାକରଣ କରିବା ସହ କୃଷି ଅନୁବନ୍ଧିତ ଶିଳ୍ପ ପ୍ରତିଷ୍ଠା କରିବା, ଜଳ, ଜମି, ଜଙ୍ଗଲ ଉପରେ ଅଧିକାର ଦେବା,ସହରୀକରଣ ନାମରେ ବସ୍ତିବାସିନ୍ଦାକୁ ବିସ୍ଥାପିତ କରିବା ବନ୍ଦ କରିବା ଓ ଅଙ୍ଗନବାଡି କର୍ମୀ, ଆଶା ଦିଦି ଓ ଶିକ୍ଷକଙ୍କ ଦାବିକୁ ସରକାର ତୁରନ୍ତ ମାନିନେବା ଭଳି ୧୨ଦଫା ଦାବି ମାଓ ସଂଗଠନ ପକ୍ଷରୁ କରାଯାଇଛି ।

ତେବେ ମାଓବାଦୀଙ୍କ ବନ୍ଦ ଡାକାରକୁ ନେଇ ଜିଲ୍ଳାରେ ସରକାରୀ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଜିଲ୍ଳା ପୋଲିସ, ବିଏସଏଫ, ସିଆରପିଏଫ, ଡିଭିଏଫ, ଏସଓଜି ଭଳି ସୁରକ୍ଷା ବାହିନୀ ତରଫରୁ ଜିଲ୍ଳାର ସମସ୍ତ ସୀମାନ୍ତବର୍ତୀ ଅଂଚଳରେ ଏବଂ ମୁଖ୍ୟ ସମ୍ବେଦନଶୀଳ ଅଂଚଳଗୁଡିକରେ ଜୋରଦାର କୁମ୍ଭିଂ ଅପରେସନ୍ ସହ ଯାଂଚ କଡାକଡି କରାଯାଇ ଜିଲ୍ଳାବାସୀଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.