ଜନ୍ମମାଟି ଦେବଗିରି-ବୁଢିପଦରରେ ଓ୍ବାର୍ଲ୍ଡ ଚାମ୍ପିୟନ ତପନ ଗଉଡ଼ଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦେବଗିରି-ବୁଢିପଦରରେ ଆଜି ଉତ୍ସବର ମାହୋଲ । ଗାଁକୁ ଫେରି ଆସିଛି ଗାଁର ପୁଅ ତପନ, କିନ୍ତୁ ଆଣି ଆସିଛି ଆନ୍ତର୍ଜାତୀୟ ସ୍ତରର ସଫଳତା । ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କରାଟେ ଖେଳାଳି ତଥା ମାର୍ଶାଲ ଆର୍ଟ୍ସ ଗଟ୍ ଟେଲେଣ୍ଟ ଓ୍ବାର୍ଲ୍ଡ ଚାମ୍ପିୟନ-୨୦୨୨ ତପନ ଗଉଡ଼ ଆଜି ଗୁଜରାଟର ରାଜକୋଟରୁ ନିଜ ଗାଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦରକୁ କିଛି ଦିନ ପାଇଁ ଆସିଛନ୍ତି । ତାଙ୍କ ସହ ଅଛନ୍ତି ଗୁଜରାଟର ସୁନାମଧନ୍ୟ କମ୍ପାନୀ ଏମବିସିର ମେନେଜିଙ୍ଗ ଡାଇରେକ୍ଟର ହରେଶ ଭାଇ ଏମ ଢୋକିଆ । ଆଜି ଏମାନେ କେସିଙ୍ଗାରେ ପହଞ୍ଚିବାପରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେଠାରୁ ସନ୍ଧ୍ୟା ୮ଟା ବୁଢିପଦର ଠାରେ ପହଞ୍ଚି ଗ୍ରାମ୍ୟ ପରିକ୍ରମା କରୁଛନ୍ତି । ଗ୍ରାମବାସୀମାନେ ବାଦ୍ୟନାଦର ସହ ତପନ ଓ ହରେଶ ଭାଇଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରୁଛନ୍ତି । ଗ୍ରାମବାସୀଙ୍କ ଆତିଥ୍ୟକୁ ଦେଖି ସେଠ୍ ହରେଶ ଭାଇ ଏମ ଢୋକିଆ ଆବିଭୂତ ହେବାସହ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ସଞ୍ଜୁ ଗଉଡ଼ ଓ ସ୍ବର୍ଗତ ଭୁରି ଗଉଡ଼ଙ୍କ ସୁପୁତ୍ର ୨୫ ବର୍ଷିୟ ତପନ ଗଉଡ଼ ୨୦୨୨ରେ ‘ମାର୍ସାଲ ଆର୍ଟସ ଗଟ୍ ଟେଲେଣ୍ଟ ଓ୍ବାର୍ଲ୍ଡ ଚାମ୍ପିୟନ’ ଓ ୨୦୨୩ରେ ଆଇଏମଏଏସ ଏସିଆନ୍ କରାଟେ ଚମ୍ପିୟନସିପରେ ରନର୍ସ ଅପ ହୋଇ ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି । ଜଣେ କରାଟେ କୋଚ୍ ଭାବରେ ମଧ୍ୟ ସେ ସୁନାମ ଅର୍ଜନ କରିଛନ୍ତି । ନିକଟରେ ତାଙ୍କର ଛାତ୍ରଛାତ୍ରୀମାନେ ଗୁଜରାଟ ଷ୍ଟେଟ କରାଟେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ସମେତ ୩ ରୌପ୍ୟ ଓ ୩ କାଂସ୍ୟ ପଦକ ହାସଲ କରିଛନ୍ତି । ତପନ ବର୍ତ୍ତମାନ ରାଜକୋଟର ଇନୋଭେଟିଭ୍ ଇଣ୍ଟରନେସନାଲ୍ କଲେଜ, ରାଜକୋଟ ଏମଏସବି ସ୍କୁଲ ସମେତ ଅନେକ ଶିକ୍ଷାନୁଷ୍ଠାନର କରାଟେ କୋଚ୍ ଭାବେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି । ତେବେ ସେଠ ହରିଶ ଭାଇ ଏମ ଢୋକିଆଙ୍କ ସହଯୋଗରେ ତପନ ଆଶି ସଫଳତା ପାଇଥିବାରୁ ବୁଢିପଦର ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.