ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୌଡ଼): ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆମ ଖଟି ସାହିତ୍ୟ ବୈଠକୀ, ରାୟଗଡ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଆଭାସୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର କୋଣ ଅନୁକୋଣରୁ ଯୁବ ପ୍ରତିଭାମାନଙ୍କୁ ନେଇ ଆୟୋଜିତ ଏଇ କବିତା ଆସର କାର୍ଯ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ସୁଶାନ୍ତ କୁମାର ନାୟକ ମୁଖ୍ୟ ଅତିଥି ଓ ସୁସାହିତ୍ୟିକ କବି ରବି ଶତପଥି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ବର ଆମ ସମୟର ଶୀର୍ଷକର ଏଇ କବିତା ଆସରରେ ଆମ ଖଟିର ଆବାହକ ତଥା କବି ଆଶୁତୋଷ ପାତ୍ର ପୌରୋହିତ୍ୟ କରିଥିବା ବେଳେ କବି ଶ୍ରୀଧର ପଟ୍ଟନାୟକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । କବି ହେଉ କି ଲେଖକ ପ୍ରଥମେ ଜଣେ ପାଠକ ହେବା ଆବଶ୍ୟକ। ପଢିବାର ଅଦମ୍ୟ ନିଶା ହିଁ ବାସ୍ତବରେ ସାହିତ୍ୟ ସେବା ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ । ରଞ୍ଜନ କୁମାର ମହାନ୍ତି, ଶ୍ରୀସିକ୍ତା ଶୁଭଦର୍ଶିନୀ, ରଶ୍ମିତା ବେହେରା, ସଂଗ୍ରାମ ମହାରଣା, ଧର୍ମରାଜ ମହାମଲ୍ଲିକ, ଶିବପ୍ରସାଦ ସାହୁ, ମନୀଷା ବିଶ୍ବାଳ, ରୂପେଶ ସାହୁ, ସୁନୀତା ସାହୁ, ସନ୍ତୋଷ କୁମାର ନାୟକ, ସାର୍ଥକ ପ୍ରସାଦ ସାହୁ ଓ କାଦମ୍ବିନୀ ବେଶ୍ରା ଆମନ୍ତ୍ରିତ କବି ଭାବରେ କବିତା ପାଠ କରିଥିବା ବେଳେ କବି ରବି ଶତପଥି କବିତାଗୁଡ଼ିକର ଯଥାଯଥ ସମୀକ୍ଷା କରିଥିଲେ । କବୟିତ୍ରୀ ତଥା ସୁପରିଚିତା ମଞ୍ଚ ସଞ୍ଚାଳିକା ବେବୀରାଣୀ ନନ୍ଦ କବିତା ସଂଯୋଜନା କରିଥିଲେ । କବୀ ସ୍ବପ୍ନାରାଣୀ ରଥ ପ୍ରାରମ୍ଭିକ ସଙ୍ଗୀତ ଓ କାର୍ଯ୍ୟକ୍ରମ ଶେଷରେ ସୁପ୍ରଭାତୀ କବୀ ଗାୟତ୍ରୀ ମିଶ୍ର ଆମ ଖଟିର ଫୁର୍ତ୍ତି ସଙ୍ଗୀତ ଗାନ କରି ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।
ଓଡିଶା ସଙ୍ଗୀତ ଏକାଡେମୀର ସଦସ୍ୟ ଡ଼ ନରେନ୍ଦ୍ର କୁମାର ମିଶ୍ର, ରତ୍ନଚିରା ପତ୍ରିକାର ସମ୍ପାଦିକା ସ୍ନେହଲତା ପୃଷ୍ଟି, କବି ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ପଚାଶରୁ ଊର୍ଦ୍ଧ୍ବ କବି କବୟିତ୍ରୀ ଏଥିରେ ଉପସ୍ଥିତ ରହି ଯୁବପ୍ରତିଭାଙ୍କୁ ଉତ୍ସାହିତ କରିଥିଲେ । ଶେଷରେ କବି ରୂପେଶ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।