ନୂଆ ସଂସଦର ଆବଶ୍ୟକତା ନ ଥିଲା, ସେଠାକୁ ଯିବା ବେକାର-ନୀତିଶ କୁମାର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସଂସଦ ଭବନ ଉଦଘାଟନ କରିବେ । ଏହାକୁ ନେଇ ରାଜନୀତି ତେଜୁଛି । କଂଗ୍ରେସ ସମେତ ୨୧ ରାଜନୈତିକ ଦଳ ଏହି ଉଦଘାଟନ ସମାରୋହକୁ ବୟକଟ କରିଛନ୍ତି । ବିରୋଧୀଙ୍କ ଦାବି ଯେ, ଦେଶର ସଂସଦ ଭବନ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦଘାଟିତ ହେବା ଉଚିତ । ଏହି ସମାରୋହକୁ ଦିଲ୍ଲୀ, ପଶ୍ଚିମବଙ୍ଗ ଓ ପଞ୍ଜାବ ସରକାର ବର୍ଜନ କରିଥିବାବଳେ ଏବେ ଏଥିରେ ସାମିଲ ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହି ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବୟାନ ଏହି ବିବାଦକୁ ଆହୁରି ଜୋର କରିଛି । ଏକ ବୟାନ ଦେଇ ନୀତିଶ କୁମାର କହିଛନ୍ତି, ନୂଆ ସଂସଦ ଭବନ ନିର୍ମାଣ କରିବାର ଆବଶ୍ୟକତା ହିଁ ନ ଥିଲା । ସେ କହିଛନ୍ତି, ଏ ସରକାର ପୁରୁଣା ଇତିହାସ ବଦଳାଇବାକୁ ଚାହୁଁଛନ୍ତି । ମିଡିଆକୁ ଏକ ବାର୍ତ୍ତା ଦେଇ ନୀତିଶ କୁମାର କହିଛନ୍ତି, ପ୍ରଥମରୁ ଯେତେବେଳେ ନୂଆ ସଂସଦ ଭବନ ନିର୍ମାଣ କଥା ଶୁଣିଲି ସେତେବେଳେ ବି ଭଲ ଲାଗି ନ ଥିଲା । ଏହା ଏକ ଇତିହାସ ଅଟେ । ସ୍ୱାଧୀନତା ମିଳିବା ପରେ ଯେଉଁ ଜିନିଷର ଯେଉଁଠି ଆରମ୍ଭ ହୋଇଥିଲା ପରବର୍ତ୍ତୀ ସମୟରେ ସେହିଠାରେ  ହିଁ ତାହାର ବିକାଶ କରାଗଲା । ତେଣୁ ପୁରୁଣା ସଂସଦ ଭବନର ବି ଠିକ ସେମିତି କରାଯିବାର ଥିଲା । ତେଣୁ ସେ ଏହାକୁ ବିରୋଧ କରୁଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି । ସେ ଆହୁରି କହିଛନ୍ତି, ଯେଉଁ ଲୋକସବୁ ଇତିହାସ ବଦଳାଇବାକୁ ଚାହୁଁଛନ୍ତି  ସେଠାକୁ ଯିବାର କିଛି ଅର୍ଥ ନାହିଁ । ସେଠାକୁ ଯିବା ବେକାର ଅଟେ । ସେ ଆହୁରି କହିଛନ୍ତି, ଏ ସରକାର ଚାହୁଁଛି, ସବୁ ଇତିହାସକୁ ବଦଳାଇ ଦେବେ । ସ୍ୱାଧୀନତା ସଂଗ୍ରାମକୁ ବି ଦଦଳାଇ ଦେବେ । ଦେଶର ଯେଉଁ ଇତିହାସ ରହିଛି ତାହାର ଆବଶ୍ୟକତା ବହୁତ ରହିଛି । ନୂଆ ତିଆରି କରିବାର କ’ଣ ଆବଶ୍ୟକତା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.