ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଅମ୍ଳାନ ଗୌରବ କୁମାର ଓ ଆୟୁଷ ଅଂଶୁମାନ ଦୁଇ ଭାଇ । ଅମ୍ଳାନ +୩ ବିଜ୍ଞାନ ପଢା ସରିଥିବା ବେଳେ ଆୟୁଷ ଦ୍ଵାଦଶ ବିଜ୍ଞାନ ପଢ଼ା ସରିଛି । ଉଭୟଙ୍କ ପଢା ସହିତ ଲୁକ୍କାୟିତ ଭାବରେ ଚିତ୍ର ପ୍ରତି ଥିଲା ଅହେତୁକ ଦୁର୍ବଳତା । ଅମ୍ଳାନ ପେନସିଲ୍ ଆର୍ଟରେ ସିଦ୍ଧହସ୍ତ ଥିବା ବେଳେ ଭାଇ ଆୟୁଷ ଡ଼ଟ୍ ପେନରେ ସ୍କ୍ରିବଲିଙ୍ଗ ଆର୍ଟରେ ମାହିର ।
ଅମ୍ଳାନ ଗ୍ରାଫ କରି ଅବିକଳ ଫୋଟୋ ବନାଉ ଥିବା ବେଳେ ଆୟୁଷ ବିନା ଗ୍ରାଫରେ ଅବିକଳ ଫୋଟୋ ବନାଉଛନ୍ତି । ଅମ୍ଳାନ ଓ ଆୟୁଷଙ୍କ ଘର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଶାଙ୍କୁଡା ପଞ୍ଚାୟତର ଲଛିପୂର ଗ୍ରାମରେ । ଅମ୍ଳାନଙ୍କ ବାବା ବିନୋଦ କୁମାର ମହାରଣା ଓ ଆୟୁଷଙ୍କ ବାବା ଦେବେନ୍ଦ୍ର କୁମାର ମହାରଣା । ବିନୋଦ ଓ ଦେବେନ୍ଦ୍ର ଦୁଇ ଭାଇ ହୋଇଥିବା ବେଳେ ଉଭୟଙ୍କ ଦୁଇ ପୁଅଙ୍କ ଲୁକ୍କାୟିତ ପ୍ରତିଭା ହଠାତ୍ ନଜରକୁ ଆସିଥିଲା ।
ଉଭୟଙ୍କ ସାଙ୍ଗସାଥୀ ସେମାନଙ୍କୁ ଉତ୍ସାହିତ କରିବା ପରେ ସେମାନେ ଏହି ପ୍ରତିଭାକୁ ବିକଶିତ କରିବାକୁ ବେଶ ଆଗ୍ରହୀ । ବିନା ତାଲିମରେ ଉଭୟେ ଏହି କଳାକୁ ନିଜର କରିବା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ଉଭୟ ବିଜ୍ଞାନର ଛାତ୍ର ହୋଇଥିବା ବେଳେ ସେମାନଙ୍କ ଏଭଳି ଚାରୁ ଓ କାରୁକଳା ପ୍ରତି ଆକୃଷ୍ଟ କରିଥିବା ବେଳେ ଆଗକୁ ପାଠପଢା ସହ ଏହି କଳା ସାଧନା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।