ପ୍ଳାଷ୍ଟିକ ବର୍ଜନ ଶେଷ ବିକଳ୍ପ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୌଡ଼): ସବୁଜ ସୁନ୍ଦର ପ୍ରକୃତିକୁ ପ୍ଳାଷ୍ଟିକ ରାକ୍ଷସ କବଳରୁ ରକ୍ଷା କରିବାକୁ ହେଲେ ପ୍ଳାଷ୍ଟିକ ବର୍ଜନ ହିଁ ଶେଷ ବିକଳ୍ପ । ଆଜି ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଉପସ୍ଥିତ ବକ୍ତାମାନେ ଏଭଳି କିଛି ମତପ୍ରକାଶ କରିଛନ୍ତି । କଲ୍ୟାଣସିଂହପୁର ବନାଞ୍ଚଳ ଅଧିକାରୀ ଚନ୍ଦନ କୁମାର ଗମାଙ୍ଗଙ୍କ ନେତୃତ୍ବରେ ଅନୁଷ୍ଠିତ ଏଇ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସି ଆର୍ ପି ଏଫ୍ ଚତୁର୍ଥ ବାଟାଲିୟନର ଯବାନ, ସ୍ଥାନୀୟ ସବୁଜ ବାହିନୀର ସବୁଜ ସୈନିକ ଓ ବନ କର୍ମଚାରୀଙ୍କ ମିଳିତ ସହଯୋଗରେ ପ୍ଳାଷ୍ଟିକ ବର୍ଜନ ନେଇ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା । ପରିବେଶ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ଳାକାର୍ଡ ପ୍ରଦର୍ଶନ ସହ ଏଇ ରାଲିରେ ଜନସାଧାରଣଙ୍କ ସହଯୋଗ କାମନା କରି ବିଭିନ୍ନ ସ୍ଳୋଗାନ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ପୁରୁଣା ରେଞ୍ଜ ଅଫିସ ନିକଟରେ ସର୍ବସାଧାରଣଙ୍କ ଜନସଚେତନତା ସୃଷ୍ଟି କରିବା ଲାଗି ଏକ ସ୍ଵତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବନାଞ୍ଚଳ ଅଧିକାରୀ ଚନ୍ଦନ କୁମାର ଗମାଙ୍ଗ ଏହାର ପୌରୋହିତ୍ୟ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି ମୁଖ୍ୟ ଅତିଥି ଓ ସବୁଜ ବାହିନୀର ସଂଯୋଜକ ଶ୍ରୀଧର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଏଥିରେ ଯୋଗ ଦେଇ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସିଆରପିଏଫ ଇନ୍ସପେକ୍ଟର କୁଶଲ୍ ସିଂ, ଅଶୋକ କୁମାର, ବରିଷ୍ଠ ପୋଲିସ ଅଧିକାରୀ, ସାଂସଦ ପ୍ରତିନିଧି କୁମାର ସ୍ବାମୀ କୌଶଲ୍ୟା ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆପଲ ସ୍ବାମୀ କୌଶଲ୍ୟା, ସିଏଚ ନାଗେଶ୍ଵର ରାଓ ଓ ବୀରେନ୍ଦ୍ର କୌଶଲ୍ୟା ସଭାମଣ୍ଡନ କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ କରମଣ୍ଡଳ ଦୁର୍ଘଟଣାରେ ମୃତକଙ୍କ ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଶୋକପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଭବିଷ୍ୟତର ଉତ୍ତର ଦାୟାଦଙ୍କୁ ଏକ ସୁନ୍ଦର ପ୍ରକୃତି ହସ୍ତାନ୍ତର କରିବାକୁ ହେଲେ ପ୍ଳାଷ୍ଟିକ ବର୍ଜନ ହିଁ ଶେଷ ବିକଳ୍ପ ବୋଲି ମତପ୍ରକାଶ ପାଇଥିଲା । ଏହାର ଶେଷ ଭାଗରେ ସବୁଜ ବାହିନୀ ପକ୍ଷରୁ ପରିବେଶ ସୁରକ୍ଷା ଲାଗି ଏକ ପଞ୍ଚସୂତ୍ରୀ ସଙ୍କଳ୍ପ ପାଠ କରାଯାଇଥିଲା । ଏଇ କାର୍ଯ୍ୟକ୍ରମରେ ସିଆରପିଏଫର ପ୍ରାୟ ଚାଳିଶ ଜଣ ଯବାନଙ୍କ ସହ ସବୁଜ ବାହିନୀର ଧନେଶ୍ଵର ଜାନୀ, ଭାଗିରଥୀ ପ୍ରଧାନୀ, ଚକ୍ରଧର ପାଢୀ, ନାଗେଶ୍ଵର କୌଶଲ୍ୟା, ଅନିରୁଦ୍ଧ ସାମନ୍ତରା, ଲୋକେଶ ଚୌହାନ, ଜାମୀ କାମାରାଜୁ, ସୁରେଶ କୁମାର, ସିଲା ନିରଞ୍ଜନ, ଚିନ୍ମୟ ପଟ୍ଟନାୟକ, ପବିତ୍ର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.