ଆୟର୍ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: କୋମନା ବିସିସିବି ବ୍ୟାଙ୍କ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବେଳଟୁକୁରୀ ସ୍ଥିତ ୩ଟି ବାସଭବନ ଓ ବ୍ୟାଙ୍କରେ ଚଢ଼ାଉ ଜାରି

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ମହେନ୍ଦ୍ର ବାଗ): ନୂଆପଡ଼ା ଜିଲ୍ଲା କୋମନା ଭବାନୀପାଟଣା କେନ୍ଦ୍ରୀୟ ସମବାୟ ସମିତି ବ୍ୟାଙ୍କ ଆସିଷ୍ଟାଣ୍ଟ ପ୍ରଦୀପ ଚନ୍ଦ୍ରକାରଙ୍କ ଘରେ ଚଢ଼ାଉ ହୋଇଛି । ଏବେ ବିସିସିବି ବ୍ୟାଙ୍କ ସମେତ ବେଳଟୁକୁରୀ ସ୍ଥିତ ୩ଟି ବାସଭବନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ସୂଚନାଯୋଗ୍ୟ, ବେଳଟୁକୁରୀ ଗାଁର ପ୍ରଦୀପ ଚନ୍ଦ୍ରକାର ପୂର୍ବରୁ ବେଳଟୁକୁରୀ ପେକ୍ସ ସମ୍ପାଦକ ଭାବେ ନିୟୋଜିତ ହୋଇଥିଲେ । ଗତ କିଛି ଦିନ ତଳେ ଶ୍ରୀ ଚନ୍ଦ୍ରକାର କୋମନା ଭବାନୀପାଟଣା କେନ୍ଦ୍ରୀୟ ସମବାୟ ସମିତି ବ୍ୟାଙ୍କ ଆସିଷ୍ଟାଣ୍ଟ ଭାବେ ନିୟୋଜିତ ହୋଇଥିଲେ । ବିଗତ ଦିନରେ ବେଳଟୁକୁରୀ ଗାଁର ଶ୍ରୀ ଚନ୍ଦ୍ରକାର ବେଆଇନ ଭାବେ ଆୟରବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ଶୁଣାଣି କରି ଶ୍ରୀ ଚନ୍ଦ୍ରକାରଙ୍କ ସର୍ଚ୍ଚ କରିବାକୁ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଜି ସକାଳୁ କୋରାପୁଟ ଜୟପୁର ଭିଜିଲାନ୍ସ ଡ଼ିଏସପିଙ୍କ ନେତୃତ୍ୱରେ ମାଲକାନଗିରି, କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସର ମିଳିତ ଟିମ ଭିଜିଲାନ୍ସ କୋର୍ଟର ନିର୍ଦ୍ଦେଶ ଅନୁସାରେ ଏକକାଳୀନ ୪ଟି ସ୍ଥାନରେ ୪ ଟି ସ୍ଵତନ୍ତ୍ର ଟିମ ଚଢ଼ାଉ କରିଥିଲା । ଏଥିରେ ନୂଆପଡ଼ା ବ୍ଳକ ବେଳଟୁକୁରୀ ସ୍ଥିତ ୩ ବାସଭବନ ଓ କୋମନା ଡିସିସିବି ବ୍ୟାଙ୍କରେ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉରେ ୩ ଜଣ ଡ଼ିଏସପି ଓ ୩ ଜଣ ଇନ୍ସପେକ୍ଟର ସମେତ ବହୁ ଭିଜିଲାନ୍ସ କର୍ମଚାରୀ ନିଯୁକ୍ତ ହୋଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.