ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ଗୁରୁତ୍ୱ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜି୨୦ ଏଜୁକେସନ୍ ୱାର୍କିଂ ଗ୍ରୁପ୍ ପ୍ରୋଗ୍ରାମ୍ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜନ ଭାଗିଦାରୀ କାର୍ଯ୍ୟକ୍ରମ ସ୍ଥାନୀୟ ପୋଲିସ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍) ସମ୍ପର୍କିତ ସଚେତନତାକୁ ଗୁରୁତ୍ୱ ଦେଇ ଉକ୍ତ କାର୍ଯ୍ୟକ୍ରମ ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା, ଜବାହର ନବୋଦୟ ବିଦ୍ୟାଳୟ ନର୍ଲା ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡିର ମିଳିତ ସମନ୍ୱୟରେ ଆୟୋଜିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ଡ. ସ୍ନେହପ୍ରଭା ମହାପାତ୍ର, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନରୋତ୍ତମ ଭୋଇ, ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନନ୍ଦା ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟକୁମାର ମାଝୀ, ପୋଲିସ ହାଇସ୍କୁଲର ପ୍ରଧାନଶିକ୍ଷକ ଜୟରାମ ସାହୁ, ସମଗ୍ର ଶିକ୍ଷା ପେଡାଗୋଜି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ପ୍ରମୁଖ ଯୋଗ ଦେଇଥିଲେ। ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ଦୁବେ ଉଦ୍ଦେଶ୍ୟ ଜ୍ଞାପନ ଓ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥିମାନେ ଏଫ୍ଏଲ୍ଏନର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଘରେ ଅଭିଭାବକମାନେ ପିଲାଙ୍କ ସାକ୍ଷରତା ଓ ସଂଖ୍ୟାଜ୍ଞାନ କୌଶଳ ବିକାଶରେ କିପରି ସହାୟକ ହୋଇପାରିବେ, ସେ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ସଚେତନତା ସୃଷ୍ଟି ପାଇଁ ଏଫ୍ଏଲ୍ଏନ୍ ସମ୍ପର୍କିତ ଷ୍ଟାଣ୍ଡି, ପ୍ଲାକାର୍ଡ, ପୋଷ୍ଟର୍ ଆଦି ପ୍ରଦର୍ଶିତ ହୋଇଥିଲା। ଅଭିଭାବକମାନଙ୍କୁ ଏଫ୍ଏଲ୍ଏନ୍ ସମ୍ପର୍କିତ ଲିଫଲେଟ୍ ଓ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଧାନ ଶିକ୍ଷୟିତ୍ରୀ ମେରିଲିନ୍ ସୁଧାଂଶୁମୟୀ ମହାନ୍ତିଙ୍କ ନେତୃତ୍ୱରେ ଏଫ୍ଏଲ୍ଏନ୍ ସମ୍ପର୍କିତ ପପେଟ୍ ଶୋ’ ପରିବେଷଣ କରିଥିଲେ। ଶିକ୍ଷକ ଜିତେନ୍ଦ୍ର କୁମାର ବିଶ୍ୱାଳ ଓ ମନ୍ମଥ କୁମାର ମିଶ୍ର ମୌଳିକ ସଂଖ୍ୟାଜ୍ଞାନ ଏବଂ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଚଣ୍ଡ ମୌଳିକ ସାକ୍ଷରତା ସମ୍ପର୍କିତ ଶିକ୍ଷଣକାର୍ଯ୍ୟ ପ୍ରଦର୍ଶନ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ନେତୃତ୍ୱରେ ଜିଲ୍ଲାରେ ଏଫ୍ଏଲ୍ଏନ୍ କାର୍ଯ୍ୟକ୍ରମ ସୂଚାରୁ ରୂପେ ଚାଲିଥିବା ବେଳେ ପୂର୍ବରୁ ସମସ୍ତ କ୍ଲଷ୍ଟରରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି।