ଓଡ଼ିଆ ସାହିତ୍ୟର କଥା ସମ୍ରାଟ ବ୍ୟାସକବି ଫକୀରମୋହନ ସେନାପତି

ବିଶ୍ବବିଜୟୀ ଦାଶ

୧୮୪୩ ମସିହା ଜାନୁୟାରୀ ୧୩ ତାରିଖରେ ପବିତ୍ର ମକର ସଂକ୍ରାନ୍ତି ଦିନ ବାଲେଶ୍ବର ଜିଲ୍ଲାର ମଲ୍ଲିକାଶପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଓଡ଼ିଆ ଗାଳ୍ପିକ ତଥା ଔପନ୍ୟାସିକ ବ୍ୟାସକବି ଫକୀରମୋହନ ସେନାପତି। ତାଙ୍କ ପିତାଙ୍କ ନାମ ଲକ୍ଷ୍ମଣ ଚରଣ ସେନାପତି ଓ ମାତାଙ୍କ ନାମ ତୁଳସୀ ଦେବୀ ସେନାପତି। ଓଡ଼ିଶାରେ ଫକୀରମୋହନଙ୍କ ଜନ୍ମଜୟନ୍ତୀକୁ ୧୪ ଜାନୁୟାରୀରେ ପାଳନ କରି ଆସୁଥିଲେ ମଧ୍ୟ ସଂକ୍ରାନ୍ତି ପୁରୁଷଙ୍କ ଜନ୍ମବର୍ଷ ମକର ସଂକ୍ରାନ୍ତି ଜାନୁୟାରୀ ୧୩ ତାରିଖ ରେ ପଡ଼ିଥିବାରୁ ତାଙ୍କର ପ୍ରକୃତ ଜନ୍ମତାରିଖ ୧୩ ଜାନୁୟାରୀ ୧୮୪୩। ସେ ୧୪ ଜୁନ୍ ୧୯୧୮ ମସିହାରେ ଇହଧାମ ତ୍ୟାଗ କରିଥିଲେ।

ତାଙ୍କୁ ଏକ ବର୍ଷ ପାଞ୍ଚ ମାସ ବୟସ ବେଳେ ତାଙ୍କ ପିତା ଲକ୍ଷ୍ମଣ ଚରଣ ସେନାପତିଙ୍କର ମୃତ୍ୟୁ ଘଟିଲା । ଏହାର ମାତ୍ର ୧୪ ମାସ ପରେ ତାଙ୍କ ମାତା ତୁଳସୀ ଦେବୀ ସେନାପତି ମଧ୍ୟ ଈହଧାମ ତ୍ୟାଗ କରିଥିଲେ। ବାଲ୍ୟକାଳରୁ ତାଙ୍କର ଲାଳନପାଳନ ଭାର ତାଙ୍କର ଜେଜେମା ସମ୍ଭାଳିଥିଲେ। ଫକୀରମୋହନଙ୍କ ପ୍ରକୃତ ନାମ ଥିଲା ବ୍ରଜମୋହନ । ବାଲ୍ୟକାଳରେ ସେ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ତାଙ୍କ ଜେଜେ ତାଙ୍କୁ ଫକୀରମାନଙ୍କ ପାଖକୁ ନେଇଯାଉଥିଲେ । ସେହି ଫକୀରମାନଙ୍କ ସମ୍ମାନାର୍ଥେ ତାଙ୍କ ଜେଜେମା’ ତାଙ୍କ ନାଁ ବଦଳାଇ କରିଦେଲେ ଫକୀରମୋହନ।

ଫକୀରମୋହନଙ୍କ ଅସୁସ୍ଥତା ଓ ଅର୍ଥର ଅଭାବ ସକାଶେ ମଧ୍ୟ ସେ ମା‍ଇନର ପାଶ୍ କଲା ପରେ  ବାଲେଶ୍ୱରର ବାରବାଟୀ ସ୍କୁଲରେ ବିଦ୍ୟାଧ୍ୟୟନ ଜାରି ରଖିଥିଲେ । ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତ ଶିକ୍ଷା କରୁଥିଲେ । ସେ ନିଜର ପାରଦର୍ଶିତା ଯୋଗୁଁ ଶିକ୍ଷକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଆର୍ଥିକ ଦୁରବସ୍ଥା ଯୋଗୁଁ ବିଦ୍ୟାଳୟର ମାସିକ ଖର୍ଚ୍ଚ ୨୫ ପଇସା ଦେଇ ନ ପାରି ତାଙ୍କୁ ପାଠପଢ଼ା ତ୍ୟାଗ କରିବାକୁ ପଡ଼ିଥିଲା ଏବଂ ସେହି ବାରବାଟୀ ସ୍କୁଲରେ ତାଙ୍କୁ ମାସିକ ୨.୫୦ ଟଙ୍କା ଦରମାରେ ଶିକ୍ଷକ ଚାକିରୀ କରିବାକୁ ହୋ‍ଇଥିଲା । ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତରେ ଶିକ୍ଷାଦାନ ଆରମ୍ଭ କରିଦେଲେ । ଏହି ସବୁ ବିଷୟରେ ସେ ନିଜେ ନିଜର ଜ୍ଞାନ‌କୁ ପ୍ରଗାଢ଼ କରିପାରିଥିଲେ । ବାଲେଶ୍ୱର କଲେକ୍ଟରେଟ୍‌ରେ କିଛି କାଳ ପାଇଁ ସେ କିରାଣୀ ଚାକିରି କରିଥିଲେ । ପରବର୍ତ୍ତୀ କାଳରେ ସେ ବାଲେଶ୍ୱର ମିଶନ ସ୍କୁଲରେ ୧୮୭୧ ଯାଏଁ ଶିକ୍ଷକତା କରିଥିଲେ।

ଓଡ଼ିଆ ଭାଷା ସାହିତ୍ୟକୁ ସୁରକ୍ଷା ଦେବାରେ ହେଉ ଓ ସମାଜ ସସ୍କାର ଦିଗରେ ହେଉ,ତାଙ୍କର ଅବଦାନ ଅତୁଳନୀୟ ହୋଇରହିଛି।ସେ ଲେଖିଯାଇଥିବା ଗଳ୍ପ ଓ ଔପନ୍ୟାସିକ ଗୁଡ଼ିକ ଆଜି ବି ଅନ୍ୟ ଗାଳ୍ପିକ ମାନଙ୍କ ପାଇଁ ମାଇଲ ଖୁଣ୍ଟ ହୋଇ ରହିଛି।
ଜଣେ ସୁଦକ୍ଷ ସେନାପତି ଯେପରି ନିଜର ଉପସ୍ଥିତ ବୁଦ୍ଧି,ସାହାସ ଓ ଶକ୍ତି ଦ୍ବାରା ଯୁଦ୍ଧକ୍ଷେତ୍ରରେ ବିଜୟର ଧ୍ବଜା ଉଡ଼ାଇଥାଏ,ଠିକ୍ ସେହିପରି ବ୍ୟାସକବି ଫକୀରମୋହନ ସେନାପତି କଠିନ ସଂଗ୍ରାମ କରି ଆମ ମାତୃଭାଷା କୁ ବିଜୟ ମୁକୁଟ ପିନ୍ଧାଇ ଥିଲେ ଏବଂ ଫକୀରମୋହନ ସେନାପତି,ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ।

୧୮୬୮ ମସିହାରେ ଫକୀରମୋହନ ବାଲେଶ୍ବରରେ ଏକ ପ୍ରେସ ପ୍ରତିଷ୍ଠା କରିବା ସହ କରିଥିଲେ ଓଡ଼ିଆ ଭାଷା ଆନ୍ଦୋଳନ ଯୁଦ୍ଧ ର ଅୟମାରମ୍ଭ।ଏହି ପ୍ରେସ ର ପ୍ରତିଷ୍ଠା ହେବା ପରେ ବହୁ ପାଠ୍ୟ ପୁସ୍ତକ ପ୍ରକାଶ କରିବା ସହ ଓଡ଼ିଆ ଭାଷାକୁ ସମୃଦ୍ଧ କରିଥିଲେ।ଗୌରୀଶଙ୍କର ରାୟଙ୍କ ଉତ୍କଳ ଦୀପିକା ସମ୍ବାଦପତ୍ର ଭଳି ତାଙ୍କରି ସମ୍ପାଦନାରେ ବାଲେଶ୍ବର ରୁ ପ୍ରକାଶ ହୋଇଥିଲା  ପାକ୍ଷିକ ସାହିତ୍ୟପତ୍ର ‘ବୋଧଦାୟିନୀ’ ଓ ଦୈନିକ ଓଡ଼ିଆ ସମ୍ବାଦପତ୍ର “ସମ୍ବାଦ ବାହିକା”। ଯାହା ତାଙ୍କର ଅକ୍ଳାନ୍ତ ପରିଶ୍ରମ, ପ୍ରାଣପାତ ଉଦ୍ୟମ, ଗଭୀର ଆତ୍ମବିଶ୍ଵାସ, ଜାତିପ୍ରୀତି ଓ କର୍ତ୍ତବ୍ୟନିଷ୍ଠାର ସୁସ୍ପଷ୍ଟ ପରିଚୟ।

ଓଡ଼ିଆ ସାହିତ୍ୟକୁ ତାଙ୍କର ଥିଲା ଅନନ୍ୟ ଦାନ । ନିଜ ଲେଖନୀ ମୁନରେ ସିଏ ଓଡ଼ିଆ ଭାଷାକୁ ଜୀବନ୍ତ କରି ଗଢି ତୋଳିଥିଲେ ।
ସେହି ସମୟର ସାଧାରଣ ସାମାଜିକ ଚଳଣିକୁ ନେଇ ହିଁ ସେ ରଚିଛନ୍ତି ଅନେକ ଉପନ୍ୟାସ, ପୁସ୍ତକ । ତାଙ୍କ ରଚନାରେ ତତକାଳୀନ ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ଅବସ୍ଥା ଗୁଡିକ ସହଜରେ ବାରି ହୋଇପଡେ। ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ – ’ଛ’ ମାଣ ଆଠ ଗୁଣ୍ଠ’, ’ମାମୁଁ’, ’ପ୍ରାୟଶ୍ଚିତ’ ଓ ’ଲଛମା’ ତତ୍କାଳୀନ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ । ଛ’ ମାଣ ଆଠ ଗୁଣ୍ଠ ଉପନ୍ୟାସରେ ଜମିଦାରମାନଙ୍କ ଦେଇ ଗରିବ ଚାଷୀମାନଙ୍କର ଶୋଷଣର କାହାଣୀ ବର୍ଣ୍ଣିତ ହୋ‍ଇଛି । ଓଡ଼ିଆର ପ୍ରଥମ ଆତ୍ମଜୀବନୀର ମଧ୍ୟ ସେ ଥିଲେ ରଚୟିତା । ଏହାର ନାମ ଥିଲା ’ଆତ୍ମ ଜୀବନ ଚରିତ’ ।

ଫକୀରମୋହନ ସେନାପତି ଓଡ଼ିଆ ଗଳ୍ପ ସାହିତ୍ୟର ଜନକ । ଫକୀରମୋହନ ତାଙ୍କ ଜୀବନର ଶେଷ ୨୧ ବର୍ଷ ମଧ୍ୟରେ ଗଳ୍ପ ଏବଂ ଉପନ୍ୟାସ ରଚନା କରିଛନ୍ତି । ୧୮୬୦ରେ ଫକୀରମୋହନଙ୍କ ରଚିତ କ୍ଷୁଦ୍ରଗଳ୍ପ ’ଲଛମନିଆ’, ତାଙ୍କରି ଦ୍ୱାରା ସମ୍ପାଦିତ। ୧୮୯୮ରେ ତାଙ୍କ ରଚିତ ’ରେବତୀ’ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା ପ୍ରଥମ ଓଡ଼ିଆ ଗଳ୍ପର ମାନ୍ୟତା ପାଏ । ’ରେବତୀ’ ଗଳ୍ପଟିରେ ଗୋଟିଏ ଛୋଟ ଝିଅର ପାଠ ପଢିବାର ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି ।

ଫକୀରମୋହନଙ୍କ ରଚିତ କ୍ଷୁଦ୍ରଗଳ୍ପଗୁଡିକ : ରେବତୀ (୧୮୯୮), ବାଲେଶ୍ୱରୀ ପଙ୍ଗାଲୁଣ (୧୯୦୭), ବାଲେଶ୍ୱରୀ ରାହାଜାନୀ (୧୯୦୭), ମୌନାମୌନୀ (୧୯୦୭), ପୁନର୍ମୂଷିକୋଭବ (୧୯୦୯), ଡାକମୁନିସୀ (୧୯୧୨), କାଳିକାପ୍ରସାଦ ଗୋରାପ (୧୯୧୩), କମଳାପ୍ରସାଦ ଗୋରାପ (୧୯୧୩), ଧୂଳିଆ ବାବା (୧୯୧୩), ପେଟେଣ୍ଟ ମେଡିସିନ (୧୯୧୩), ସୁନାବୋହୂ (୧୯୧୩), ବିରେଇ ବିଶାଳ (୧୯୧୩), ରାଣ୍ଡିପୁଅ ଅନନ୍ତା(୧୯୧୩), ବଗଲାବଗୁଲୀ (୧୯୧୪), ସଭ୍ୟ ଜମିଦାର (୧୯୧୪), ଅଜାନାତି କଥା (୧୯୧୫), ମାଧମହାନ୍ତିଙ୍କ କନ୍ୟାସୁନା (୧୯୧୫), ଅଧର୍ମ ବିତ୍ତ (୧୯୧୫), ପାଠୋଈ ବୋହୂ (୧୯୧୫), ଗାରୁଡିମନ୍ତ୍ର (୧୯୧୬)।

ଫକୀରମୋହନଙ୍କ ପ୍ରଥମ କବିତା ସଙ୍କଳନ ’ଉତ୍କଳ ଭ୍ରମଣ’ ୧୮୯୨ରେ ପ୍ରକାଶ ପାଇଥିଲା। ତାଙ୍କର ଅନ୍ୟାନ୍ୟ ପଦ୍ୟ କୃତିମାନଙ୍କ ମଧ୍ୟରେ ’ପୁଷ୍ପମାଳା’, ’ଉପହାର’, ’ପୂଜା ଫୁଲ’, ’ପ୍ରାର୍ଥନା’, ‘ଅବସର ବାସରେ’ ଓ ’ଧୂଳି’ ପ୍ରଧାନ । ନିଜସ୍ୱ କୃତି ବ୍ୟତୀତ ସେ ମଧ୍ୟ ସଂସ୍କୃତ ’ମହାଭାରତ’ ଓ ’ରାମାୟଣ’କୁ ଓଡ଼ିଆରେ ଅନୁବାଦ କରିଥିଲେ । ଏ ଦୁଇଟିଯାକ ଆକ୍ଷରିକ ଅନୁବାଦ ନୁହେଁ ବରଂ ଭାବାନୁବାଦ । ତାଙ୍କର ପ୍ରଥମ ସ୍ତ୍ରୀ ରୋଗଶଯ୍ୟାରେ ଥିବାବେଳେ ରାମାୟଣ ଓ ମହାଭାରତକୁ ଓଡ଼ିଆରେ ଶୁଣିବାକୁ ଇଚ୍ଛା କରିବାରୁ ସେ ଏହି ଅନୁବାଦ ଦ୍ୱୟ କରିଥିଲେ । ତେବେ ତାଙ୍କର ଏହି ରଚନା ଦ୍ୱୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବାରୁ ତାଙ୍କର ଏହି ମହତ ପ୍ରଚେଷ୍ଟା ଲାଗି ତାଙ୍କୁ ବ୍ୟାସକବିର ଆଖ୍ୟା ଦିଆଯା‍ଇଛି । ତତ୍କାଳୀନ ବାମରାର ରାଜାଙ୍କଦ୍ୱାରା ସେ ମଧ୍ୟ “ସରସ୍ୱତୀ” ଉପାଧିରେ ଭୂଷିତ ହୋ‍ଇଥିଲେ ।

ଓଡ଼ିଆ ଭାଷାର ଉନ୍ନତି ଓ ପ୍ରଚାର ନିମନ୍ତେ ସେ ୧୮୬୭ରେ “ଉତ୍କଳ ଭାଷା ଉନ୍ନତି ବିଧାନି ସଭା” ନାମକ ଏକ ସଙ୍ଗଠନ ଗଢ଼ିଥିଲେ । ’ଉତ୍କଳ ସାହିତ୍ୟ ସମାଜର’ ୧୯୧୨ ଓ ୧୯୧୭ର ବାର୍ଷିକ ସଭାରେ ସେ ସଭାପତି ଦାୟିତ୍ୱ ତୁଲାଇଥିଲେ । ୧୯୧୫ ମସିହାରେ ଫକୀରମୋହନ ସତ୍ୟବାଦୀ ବିଦ୍ୟାଳୟକୁ ପରିଭ୍ରମଣରେ ଯାଇଥିଲେ ଏବଂ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର କାର୍ଯ୍ୟ ଦେଖି ଅତ୍ୟନ୍ତ ଖୁସି ହୋଇଥିଲେ। ଓଡ଼ିଆ ସାହିତ୍ୟ ର କଥା ସମ୍ରାଟ ବ୍ୟାସକବି ଫକୀରମୋହନ ସେନାପତି ୧୪ ଜୁନ୍ ୧୯୧୮ ମସିହାରେ ଦୁନିଆ ଛାଡ଼ି ଗଲେ।
ସେ ଏକାଧାରାରେ ଜଣେ ଗାଳ୍ପିକ, ଔପନ୍ୟାସିକ, କବି, ପ୍ରାବନ୍ଧିକ, ଅନୁବାଦକ, ଶିଶୁ ସାହିତ୍ୟିକ ଏବଂ ଦୂରଦ୍ରଷ୍ଟା ସମ୍ପନ୍ନ ସମାଜ ସଚ଼େତକ। ତାଙ୍କରି ସ୍ମୃତିରେ ତାଙ୍କ ଜନ୍ମସ୍ଥାନ ବାଲେଶ୍ବର ର ସ୍କୁଲ,କଲେଜ ଓ ବିଶ୍ବବିଦ୍ୟାଳୟ ଆଦି କୁ ତାଙ୍କରି ନାମରେ ନାମିତ କରାଯାଇଛି। ଏହି ଅସାଧାରଣ ପ୍ରତିଭାଧର ଓଡ଼ିଆ ଜାତିର ଚିରନମସ୍ୟ ଓ ପ୍ରାତଃସ୍ମରଣୀୟ ବ୍ୟାସକବି ଫକୀରମୋହନ ସେନାପତି ଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ।

ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍- ୭୫୨୦୩୫
ଫୋନ ନଂ- ୬୩୭୦୨୦୮୪୨୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.