ଗୋହିରାପଦର ରେଳ ଟ୍ରାକ କଡରୁ ଯୁବକଙ୍କ ଶବ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଲାଞ୍ଜିଗଡ଼ରୋଡ଼ରୁ ଜୁନାଗଡ଼ ଯାଇଥିବା ରେଳଲାଇନ ଟ୍ରାକ କଡରେ ଗୋହୀରାପଦର ଲେବୁଲକରସିଂରୁ ରାମଚନ୍ଦ୍ରପୁର ଷ୍ଟେସନ ମଝିରେ ଶାନ୍ତପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖାଇଙ୍ଗ ଗ୍ରାମର ଅର୍ଜୁନ ସା(୨୧)ଙ୍କ କ୍ଷତ ବିକ୍ଷତ ଶବ ଉଦ୍ଧାର କରିଛି ନର୍ଲା ପୋଲିସ । ଘଟଣାଟି ମଙ୍ଗଳବାର ରାତି ୮ ରୁ ୮.୩୦ ମଧ୍ୟରେ ଘଟି ଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ଉକ୍ତ ସମୟ ମଧ୍ୟରେ ସେହି ସିଙ୍ଗଲ ରେଳଟ୍ରାକରେ କେବଳ ଗୋଟିଏ ରେଳ ଇଞ୍ଜିନ ଭବାନୀପଟଣା ଅଭିମୁଖେ ଯାଇଥିବା ପ୍ରତ୍ୟକ୍ଷଦର୍ଶି ପ୍ରକାଶ କରିଛନ୍ତି । ମୃତ ଅର୍ଜ୍ଜୁନ ଜଣେ ଅଟୋ ରିକ୍ସା ଚାଳକ । ହେଲେ ଏହା ବାସ୍ତବରେ ଟ୍ରେନ ଦୁର୍ଘଟଣା ଜନିତ ଘଟଣା ନା ଅନ୍ୟ ପ୍ରକାରର ଘଟଣା ତାହା ରହସ୍ୟ ଘେରରେ ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷେ ରେଳ ଟ୍ରାକ କଡରେ ୧୫ ରୁ ୨୦ ମିଟର ଦୂରରେ ରହିଥିବା ଏକ ଖାଇରୁ ଘୋଷରା ଚିହ୍ନ ଏବଂ ରକ୍ତ ଛିଟା ପଡିଥିବା ମଧ୍ୟ ଅନୁମାନରୁ ଜଣା ପଡ଼ିଛି । ଆଉ ଅଟୋରିକ୍ସାଟି ଦୂରରେ ଛିଡା ରହିଥିବା ଜଣାପଡ଼ିଛି । ଏଣୁ ମୃତ ଯୁବକ ଅର୍ଜୁନଙ୍କ ମୃତ୍ୟୁ ରହସ୍ୟ ସନ୍ଦେହ ଘେରରେ ରହିଥିବା ବେଳେ ଖବର ପାଇ ନର୍ଲା ପୋଲିସ ଇନ୍ସପେକ୍ଟର ଶ୍ରୀ ନିସିକା ନର୍ଲା ପୋଲିସ ଟିମ ଓ ଛତିକୁଡ଼ା ପୋଲିସ ଟିମ ସହ ମୃତ ଯୁବକଙ୍କ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ଟିଟିଲାଗଡ଼ ଜିଆରପି ବିଳମ୍ବିତ ରାତିରେ ପହଞ୍ଚିବା ପରେ ନର୍ଲା ପୋଲିସ ସେମାନଙ୍କୁ ଦାଇତ୍ୱ ହସ୍ତାନ୍ତର କରିଥିଲେ । ରେଳବାଇ ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।

ଘଟଣା ସ୍ଥଳରେ ମୃତ ଯୁବକଙ୍କ ବାପା ମା ମଧ୍ୟ ଆସି ତାଙ୍କ ପୁଅର ଶବକୁ ଚିହ୍ନଟ କରିଥିଲେ । ଶାନ୍ତପୁରର ପୂର୍ବତନ ସରପଞ୍ଚ ଟିକେଧର ସାହୁ ଓ କିଛି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତରେ ପୋଲିସକୁ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ମୃତ ଯୁବକଙ୍କ ମୁଣ୍ଡର ଡାହାଣ ପଟେ, ହାତ, ଗୋଡ଼ ଓ ଛାତିରେ ଗଭୀର କ୍ଷତ ରହିଥିବା ଦେଖିବାକୁ ମିଳିଛି । ପୋଲିସ ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ରେଳବାଇ ପୋଲିସ ସୂଚନା ଦେଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.