କବିସୂର୍ଯ୍ୟନଗର ନିର୍ବାଚନୀ କସରତ : ଆମଦାନୀ ନେତାଙ୍କୁ ନା, ଭୋଟର ଖୋଜୁଛନ୍ତି ଭୂମିପୁତ୍ର

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ନେଇ ଗଂଜାମ ଜିଲ୍ଲା ଅନ୍ତର୍ଗତ କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ବିଧାନସଭା କ୍ଷେତ୍ରରେ ପ୍ରାକ ନିର୍ବାଚନୀ ଉଷ୍ଣତା ଦେଖାଯାଇଛି । ମୁଖ୍ୟତଃ ବିଜେଡି ଦଳର ଟିକେଟ ଆଶାୟୀମାନେ ଭୋଟରଙ୍କୁ ଏବେଠାରୁ ମନେଇବା ପାଇଁ ବନ୍ଧୁ ମିଳନ, ବିବାହ ଭୋଜି, ବ୍ରତ,  ନାମଯଜ୍ଞ ଓ ନାଟକ ପରିବେଷଣ ସମୟରେ ଅତିଥି ସାଜି ମୋଟା ଅଙ୍କର ଚାନ୍ଦ ଦେଇ ପତିଆରା ବଢାଇବା ପାଇଁ ଉଦ୍ୟମ ଚଳାଇଛନ୍ତି l ତେବେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ କୋଦଳା ଏନଏସିର ପୂର୍ବତନ ନଗରପାଳ ହର ପ୍ରସାଦ ସାହୁଙ୍କ ଆବିର୍ଭାବ ପରେ ବିଜେଡିର ଅନ୍ୟ ଆଶାୟୀ ନେତା ଓ ବିଧାୟିକାଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି l ଗତ ୨୦୧୪ ସାଧାରଣ ନିର୍ବାଚନରେ ନେତା ନବୀନ ଓ ଆମେ ସ୍ୱାଧୀନ କହି ଗଂଜାମର ଭେଟରନ ନେତ୍ରୀ ସୁଜ୍ଞାନୀ କୁମାରୀ ଦେଓଙ୍କ ଠାରୁ ମାତ୍ର ୨୩ ହଜାର ଭୋଟ ବ୍ୟବଧାନରେ ପରାସ୍ତ ହେବା ପରେ ସେହିଦିନ ଠାରୁ ଟିକେଟ ପାଇଁ ଉଦ୍ୟମ କରି ସୁଜ୍ଞାନୀଙ୍କ ବିରୋଧ ଯୋଗୁ ବିଜେଡି ଟିକେଟରୁ ବଂଚିତ ହୋଇ ଆସିଛନ୍ତି l ବର୍ତମାନ ହର ପୁରା ପରିବାର ଓ ତାଙ୍କ ସମର୍ଥକ ମାନଙ୍କୁ ଏକଜୁଟ କରି ସଂଗଠନ ଗଢିବା ପାଇଁ ଲାଗିପଡିଛନ୍ତି l ମୁଖ୍ୟତଃ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ହରଙ୍କୁ ଚେକ ଦେବା ପାଇଁ ତାଙ୍କ ସମର୍ଥକଙ୍କ ସହ ପୁନର୍ବାର ଟିକେଟ ହାତେଇବା ପାଇଁ ଲାଗିପଡିଛନ୍ତି l ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ଅଶାୟୀଙ୍କ ସଂଖ୍ୟା ୬ ପହଂଚି ଥିବା ବେଳେ ଅଧିକାଂଶ ଆଶାୟୀ ସୁଜ୍ଞାନୀଙ୍କ ଆସରିବାଦ ଓ ଆଜ୍ଞାମାଳ ପାଇବା ପାଇଁ ବାରମ୍ବାର ଚେନ୍ନାଇ ଦୌଡ଼ି ଭେଟୁଛନ୍ତି l ତେବେ ହର ସାହୁ ଓ ବର୍ତ୍ତମାନ ବିଧାୟିକା ଲତିକାଙ୍କ ମଧ୍ୟରେ ମୁଂହାମୁହିଁ ଲଢେଇ ଆରମ୍ଭ ହେଲାଣି l ଯା ଫଳରେ ଏଠାରେ ବିଜେଡିର ତୀବ୍ର ଗୋଷ୍ଟି କନ୍ଦଳ ଲାଗି ରହିବ ସହ ସୁଜ୍ଞାନୀ ସମର୍ଥକ ମାନେ ବିଜେଡି ସଂଗଠନକୁ କ୍ରିୟାଶୀଳ କରିବା ପରିବର୍ତ୍ତେ ନିରବ ରହି ରାଜନୈତିକ ପାଣିପାଗକୁ ଦେଖି ଛତା ଫୁଟାଇବା ପାଇଁ ଛକି ରହିଛନ୍ତି l ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ ନିର୍ବାଚନ ମଣ୍ଡଳୀରେ ବହୁ ବିକାଶ ସାଧିତ କରିଥିବା ବେଳେ ବିଜେପି ହାତକୁ କୋଦଳା ଏନଏସି ଚାଲିଯିବା ଘଟଣା ସାଙ୍ଗକୁ ଦୁଇଟି ବିଜେଡି ସମର୍ଥିତ ୱାର୍ଡ ସଭ୍ୟ ନିର୍ବାଚନରେ ବିରୋଧୀ ହାତକୁ ଚାଲିଯିବା ଘଟଣା ବିଜେଡି ଦଳ ପାଇଁ ଅଡୁଆ ହେବା ସହ କୋଦଳା ଏନଏସି ଭଳି ପାରମ୍ପରିକ ଭାବେ ବିଜେଡି ଦାଖଲରେ ଥିବା ଏନଏସି ଟି ବିଜେପି ହାତକୁ ଯିବା ଘଟଣା ସମର୍ଥକ ମାନଙ୍କୁ ହତାଶ କରିଛି l ବେଗୁନିଆପଡା ବ୍ଲକର ୨୩ ଟି ପଂଚାୟତ ଓ କବିସୂର୍ଯ୍ୟନଗର ବ୍ଲକର ୯ ଟି ପଂଚାୟତ ଓ ପୁରୁଷୋତ୍ତମପୁର ବ୍ଲକ ର ୧୧ ଗୋଟି ପଂଚାୟତ କୁ ନେଇ ଗଠିତ ନର୍ବାଚନ ମଣ୍ଡଳୀରେ ବିଜେଡି ଟିକେଟ ପାଇଁ ବିଧାୟିକା ଲତିକା ପ୍ରଧାନ, ହରପ୍ରସାଦ ସାହୁ, ବିଜେପିରୁ ଆସି ବିଜେଡିରେ ଯୋଗ ଦେଇଥିବା ପ୍ରମୋଦ ପଣ୍ଡା, ସୀତାରାମ ଶତପଥୀ ଓ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ସୋନାମ ପଳାଇ ପ୍ରମୁଖ ଆଶାୟୀମାନେ ବିଜେଡି ଟିକେଟ ପାଇଁ ଜୋରଦାର ଲବି ଚଳାଇବା ସହ ସୁଜ୍ଞାନୀଙ୍କ ଶରଣାପନ୍ନ ହୋଇଥିବା ବେଳେ ଭୋଟରମାନେ ଆମଦାନୀ ନେତାଙ୍କ ପ୍ରତି ମୁଂହ ମୋଡ଼ୁଥିବା ବେଳେ ଭୂମିପୁତ୍ର ନେତାଙ୍କ ପ୍ରତି ଭୋଟର ମାନଙ୍କ ପାଇଁ ଅଧିକ ଉତ୍ସାହ ଥିବା ଜଣାପଡିଛି l ତେବେ ଏଭଳି ସ୍ତିତିରେ ବିଜେଡି ଗୋଟିଏ ନେତାଂକୁ ଦଳୀୟ ଟିକେଟ ଦେଲେ ଅନ୍ୟ ଆଶାୟୀ ନେତା ମାନେ ବିଜେଡିକୁ ବିରୋଧ କରିବେ ନଚେତ ବିଜେପି ମୁଁହା ହେବାର ଜଳଜଳ ଦେଖା ଯାଉଛି l ଖଲ୍ଲିକୋଟରେ ମଧ୍ୟ ଅନୁରୂପ ପରିସ୍ଥିତି ଉପୁଜିଛି l ତେବେ ସୁଜ୍ଞାନୀଙ୍କ ପସନ୍ଦ ନେତା ହିଁ ଖଲ୍ଲିକୋଟର ମଙ୍ଗୁଆଳ ହୋଇପାରିବ l ତେଣୁ ଆଗାମୀ ନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଆଉ କିଛି ମାସ ପରେ ସ୍ପଷ୍ଟ ହୋଇଯିବ । ସେହିପରି ଗଂଜାମ ଜିଲ୍ଲା ଖଲ୍ଲିକୋଟ, କବିସୂର୍ଯ୍ୟନଗର, ଆସିକା, ପୋଲସରାରେ ବିଜେଡିର ପ୍ରବଳ ଅନ୍ତଃ କନ୍ଦଳ ଆଗାମୀ ଦିନରେ ବିଜେଡିକୁ ସମସ୍ୟା ସୃଷ୍ଟି କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.