ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ
ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକରେ ଗତ କିଛି ସପ୍ତାହ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ଚଳିତ ବର୍ଷ ତାତି ଅସହ୍ୟ ହେଉଥିବା ବେଳେ ସଇଁତଲାରେ ପାରଦ ୪୪ ଡିଗ୍ରୀ ଉପରେ ରହୁଛି l ଏପରି ସ୍ଥଳେ ବିଦ୍ୟୁତ ବିଭାଗର ବାରମ୍ବାର ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ଯୋଗୁଁ ଲୋକେ ଡହଳ ବିକଳ ହୋଇ ତ୍ରାହି ତ୍ରାହି ଡାକୁଛନ୍ତି l ଏପରି ବିଦ୍ୟୁତ କାଟ ହେଉଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ରତର ଅସନ୍ତୋଷ ଦେଖାଦେଇଛି l ପ୍ରକାଶ ଯେ , ଏହି ଗ୍ରୀଷ୍ମ ପ୍ରବାହ ଯୋଗୁଁ ସଇଁତଲା ସହରରେ ସକାଳ ୯ ଘଣ୍ଟା ପରେ ଘରୁ ବାହାରିବାକୁ ଭୟ ଲାଗୁଛି l ତାତିର ପ୍ରକୋପ ଯୋଗୁଁ ବାହାରକୁ ବାହାରିଲେ ଦେହ ହାତ ସିଜି ଯାଉଥିବା ବେଳେ ମୁଣ୍ଡ ଉପରୁ ଅଗ୍ନି ବର୍ଷା ହେଉଛି l ମୁହଁ ଓ ଶାରୀରକୁ ଖରା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ମୁହଁରେ ଗାମୁଛା ବାନ୍ଧି ଯାଉଥିବାର ଦେଖିବାକୁ ମିଳୁଛି l ଏପରିକି ଦିନ ବେଳା ତାତି ବଢୁଥିବାରୁ ସହରବାସୀ ଘରୁ ବାହାରିବା କଷ୍ଟକର ହୋଇପଡିଥିବା ସହ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ସହରର ଅଧିକାଂଶ ଦୋକାନ ବଜାର ମଧ୍ୟ ବନ୍ଦ ରହୁଛି l ତାତି ଯୋଗୁଁ ୨୬ ନଂ ଜାତୀୟ ରାଜପଥ ମଧ୍ୟ ଖାଁ ଖାଁ ଲାଗୁଛି l ଲୋକେ ସନ୍ଧ୍ୟା ୬ ଘଣ୍ଟା ପରେ ଘରୁ ବାହାରୁଛନ୍ତି l କେବଳ ଖାଲି ଦିନ ବେଳା ଗରମ ନୁହେଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗରମ ରହୁଥିବାରୁ ଜନସାଧାରଣ ଛଟପଟ ହେଉଛନ୍ତି l ଏପରି ସ୍ଥଳେ ବିଦ୍ୟୁତ ବିଭାଗର ମନମୁଖୀ ବିଦ୍ୟୁତ କାଟ ହେଉଥିବାରୁ ଲୋକେ ଅତିଷ୍ଠ ହୋଇଗଲେଣି l ଗତ ମଙ୍ଗଳବର ଦିନ ଅପରାହ୍ନ ୪ ଘଣ୍ଟା ସମୟରେ ବିଦ୍ୟୁତ ଚାଲିଯିବା ପରେ ଦୀର୍ଘ ୬ ଘଣ୍ଟା ଅର୍ଥାତ ରାତି ୧୦ ଟାରେ ଆସିଲା l ଏପରି ବାରମ୍ବାର ବିଦ୍ୟୁତ କାଟକୁ ନେଇ କୋଣସି ସୂଚନା ନ ଦେଇ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ହେଉଛି l ଏ ନେଇ ବିଦ୍ୟୁତ ବିଭାଗର ମନ୍ତ୍ରୀଙ୍କୁ ଫୋନ କଲେ ମଧ୍ୟ ରିସିଫ କରୁ ନାହାଁନ୍ତି l ଏଣୁ ଜିଲ୍ଲା ପ୍ରଶାସନ ବିଦ୍ୟୁତ କାଟକୁ ରୋକିବା ସହିତ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳର ଜନସାଧାରଣ ଦାବୀ କରିଛନ୍ତି ।