ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲାରେ ଗତ ୧୨ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଚାଲି ଆସୁଛି ରଥଯାତ୍ରା । ଚତୁର୍ଦ୍ଧାମୂର୍ତ୍ତି ମାଉସୀ ମନ୍ଦିରକୁ ଯାତ୍ରା କରିଥାନ୍ତି । ନର୍ଲା ଚାରିଛକରେ ରହିଥିବା ଜଗନ୍ନାଥ ମନ୍ଦିରରେ ଏନେଇ ଚାଲିଛି ବ୍ୟାପକ ପ୍ରସ୍ତୁତି । ଗତକାଲି ନେତ୍ର ଉତ୍ସଵ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବଡ଼ି ଭୋରରୁ ମଙ୍ଗଳ ଆଳତି, ସକାଳୁ ବାଳଭୋଗ ପ୍ରଭୃତି ଚାଲିଥିବା ବେଳେ ଚତୁର୍ଦ୍ଧାମୂର୍ତ୍ତି ମୂଖ୍ୟ ମଣ୍ଡପରୁ ଆସି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସକାଳୁ ଭକ୍ତଙ୍କ ଦର୍ଶନ ଭିଡ ଆରମ୍ଭ ହୋଇଯାଇଛି ।
ମୁଖ୍ୟ ପୂଜକ ପଣ୍ଡା ପଦ୍ମ ଲୋଚନ ପଣ୍ଡା ପୂଜନ କାର୍ଯ୍ୟ ପରିଚାଳନା କରୁଥିବା ବେଳେ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁଦାମ ପଣ୍ଡା, ନେତ୍ରାନନ୍ଦ ପାଢ଼ୀ ପ୍ରମୁଖ ପୂଜନ କାର୍ଯ୍ୟରେ ସହଯୋଗ କରୁଛନ୍ତି । ମନ୍ଦିର ପରିଚାଳନା କମିଟିର ସଭାପତି ଚିରଞ୍ଜିବି ଗୌଡ଼ିଆଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ରହିଥିବା ବେଳେ ମନ୍ଦିର ସମ୍ମୁଖରେ ରଥ ପ୍ରସ୍ତୁତ ହୋଇ ରହିଛି ।
ରଥ ସାଜସଜ୍ଜା କାମ ଚାଲିଛି । ମନ୍ଦିର ପରିଚାଳନା କମିଟିର କୋଷାଧ୍ୟକ୍ଷ ହୃଷିକେଶ ପାତ୍ର, ତପିନ୍ଦ୍ର ଗୌଡ଼ିଆ, ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ଚାନ୍ଦ, ପ୍ରଶାନ୍ତ ପଣ୍ଡା, ସୁଶାନ୍ତ ଚାନ୍ଦ, ଚୂଳମଣି ଗୌଡ଼ିଆ, ସତ୍ୟାନନ୍ଦ ବାଗ ପ୍ରମୁଖ ରଥଯାତ୍ରା ପାଇଁ ପାରିପାର୍ଶ୍ବିକ ପ୍ରସ୍ତୁତି କାର୍ଯ୍ୟ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି । ଭକ୍ତଙ୍କ ପାଇଁ ସକାଳୁ ଅନ୍ନଭୋଗ ଉପଲବ୍ଧ ରହିଥିବା ବେଳେ ଗଜାମୁଗ ଭୋଗ ମଧ୍ୟ ବଣ୍ଟନ ଚାଲିଛି ।
ସନ୍ଧ୍ୟା ୫ ଘଣ୍ଟା ସମୟରେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି ସୂତ୍ରରୁ ସୂଚନା ମିଳିଛି । ଅନ୍ୟପକ୍ଷେ ନର୍ଲା ଦୁର୍ଗାମଣ୍ଡପ ନିକଟରେ ରହିଥିବା ମାଉସୀ ମନ୍ଦିରରେ ଶ୍ରୀ ଜୀଉ ମାନଙ୍କ ଆଗମନ କୁ ଚାତକ ପରି ଚାହିଁ ରହିଛନ୍ତି ମାଉସୀ । ପାଗ ଅନୁକୂଳ ରହିଥିବାରୁ ରାସ୍ତା ଦୁଇକଡେ ଦୋକାନ ବଜାର ଭିଡ଼ ଆରମ୍ଭ ହୋଇଗଲାଣି । ଏଥରକ ନର୍ଲା ରଥଯାତ୍ରା ବେଶ ଜମିବ ବୋଲି ଭକ୍ତବୃନ୍ଦ ଉତ୍ସାହିତ ଥିବା ଜଣାପଡିଛି ।
ନର୍ଲା ବ୍ଲକ ଅଞ୍ଚଳରେ ନର୍ଲା ବ୍ଲକ ଅଂଚଳରେ ନର୍ଲା ସମେତ, ରୁପ୍ରାରୋଡ଼, ବୁଢ଼ୀପଦର ଦେବଗିରି ମଠ, ମାଣ୍ଡେଲ, ତୁଳାପଡା, ସେରଗଡ଼, ରୁପ୍ରା, ସରିଆଁ ପ୍ରଭୃତି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଶୃଙ୍ଖଳା ଦୃଷ୍ଟିରୁ ନର୍ଲା ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ନର୍ଲା ଆଇଆଇସି ଗଙ୍ଗାଧର ମେହେର ସୂଚନା ଦେଇଛନ୍ତି।