ଦେବଗିରିରେ ଶ୍ରୀଗୁଣ୍ଡିଚା ଯାତ୍ରା: ଡମ୍ ବଜା ଓ ଯାଦବ ସେବାୟତଙ୍କ ଗହଣରେ ମହାପ୍ରଭୁ ଦଧିବାମନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ପବିତ୍ର ଘୋଷ ଯାତ୍ରା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଠ ମନ୍ଦିରରେ ପାଳିତ ହୋଇଯାଇଛି। ଏହି କ୍ରମରେ ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ସ୍ଥିତ ଦେବଗିରି ମଠରେ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି ଦଧିବାମନ ଜୀଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା।  ଶୈବ, ଶାକ୍ତ, ବୈଷ୍ଣବ, ସୌର, ଗାଣପତ୍ୟ ଧର୍ମର ମିଳନ ସ୍ଥଳି ଦେବଗିରି ବୁଢିପଦରର ରଥଯାତ୍ରା ଭିନ୍ନ ଢ଼ଙ୍ଗରେ ପାଳିତ ହୋଇଥାଏ। ଏଥିରେ ଯାଦବ, କନ୍ଧ ଓ ଡମ୍ବ ସଂପ୍ରଦାୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରୁ ଖ୍ରୀଷ୍ଟିୟ ଦ୍ବିତୀୟ ଶତାବ୍ଦୀ ପର୍ଯ୍ୟନ୍ତ ଗତିଶୀଳ ଥିଲା ଦେବଗିରି। ଦେଶ ସ୍ବାଧୀନ ହେବା ପରେ ଏହି ମଠ ଓଡ଼ଶା  ହିନ୍ଦୁ ଦେବୋତ୍ତର ବିଭାଗ ଅଧୀନରେ ରହିଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେବଗିରି ମଠର ରଥ ଡମ୍ ବଜାର ତାଳେ ତାଳେ ଟଣା ଯାଇଥିଲା। ସକାଳ ୬ଟାରୁ ଶ୍ରୀଜୀଉଙ୍କ ବିଭିନ୍ନ ନିତି କାନ୍ତି ଆରମ୍ଭ ହୋଇ ଅପରାହ୍ନରେ ରଥାରୂଢ଼ ହୋଇଥିଲେ ମହାପ୍ରଭୁ। ଯାଦବ ସେବାୟତ ଓ କନ୍ଧ ଗୈାନ୍ତିଆ ଛେରାପହରା ନିତି ସଂପାଦନ କରିଥିଲେ। ଛୋଟ ଛୋଟ ଶିଶୁମାନଙ୍କ ରଥଛିଆଁ ସହ ସେମାନେ ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଡାହୁକଙ୍କ ଡ଼ାକ, ଘଣ୍ଟ ଓ ଡମ୍ ବଜା ସହ ଭକ୍ତମାନଙ୍କ ଜୟ ଜଗନ୍ନାଥ ଧ୍ବନୀରେ ମୁଖରିତ ହୋଇ ଉଠିଥିଲା ଦେବଗିରି। ରଥ ସନ୍ଧ୍ୟା ୭.୧୦ରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା। ସେଠାରେ ଯାଦବ ରମଣୀମାନଙ୍କ ବନ୍ଦାପନା ପରେ ସଂହାସନକୁ ବିଜେ କରିଥିଲେ ମହାପ୍ରଭୁ। ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ବିଜୟ ଧଙ୍ଗଡାମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟ୍ରଷ୍ଟର କାର୍ଯ୍ୟକର୍ତ୍ତା, ସଦସ୍ୟ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.