‘ରାମ ନାମ’ ଛଡାଇ ନେଲା କଂଗ୍ରେସ, ବିଜେପି ଜପୁଛି ‘କୃଷ୍ଣ ନାମ’!

ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି କଂଗ୍ରେସ ମଧ୍ୟରେ ରାଜନୀତି ସେତିକି ଜମୁଛି। ମଧ୍ୟପ୍ରଦେଶରେ କଂଗ୍ରେସ ରାମ ଓ ହନୁମାନଙ୍କ ପ୍ରସଙ୍ଗକୁ ନେଇ ଜୋରଦାର ପ୍ରଚାର ପ୍ରସାର ଚଳାଇଛି। ରାଜ୍ୟରେ ରାମ ବନପଥ ଗମନ ପାଇଁ କମଲନାଥ ସରକାର କିଭଳି କାମ କରିଥିଲେ ଓ ଆଗକୁ ଏ ସବୁ ପାଇଁ କଂଗ୍ରେସର ପ୍ଲାନ କଣ ଅଛି ସେ ସମ୍ପର୍କରେ ଦଳ ପ୍ରଚାର କରୁଛି। ଏପରିକି କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ ବେଳେ କମଲନାଥ ମଞ୍ଚ ଉପରେ ହନୁମାନଙ୍କ ଗଦା ଧରିଥିଲେ। ବଜରଙ୍ଗ ସେନା ମଧ୍ୟ କଂଗ୍ରେସ ସହ ହାତ ମିଳାଇଛି। ଏଭଳି ସ୍ଥିତିରେ ବର୍ତ୍ତମାନ ବିଜେପି କୃଷ୍ଣଙ୍କ ନାମ ଜପ କରିବା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶରେ କୃଷ୍ଣଙ୍କ ସମ୍ବନ୍ଧୀୟ ଯେତେ ସ୍ଥାନ ରହିଛି ସେସବୁର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି। ଯାଦବ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଚୌହାନ ଏ କଥା କହିଛନ୍ତି। କୃଷ୍ଣ ପାଠ ପଢ଼ୁଥିବା ଉଜ୍ଜୟିନୀରେ ଥିବା ସନ୍ଦିପନି ଆଶ୍ରମର ବିକାଶ ଦିଗରେ ସରକାର କାମ କରିଥିବା ବେଳେ କୃଷ୍ଣଙ୍କ ସହ ସମ୍ବନ୍ଧ ରଖୁଥିବା ଅନ୍ୟ ସବୁ ସ୍ଥାନର ବିକାଶ ତ୍ୱରାନ୍ୱିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୃଷ୍ଣଙ୍କ ସହ ସମ୍ପର୍କିତ ସ୍ଥାନର ବିକାଶ କରିବା ତାଂକ କର୍ତ୍ତବ୍ୟ ଏହା ରାଜନୀତି ନୁହେଁ ବୋଲି ଶିବରାଜ କହିଛନ୍ତି। କୃଷ୍ଣଙ୍କ ସହ ସମ୍ବନ୍ଧ ରଖୁଥିବା ରାଜ୍ୟର ସବୁ ସ୍ଥାନର ବିକାଶ ସବୁ ବର୍ଗଙ୍କୁ ଅନୁପ୍ରାଣିତ କରିବ ବୋଲି ସେ କହିଛନ୍ତି। ଏପରିକି ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ମୋହନ ଯାଦବଙ୍କୁ ତୁରନ୍ତ କୃଷ୍ଣଙ୍କ ସହ ଜଡିତ ସ୍ଥାନ ଗୁଡିକର ତାଲିକା ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। କୃଷ୍ଣଙ୍କ ସହ ସମ୍ବନ୍ଧ ରଖୁଥିବା ଗୋଶାଳା ଗୁଡିକର ବିକାଶ ଲାଗି ଶିବରାଜ ସରକାର ଚାରିଗୁଣ ଅଧିକ ଅର୍ଥ ଦେଇଛନ୍ତି ବୋଲି ସେ କହିଛନ୍ତି। ତେଣୁ ଆଗକୁ ନିର୍ବାଚନ ଥିବାରୁ ମଧ୍ୟପ୍ରଦେଶ ମୁଖ୍ୟ ଶିବରାଜ ସିଂ କୃଷ୍ଣଙ୍କ ସମ୍ପର୍କରେ ଏତେ ଗୁରୁତ୍ୱ ଦେବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ପ୍ରଦେଶ କଂଗ୍ରେସ ସଭାପତି କମଲନାଥ ରାମ ଓ ହନୁମାନଙ୍କ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଥିବାବେଳେ ଶିବରାଜଙ୍କ କୃଷ୍ଣ ଉପାଖ୍ୟାନ ବେଶ ରୋଚକ ହୋଇଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୭ ତାରିଖରେ ମଧ୍ୟପ୍ରଦେଶ ଗସ୍ତରେ ଆସିବେ। ରାଜ୍ୟରେ ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିବା ସହ ଅନ୍ୟାନ୍ୟ ବହୁ କାର୍ଯ୍ୟକ୍ରମରେ ଯୋଗ ଦେବେ। ଦେଶର ୧୦ ଲକ୍ଷ ବୁଥ କାର୍ଯ୍ୟକର୍ତାଙ୍କୁ ମଧ୍ୟପ୍ରଦେଶରୁ ଭରଚୁଆଲ ମାଧ୍ୟମରେ ଉଦବୋଧନ ଦେବେ ମୋଦି। ଏପରିକି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଜୁନ ୨୨ ତାରିଖରେ ଵାଲାଘାଟରୁ ବିରାଙ୍ଗନା ରାଣୀ ଦୁର୍ଗାବତୀ ଗୌରବ ଯାତ୍ରାର ଶୁଭାରମ୍ଭ କରିବେ। ତେଣୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଶିବରାଜଙ୍କ କୃଷ୍ଣ ନାମ ଜପ ମଧ୍ୟପ୍ରଦେଶ ରାଜନୀତିକୁ ଚଳଚଞ୍ଚଳ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.