ପଞ୍ଚାୟତ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଖଲ୍ଲିକୋଟ ଏନଏସି ନଗରପାଳ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ଗ୍ରାମାଞ୍ଚଳ ଲୋକମାନଙ୍କ ମୌଳିକ ସମସ୍ୟା ବୁଝିବା ପାଇଁ ବିଜେଡି କର୍ମକର୍ତା ମାନେ ତତ୍ପର ହୋଇ ଉଠିଛନ୍ତି l ବିଜେପି ଓ କଂଗ୍ରେସରେ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ତତ୍ପରତା ପ୍ରକାଶ ପାଉନଥିବା ବେଳେ ସରକାରୀ ଦଳ ବିଜେଡିର କର୍ମକର୍ତା ମାନେ ଅପେରା ଉଦ୍ଘାଟନ, ଜନ୍ମଦିନ ଓ ଯଜ୍ଞ, ମନ୍ଦିର ପ୍ରତିଷ୍ଠା ଭଳି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ଲୋକଙ୍କ ନିକଟତର ହେବା ପାଇଁ ଲାଗିପଡିଥିବା ଦେଖିବାକୁ ମିଳିଛି l ଖଲ୍ଲିକୋଟ ଏନଏସିର ଅଧକ୍ଷ ଇଂ. ନିରଞ୍ଜନ ବେହେରା ନିଜ ସହରାଂଚଳ ଲୋକଙ୍କ ଦୁଃଖ, ଦୁର୍ଦଶା ଓ ଉନ୍ନୟନ କାର୍ଯ୍ୟ ବୁଝିବା ପରେ ବର୍ତମାନ ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟା ବୁଝିବା ପାଇଁ ପଂଚାୟତ ମୁଁହା ହୋଇଥିବା ଘଟଣା ସାଧାରଣ ଖଲ୍ଲିକୋଟ ବାସୀଙ୍କୁ ଆଲୋଚନାର ଖୋରାକ ଯୋଗାଇଛି l ଗତ ୧୯ ତାରିଖ ଦିନ ଖଲ୍ଲିକୋଟ ନଗରପାଳ ଇଂ. ନିରଞ୍ଜନ ବେହେରା ଖଲ୍ଲିକୋଟ ବ୍ଲକର ମଥୁରା ପଂଚାୟତକୁ ଯାଇ ପଂଚାୟତର ସଭାଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଥିବା ଜଣାପଡିଛି l ଆୟୋଜିତ ସମୀକ୍ଷା ବୈଠକରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭିକେ ପାଣ୍ଡିଆନ ଦେଇଥିବା ବିଭିନ୍ନ ଜନହିତକର ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଥିଲେ l ମୁଖ୍ୟତଃ ପାନୀୟଜଳ, ଆଲୋକୀକରଣ ଓ ରାସ୍ତାଘାଟ ଭଳି ଜରୁରୀ କାଳୀନ ସରକାରୀ କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ପାଇଁ ପଂଚାୟତର ଛାମୁଆ ନେତା ମାନଙ୍କୁ ବୁଝାଇବା ସହ ରାଣୀ ମାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆସିଥିବା କଥା ବୈଠକରେ ଶ୍ରୀ ବେହେରା ପ୍ରକାଶ କରିଥିଲେ l ଲୋକଙ୍କ ଭତ୍ତା, ରାସନ କାର୍ଡ ଭଳି ବିଭିନ୍ନ ସୁବିଧା ଅସୁବିଧା ବୁଝିବେ ବୋଲି ନଗରପାଳ ଶ୍ରୀ ବେହେରା ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ l ଉକ୍ତ ବୈଠକରେ ସମିତି ସଭ୍ୟା ଜ୍ୟୋସ୍ନା ରାଣୀ ଶବର, ନାଏବ ସରପଞ୍ଚ ଡି .ଲକ୍ଷ୍ମୀ ପାତ୍ର ଓ ସମସ୍ତ ୱାର୍ଡ ସଭ୍ୟ, ଦିଲୀପ ବେହେରା, ନାରାୟଣ ନାହାକ, ସନ୍ତୋଷ ସାହୁ, ଖଲ୍ଲି ରଥ ହଜାରୀ ଜେନା, ଭଗବାନ ପାଲ, ଗଜେନ୍ଦ୍ର ସାହୁ ଓ ଦାନପୁର ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ ଓ ଯୁବ ନେତା ନିରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିବା ବେଳେ ସରପଞ୍ଚ ମେହମତ ସେଠି ପଂଚାୟତ ବିଭିନ୍ନ ସମସ୍ୟା ଆଲୋକପାତ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ l ତେବେ ଏ ସମ୍ପର୍କରେ ଖଲ୍ଲିକୋଟ ପଂଚାୟତ ସମିତି ଅଧକ୍ଷ ଦୈତାରୀ ବେହେରାଙ୍କ ସହ ଯୋଗାଯୋଗ କରିବାରେ ଏ ନେଇ ତାଙ୍କ ପାଖରେ କୌଣସି ଖବର ନଥିବା ପ୍ରକାଶ କରିଥିଲେ l ଏ ନେଇ ଏନଏସି ଅଧକ୍ଷ ଇଂ. ଶ୍ରୀ ବେହେରାଙ୍କ ଯୋଗାଯୋଗ କରିବାରେ ଖଲ୍ଲିକୋଟର ବରିଷ୍ଠ ବିଜେଡି ନେତ୍ରୀ ଭି.ସୁଜ୍ଞାନୀ କୁମାରୀ ଦେଓଙ୍କ ନିର୍ଦେଶ ଅନୁଯାଇ ଗ୍ରାମାଞ୍ଚଳରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ବିଭାଗୀୟ ଅଧିକାରୀଙ୍କ ଜରିଆରେ ସମାଧାନ କରିବା ପାଇଁ ଉଦ୍ୟମ ହୋଇଥିବା ପ୍ରକାଶ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.