ସ୍ୱାସ୍ଥ୍ୟ ମନ୍ତ୍ରୀ ନେଲେ କଡା ଏକ୍ସନ: ମାଲକାନଗିରି ବଦଳି ହେଲେ ସୁବର୍ଣ୍ଣପୁରର ବିବାଦୀୟ ଡାକ୍ତର 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ବିବାଦୀୟ ଡାକ୍ତର ମନୋଜ ନାଏକଙ୍କୁ ମାଲକାନଗିରିର ଚିତ୍ରକୋଣ୍ଡାକୁ ବଦଳି ହୋଇଛି । ଏହି ଡାକ୍ତରଙ୍କ ନର୍ସିଙ୍ଗ ହୋମ ପ୍ରୀତି ଯୋଗୁଁ ପ୍ରସୂତି ମହିଳା ରଞ୍ଜିତା ବାଘ ଜୀବନ ହାରିଥିବା ଅଭିଯୋଗ ହୋଇଥିଲା । ଏ ସଂପର୍କରେ ବାରମ୍ବାର ‘ଓଡ଼ିଆ ବାର୍ତ୍ତା’ରେ ମଧ୍ୟ ଖବର ପ୍ରସାରଣ ହୋଇଥିଲା । ଘଟଣାର ଗୁରୁତ୍ୱକୁ ଦେଖି ବୁଧବାର ରାଜ୍ୟ ସରକାର ମାଲକାନଗିରି ଚିତ୍ରକୋଣ୍ଡାକୁ ବିବାଦୀୟ ଡାକ୍ତର ମନୋଜ ନାଏକଙ୍କୁ ବଦଳି କରିଛନ୍ତି । ଆଜି ଏ ଖବରରେ ସୋନପୁରର ବୁଦ୍ଧିଜୀବୀ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସ୍ୱଚ୍ଛତା ଓ କାର୍ଯ୍ୟ ଦକ୍ଷତାକୁ ଖୁବ ପ୍ରଂଶସା କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛି ଦିନତଳେ ଜିଲ୍ଲାର ମାତୃ ଓ ଶିଶୁ ଡାକ୍ତରଖାନାରୁ ବିନିକା ସିନ୍ଦୁରପୁରର ରଞ୍ଜିତା ବାଘଙ୍କୁ ଡିଉଟିରେ ଥିବା ଡାକ୍ତର ମନୋଜ ନାଏକ ସ୍ଥାନୀୟ ଆଶା ନର୍ସିଂହୋମକୁ ସ୍ଥାନାନ୍ତରିତ ପାଇଁ ପ୍ରବର୍ତ୍ତାଇ ସକାଳେ ସେଠାରେ ତାଙ୍କର ଅସ୍ତ୍ରୋପଚାର କରିବା ପରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ରଞ୍ଜିତା । ହେଲେ କିଛି ସମୟ ପରେ ପ୍ରସୂତି ରଞ୍ଜିତା ବାଘଙ୍କ ପ୍ରଚୁର ରକ୍ତସ୍ରାବ ହେତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାଯୋଗୁଁ ତାଙ୍କୁ ଅସ୍ତ୍ରୋପଚାର କରିଥିବା ଡାକ୍ତର ନାଏକ ପ୍ରସୂତିଙ୍କୁ ସ୍ଥାନୀୟ ରକ୍ତ ଭଣ୍ଡାର ରୁ ୫ୟୁନିଟ ରକ୍ତ ମଗାଇଥିଲେ ହେଁ ଅପରାହ୍ନ ୪ଟା ଭିତରେ ରଞ୍ଜିତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ଏକ ପ୍ରାଇଭେଟ ଆମ୍ବୁଲାନ୍ସ ମଗାଇ ବୁର୍ଲା ପଠାଇଥିଲେ । ହେଲେ ସେଠାରେ ରଞ୍ଜିତାଙ୍କର ମୃତ୍ୟୁ ହୋଇଥିଲା ।

ଡାକ୍ତରଙ୍କ ଘରୋଇ ନର୍ସିଂହୋମ ପ୍ରୀତି ସାଙ୍ଗକୁ ଚିକିତ୍ସାରେ ଘୋର ଅବହେଳା ଯୋଗୁଁ ମହିଳା ରଞ୍ଜିତା ବାଘଙ୍କ ମୃତ୍ୟୁ ଘଟଣାରେ ସହରର ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା । ଏହି ଦୁର୍ଭାଗ୍ୟପୂର୍ଣ ଘଟଣାରେ ବ୍ରହ୍ମପୁରର ମାନବାଧିକାର କର୍ମୀ ରବିନ୍ଦ୍ର ମିଶ୍ର ମଧ୍ୟ ଉଚ୍ଚସ୍ତରୀୟ ତଦନ୍ତକରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ମୃତ ରଞ୍ଜିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଏପଟେ ବୁଧବାର ସ୍ଥାନୀୟ ସର୍କିଟ ହାଉସ ଠାରେ ଏ ସଂପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା ଏକ ଦୁଃଖଦ ଘଟଣା ଏହି ବିଷୟ ଏବେ ସିଡିଏମ୍ଓଙ୍କ ର ତଦନ୍ତାଧିନ ରହିଛି ଦୋଷୀ ଯିଏବି ହୁଅନ୍ତୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ତେବେ ସ୍ବାସ୍ଥ୍ୟ ମନ୍ତ୍ରୀ ମାତ୍ର ୪ ଘଣ୍ଟା ମଧ୍ୟରେ ତ୍ବରିତ ପଦକ୍ଷେପ ନେଇ ବିବାଦୀୟ ଡାକ୍ତର ମନୋଜ ନାଏକଙ୍କୁ ଅନ୍ୟତ୍ର ବଦଳି କରି ଦେଇଛନ୍ତି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.