ସୋନପୁରରେ ରଥଟଣା ବେଳେ ଉପଜିଲ୍ଲାପାଳ କୈବର୍ତ୍ତ ସମାଜ ବିବାଦ

ଏସପିଙ୍କ ବୁଝାସୁଝା ପରେ ଗୁଣ୍ଡିଚା ମନ୍ଦିର ବିଜେ କଲେ ତିନି ଠାକୁର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରଥଟଣା ବେଳେ ଉପଜିଲ୍ଲାପାଳ ଓ କୈବର୍ତ୍ତଙ୍କ ମଧ୍ୟରେ ବିବାଦ ଯୋଗୁଁ ୨ଘଣ୍ଟା ଧରି ପହଣ୍ଡି କାର୍ଯ୍ୟ ବିଳମ୍ବ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ବୁଧବାର ରଥଟଣା ସମୟରେ ତିନି ରଥର ଚକ ଭାଙ୍ଗି ଯାଇଥିଲା। ଏହାକୁ ନେଇ ସେଠାରେ ଉପସ୍ଥିତ ଥିବା ଉପଜିଲ୍ଲାପାଳ ଡ.ଇପସୀତା ପ୍ରିୟଦର୍ଶୀନି ମିଶ୍ର କୈବର୍ତ୍ତମାନଙ୍କୁ ତୁମ୍ଭର ଭୁଲ ରଥଟଣା ନୀତି ଯୋଗୁଁ ରଥ ଚକ ଭାଙ୍ଗିଥିବା କହିଥିବା କୈବର୍ତ୍ତ ସମାଜର ଲୋକ ପ୍ରକାଶ କରିଛନ୍ତି। ପରେ ରଥଚକ ମରାମତି କରାଯାଇ ପୁଲିସ ଫୋର୍ସ ଦ୍ଵାରା ରଥଟଣା ଯାଇ ଗୁଣ୍ଡିଚା ମନ୍ଦିରକୁ ଅଣାଯାଇଥିଲା। ଏହି ଘଟଣାକୁ ନେଇ କୈବର୍ତ୍ତ ସମାଜ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପହଣ୍ଡି ପାଇଁ ରଥ ଉପରୁ ମହାପ୍ରଭୁଙ୍କୁ ତଳକୁ ଆଣିବା ପାଇଁ ଚାଳ(ସିଡି) ପକାଇବା ପାଇଁ କୈବର୍ତ୍ତ ସମାଜ ପକ୍ଷରୁ ମନା କରାଯାଇଥିଲା। ଏପରିକି କୈବର୍ତ୍ତ ସମାଜ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖା ଦେଇଥିବାବେଳେ ଏଥିପାଇଁ ଦୀର୍ଘ ୨ ଘଣ୍ଟା ଧରି ପହଣ୍ଡି ନୀତି ବନ୍ଦ ରହିଥିଲା।

ମହାପ୍ରଭୁ ବୁଧବାର ରାତି ୧୧.୩୦ ରେ ମାଉସୀ ମନ୍ଦିରକୁ ପ୍ରବେଶ କରିବା ଭଳି ଘଟଣା ଉପସ୍ଥିତ ଭକ୍ତବୃନ୍ଦଙ୍କୁ ବ୍ୟଥିତ କରିଥିବା ବେଳେ ପରେ ଘଟଣାସ୍ଥଳକୁ ଏସପି ଅମରେଶ ପଣ୍ଡା ଏବଂ ଉପଜିଲ୍ଲାପାଳ ପହଞ୍ଚି ବୁଝାସୁଝା କରିବା ପରେ ପହଣ୍ଡି ନୀତି ହେବାସହ ତିନି ଠାକୁରଙ୍କୁ ଗୁଣ୍ଡିଚା ମନ୍ଦିର ବିଜେ କରାଯାଇଥିଲା। ଏ ସମ୍ପର୍କରେ ଉପଜିଲ୍ଲାପାଳ ଡ.ଶ୍ରୀମତୀ ମିଶ୍ର ସେ କୈବର୍ତ୍ତ ସମାଜକୁ କିଛି କହି ନଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେପଟେ ରଥଯାତ୍ରା ପରିଚାଳନା ପାଇଁ ଦେବୋତ୍ତର ବିଭାଗ କୌଣସି ପବ୍ଲିକ ମିଟିଂ ଠିକ ଢଙ୍ଗରେ କରିନଥିବା ବିଭିନ୍ନ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଓ ରଥ କାଠ ମଧ୍ୟ ପୁରୁଣା ହୋଇ ଯାଇ ଥିବାରୁ ରଥ ଚକ ବାରମ୍ବାର ଭାଙ୍ଗୁ ଥିବା ଅଭିଯୋଗ କରିଛନ୍ତି କୈବର୍ତ୍ତ ସମାଜ। ସେପଟେ ରଥଯାତ୍ରା ପରିଚାଳନା ପାଇଁ କୋଭିଡ ପରେ କିଛି ପଇସା ଆସୁନଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.