ଉଲିକୁପା ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ 

୨୦ ଗ୍ରାମର ଶ୍ରଦ୍ଧାଳୁ ଭକ୍ତ ଓ ଲୋକ ପ୍ରତିନିଧି ସାମିଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଉଲିକୁପା ନବ ନିର୍ମିତ ଜଗନ୍ନାଥ ମନ୍ଦିରରେ ରତ୍ନମୁଦ ଉତ୍ସଵ ପବିତ୍ର ବାହୁଡା ଯାତ୍ରା ଦିନ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ପୂର୍ବତନ ସରପଞ୍ଚ ଆନନ୍ଦ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରତ୍ନମୁଦ ଉତ୍ସବ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋମ ଯଜ୍ଞରେ ଆନନ୍ଦ ମାଝୀ ଓ ତାଙ୍କ ଧର୍ମପତ୍ନୀ ତିଳୋତ୍ତମା ମାଝୀ, କୁମରମଣି ଶବର ଓ ତାଙ୍କ ଧର୍ମପତ୍ନୀ କଳ୍ପନା ଶବର, ଜୟଦେବ ସା ଓ ତାଙ୍କ ଧର୍ମପତ୍ନୀ ସମବାରୀ ସା ଏଭଳି ତିନିଯୋଡି ଦମ୍ପତି ଯଜ୍ଞ କର୍ତ୍ତା ବାବରେ ଦାଇତ୍ୱ ନିର୍ବାହନ କରିଥିଲେ । ଏହି ଭବ୍ୟ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ଯୁବନେତା ଦଲଜିତ ସିଂ, ଚିତ୍ତରଞ୍ଜନ ମଣ୍ଡଳ ଏବଂ ଆଖପାଖ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଦସ୍ୟ/ସଦସ୍ୟା ଓ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ସାମିଲ ହୋଇ ଧାନ, ପଞ୍ଚଶସ୍ୟ, ମୁଦ୍ରା, ସୁନା, ରୁପା ପ୍ରଭୃତି କୁମ୍ଭରେ ଭର୍ତ୍ତି କରିଥିଲେ । ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉଲିକୁପାର ଜ୍ୟୋତି ବିକାଶ କ୍ଲବ ଦ୍ୱାରା ଘଣ୍ଟବାଦ୍ୟ ପରିବେଷଣ, ମାଣିକେଶ୍ୱରୀ କ୍ଲବ ଉଲିକୁପା ଦ୍ୱାରା ବେଣ୍ଡ ବାଦ୍ୟ ଓ ଡମ୍ ବାଜା, ଉଲିକୁପା ସ୍କୁଲପଡା ସଂକିର୍ତ୍ତନ ଦଳର ସଂକୀର୍ତ୍ତନ ପରିବେଷଣ, ଡୁମେର ବହାଲର ଘଣ୍ଟଦଳର ଘଣ୍ଟବାଦ୍ୟ ପରିବେଶିତ ହୋଇଥିଲା । ଏହି ରତ୍ନମୁଦ କାର୍ଯ୍ୟକ୍ରମ ସକାଳ ୧୦ ଘଣ୍ଟାରୁ ରାତି ୮ ଟା ଯାଏଁ ନୀରବିଛିନ୍ନ ଭାବରେ ଚାଲିଥିଲା । ଏଥିରେ ଉଲିକୁପାର ବରିଷ୍ଠ ନାଗରିକ ଓ ଶ୍ରଦ୍ଧାଳୁ ଭକ୍ତ ମାନେ ଯଜ୍ଞ ପରିଚାଳନାରେ ବିଶେଷ ସହେଯାଗ କରିଥିଲେ । ବ୍ରହ୍ମା ପଣ୍ଡିତ ଭାବରେ ବଡଧାରପୁରର ବିନୋଦରଥ ଯଜ୍ଞାଚାର୍ଯ୍ୟ ଭାବରେ ଯଜ୍ଞ ପରିଚାଳନା କରିଥିବା ବେଳେ ତାଙ୍କ ସହଯୋଗୀମାନେ ପୂଜନ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଉଲିକୁପା ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ୧୦ ଡିସିମିଲ ଭୂମିଦାନ କରିଥିବା ଉଲିକୁପାର ଭୀମ ରଣା ଓ ମନ୍ଦିର ନିର୍ମାତା ମହାରଣା ନୟାଗଡର ଶରତ ଚନ୍ଦ୍ର ଜେନାଙ୍କୁ ଉତ୍ୟବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନର୍ଲା, କେସିଙ୍ଗା ଓ ସଦର ଭବାନୀପାଟଣା ବ୍ଲକର ୨୦ ରୁ ଉର୍ଦ୍ଧ୍ବ ଗ୍ରାମର ଲୋକ ପ୍ରତିନିଧି ଓ ଶ୍ରଦ୍ଧାଳୁ ଭକ୍ତ ସାମିଲ ହୋଇ ମହାର୍ଘ ରତ୍ନମୁଦ କାର୍ଯ୍ୟରେ ନିଜକୁ ସାମିଲ କରି ବିଭୁ କୃପା ଲଭିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.