ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପାରାୟଣ
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ଓଡ଼ିଶାର ଅଗ୍ରଣୀ ସାହିତ୍ୟ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ, ବିଶ୍ବେଶ୍ବର ମାଝୀଙ୍କ ପୌରହିତ୍ୟରେ, କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କର ସଭାପତିତ୍ୱରେ ଆଭାସୀ ମାଧ୍ୟମରେ ଗୀତାମୃତ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଷ୍ଣୁପ୍ରିୟା ପଣ୍ଡା ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଓ ଅଭିନନ୍ଦନ କରିଥିଲେ । ପ୍ରଶାନ୍ତ କୁମାର ରାଉଳ, ବିଦ୍ୟୁତପ୍ରଭା ମିଶ୍ର, ବିପିନ ବିହାରୀ ବାରିକ, ପ୍ରଫୁଲ୍ଲ କୁମାର ଦାସ ଏବଂ ଗାୟତ୍ରୀ ତ୍ରିପାଠୀ ପ୍ରମୁଖ ସତସଙ୍ଗୀମାନେ ସୁନ୍ଦର ଭାବରେ ସୁଲଳିତ ସ୍ବରରେ ଗୀତାମୃତ ପାରାୟଣ କରିଥିବା ବେଳେ ପଣ୍ଡିତ ପ୍ରବାଚକ ତଥା ଗବେଷକ ଓ ପାଲା ସମୀକ୍ଷକ ଡ଼ଃ ନିରଞ୍ଜନ ସାହୁ ଖୁବ୍ ସୁନ୍ଦର ଭାବରେ ବିଭିନ୍ନ ଉଦାହରଣ ମାଧ୍ୟମରେ ତାତ୍ତ୍ବିକ ଓ ତଥ୍ୟପୂର୍ଣ୍ଣ ଆଲୋଚନା କରିଥିଲେ । ପଣ୍ଡିତ ଡ଼ଃ ସାହୁଙ୍କ ବର୍ଣ୍ଣନା ଖୁବ ଉଚ୍ଚକୋଟୀର ଥିଲା । ଋକ୍ ବେଦର ଅଘମର୍ଷଣ ସୂତ୍ର ପାଠ କରିବା ସହିତ ଦଶମ ମଣ୍ଡଳର ରିଚାନୁସାରେ ପ୍ରତ୍ୟେକ ବ୍ୟକ୍ତିର ଅଘମର୍ଷଣ ହେବା ଉଚିତ ବୋଲି କହିଥିଲେ । କାରଣ ମଣିଷର ପ୍ରତ୍ୟେକ ପ୍ରକାରର ତୃଟି ସଂଶୋଧିତ ହେବା ଉଚିତ । ସତ୍ତ୍ବଗୁଣୀ ହେବା ପାଇଁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସବୁବେଳେ କହିଛନ୍ତି । ମଣିଷ ପୂଣ୍ୟ ଅଧିକ କଲେ ସ୍ବର୍ଗବାସ, ପାପ ବଢିଗଲେ ନର୍କଗାମୀ ଏବଂ ପାପପୂଣ୍ୟ ସମାନ ହେଲେ ନରଜନ୍ମ ହୁଏ । ମନ ସଂଯମ, ଇନ୍ଦ୍ରିୟଗଣ ସଂଯମ, ତପସ୍ୟା, ଶୌଚ, କ୍ଷମା, ସରଳତା, ଜ୍ଞାନ, ବିଜ୍ଞାନ, ଈଶ୍ବର ବିଶ୍ବାସ ଇତ୍ୟାଦି ଗୁଣ ବ୍ରାହ୍ମଣଙ୍କ ସ୍ବାଭାବିକ କର୍ମ ବୋଲି କର୍ମ ସନ୍ୟାସ ଯୋଗଃର ୪୨ତମ ଶ୍ଲୋକର ବ୍ୟାଖାରେ ବର୍ଣ୍ଣନା କରିଥିଲେ ପଣ୍ଡିତ ଡ଼କ୍ଟର ନିରଞ୍ଜନ ସାହୁ ।ବୀରତ୍ବ, ତେଜ, ଧୈର୍ଯ୍ୟ, ଯୁଦ୍ଧକ୍ଷେତ୍ରରୁ ଅପଳାୟନ, ଦାନ ଓ ପ୍ରଭୁତ୍ବ ଇତ୍ୟାଦି ଗୁଣ କ୍ଷତ୍ରିୟର ସ୍ବାଭାବିକ କର୍ମ । ଯାହାଙ୍କ ଠାରୁ ସବୁ ପ୍ରାଣୀ ଜାତ ହୋଇଛନ୍ତି, ଯିଏ ଏହି ସମଗ୍ର ଜଗତରେ ବ୍ୟାପ୍ତ, ସେହି ପରମେଶ୍ବରଙ୍କୁ ସ୍ବକର୍ମ ଦ୍ବାରା ଆରାଧନା କରି ମାନବ ସିଦ୍ଧି ଲାଭ କରେ ବୋଲି ଶ୍ରୀକୃଷ୍ଣଙ୍କ ଶ୍ରୀମୁଖନିସୃତ ଗୀତାରେ ବର୍ଣ୍ଣିତ ହୋଇଛି । ଅନନ୍ତ ଗୋପାଳ, ପଣ୍ଡିତ ଶ୍ୟାମସୁନ୍ଦର ଦାଶ, ପଣ୍ଡିତ ପ୍ରଦୀପ୍ତ ମିଶ୍ର, ପଣ୍ଡିତ ଭାବଗ୍ରାହୀ ମିଶ୍ର, ପଣ୍ଡିତ ଧନଞ୍ଜୟ ମିଶ୍ର, ପଣ୍ଡିତ ଚାଣ୍ଡାଳ ମିଶ୍ର, ପଣ୍ଡିତ ଦେବେନ୍ଦ୍ର ନାଥ ପରିଡା ପ୍ରଭୃତି ବିଭିନ୍ନ ସ୍ଥାନର ବିଜ୍ଞ ପଣ୍ଡିତ ପ୍ରବାଚକମାନଙ୍କ ଉପସ୍ଥିତିରେ ସତସଙ୍ଗ ଓ ପାରାୟଣ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ସ୍ଥାନରୁ ୪୦ ରୁ ଉର୍ଦ୍ଧ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇଥିଲେ । ସମସ୍ତେ ଭାବବିହ୍ବଳିତ ହୋଇ ଅଷ୍ଟାଦଶ ଅଧ୍ୟାୟର ଶ୍ଲୋକ ବ୍ୟାଖ୍ୟା ଉପଭୋଗ କରିଥିଲେ । ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ ।