‘ବାହାନଗା ଟ୍ରେନ ଦୁର୍ଘଟଣର ସିଆରଏସ ରିପୋର୍ଟ ସାର୍ବଜନୀନ କରିବୁ ନାହିଁ’

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବାଲେଶ୍ୱର ରେଳ ଦୁର୍ଘଟଣାରେ କମିଶନ ଅପ୍ ରେଲଓ୍ବେ ରିପୋର୍ଟ ବା ସିଆରଏସ ରିପୋର୍ଟକୁ ସାର୍ବଜନୀନ କରିବନି ଭାରତୀୟ ରେଳବାଇ। ଦୁର୍ଘଟଣାର ସିବିଆଇ ତଦନ୍ତକୁ ଏହା ପ୍ରଭାବିତ ନକରିବା ପାଇଁ ବରିଷ୍ଠ ଅଧିକାରୀମାନେ ଶୁକ୍ରବାର ଖବର ସରବରାହ ସଂସ୍ଥା ପିଟିଆଇକୁ ସୂଚନା ଦେଇଛନ୍ତି। ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ, କିନ୍ତୁ କେତେକ ସୂତ୍ରରୁ ପ୍ରକାଶ ଯେ ରେଳ ସୁରକ୍ଷା ଆୟୋଗ (ସିଆରଏସ୍) ତାଙ୍କ ରିପୋର୍ଟରେ କହିଛି ଯେ ‘ସିଗନାଲ ଓ ଟେଲିକମ୍ ବିଭାଗ’ ଏବଂ ପରିବହନ ବିଭାଗରେ ଡ୍ୟୁଟିରେ ଥିବା ଅଧିକାରୀଙ୍କ ‘ମାନବୀୟ ତ୍ରୁଟି’ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍ ଚଳାଚଳ ପାଇଁ ଧାର୍ଯ୍ୟ କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ପାଳନ କରିବାରେ ଅଧିକାରୀମାନେ ବିଫଳ ହୋଇଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି, ସିଆରଏସ୍ ରିପୋର୍ଟ ଉପରେ ଆମେ କୌଣସି ପ୍ରକାରର ଖୁଲାସା କରିବୁ ନାହିଁ, କାରଣ ଏହି ରିପୋର୍ଟ ଯେପରି କୌଣସି ପ୍ରକାରେ ଦ୍ୱିତୀୟ ତଦନ୍ତକୁ ପ୍ରଭାବିତ ନ କରେ ସେଥିପାଇଁ ସିବିଆଇର ନିରପେକ୍ଷ ତଦନ୍ତ ଜାରି ରହିଛି। ଘଟଣାର ତଦନ୍ତର ନେତୃତ୍ୱ ନେଉଥିବା ସିଆରଏସ୍ ଏ. ଏମ୍. ଚୌଧୁରୀ ଗୁରୁବାର ଦିନ ରେଳବାଇ ବୋର୍ଡକୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏଭଳି ରିପୋର୍ଟ ସାଧାରଣତଃ ଉପରିସ୍ଥ ଅଧିକାରୀଙ୍କ ପାଖରେ ଉପଲବ୍ଧ ହେଉଥିବା ବେଳେ କୌଣସି ଲିକେଜ୍ ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂତ୍ରରୁ ପ୍ରକାଶ। ଜୁନ ଦୁଇ ତାରିଖରେ ତିନିଟି ଟ୍ରେନ୍ ଦୁର୍ଘଟଣା ସମ୍ମୁଖୀନ ହୋଇଥିଲେ। ଏହା ସବୁଠାରୁ ବଡ଼ ରେଳ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ। ଜୁନ୍ ୨ରେ ହୋଇଥିବା ଏହି ଦୁର୍ଘଟଣାରେ ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.