ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ବିରିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିକରି ତାଲା ପକାଇ ଦେଇଛନ୍ତି ଅବିଭାବକ। ବିରିକୋଟ ଗାଁରେ ୧୯୫୬ ମସିହାରେ ସ୍ଥାପିତ ହୋଇଥିବା ଏହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏବେ ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢା ଚାଲିଛି। ଅତୀତରେ ଏହି ବିଦ୍ୟାଳୟରୁ ବହୁ ମେଧାବୀ ଛାତ୍ରଛାତ୍ରୀ ନବୋଦୟ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ହେଲେ ଏବେ ସେହି ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଥିବାରୁ ପାଠପଢା ଏକ ରକମର ଠପ୍ ହୋଇଯାଇଛି।ଗତ ୨୦୨୦ କୋରୋନା ଲକ୍ ଡାଉନ୍ ସମୟରୁ ଜଣେ ମାତ୍ର ଶିକ୍ଷକ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢାଇବା କଷ୍ଟକର ହୋଇ ପଡିଛି। ବାରମ୍ବାର ଶିକ୍ଷକ ନିଯୁକ୍ତି ପାଇଁ ଦାବି କରି ଆସୁଥିଲେ ମଧ୍ୟ ଶିକ୍ଷା ବିଭାଗ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି। ଏଭଳି ପରିସ୍ଥିତିରେ ସ୍ଥାନୀୟ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି। ସେମାନେ ପ୍ରଶାସନର ଏଭଳି ବୈମାତୃକ ମନୋଭାବରେ ଅତିଷ୍ଠ ହୋଇ ଶେଷରେ ବିଦ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଜିଲ୍ଲା କର୍ତ୍ତୃପକ୍ଷ ତୁରନ୍ତ ବିଦ୍ୟାଳୟକୁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ନ ଦେଲେ ପ୍ରତିବାଦ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି। ସରକାର ଗୋଟିଏ ପଟେ ଫାଇବ୍-ଟି ବିଦ୍ୟାଳୟ ଖୋଲି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରୁଥିବା ଦାବି କରୁଥିବା ବେଳେ ଆରପଟେ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଅତି ଦୟନୀୟ ପରିସ୍ଥିତି ଦେଇ ଗତି କରୁଥିବାରୁ ଅଞ୍ଚଳବାସୀ ଉଦବେଗ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.