ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପୂର୍ବରୁ ଯାତ୍ରୀଙ୍କୁ ଉତ୍ତମ ସେବା ଯୋଗାଇ ଆସୁଥିବା ଭାରତୀୟ ରେଳବାଇ ଏବେ ବିଭିନ୍ନ କାରଣ ଯୋଗୁଁ ବିବାଦ ଘେରରେ ରହୁଥିବା ଦେଖାଯାଇଛି। କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡର ଦୁଇଜଣ ଯାତ୍ରୀଙ୍କ ରିଜର୍ବଭେସନ କନଫାର୍ମ ହୋଇଥିବାବେଳେ ସଂପୃକ୍ତ ଟ୍ରେନନେ ଉକ୍ତ ବଗି ନଥିଲା। ଯାହା ଫଳରେ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସୂଚନା ଅନୁସାରେ ରୁପ୍ରାରୋଡ ବାସିନ୍ଦା ରାଧୁ ଅଗ୍ରୱାଲ (୭୦) ଗତ ଜୁନ ୨୬ରେ ମେଡିକାଲ କାମ ପାଇଁ ରୁପ୍ରାରୋଡରୁ କୋରବା ଏକ୍ସପ୍ରେସ ଯୋଗେ ବିଶାଖାପାଟଣା ଯାତ୍ରା କରିଥିଲେ। ଏଥିପାଇଁ ସେ ଜୁନ୍ ୨୪ରେ ରୁପ୍ରାରୋଡ ରେଳ ଷ୍ଟେସନରୁ ଟିକଟ କରିଥିଲେ। ତାଙ୍କ ଟିକଟ ନିଶ୍ଚିତ ଥିଲା ବି୮-୫୨ରେ। କିନ୍ତୁ ରାତି ଅଧରେ ରୁପ୍ରାରୋଡରୁ ଯାତ୍ରା ଆରମ୍ଭ ପରେ ଟିକଟ ଜାଞ୍ଚ ସମୟରେ ସେହି କୋଚ/ବଗି ନଥିବା କଥା ସୂଚନା ଦେଇଥିଲେ ଟିକେଟ ନିରୀକ୍ଷକ। ଏହାପରେ ବୟସ୍କ ନାଗରିକ ଶ୍ରୀ ଅଗ୍ରୱାଲ ବହୁତ ଅନୁରୋଧ କରିବାପରେ ତାଙ୍କୁ ବସିବା ପାଇଁ ସିଟ ଖଣ୍ଡକ ମିଳିଥିଲା। ସେହିପରି ରୁପ୍ରାରୋଡର ମୁକେଶ ଅଗ୍ରୱାଲ ତାଙ୍କ ଝିଅ ପ୍ରିୟା ଅଗ୍ରୱାଲ ପାଇଁ ରୁପ୍ରାରୋଡରୁ ରାୟପୁର ପର୍ଯ୍ୟନ୍ତ ଟିକେଟ ଅନଲାଇନରେ ବିଶାଖାପାଟଣା-କୋରବା ଏକ୍ସପ୍ରେସରେ କାଟିଥିଲେ। ତାଙ୍କ ଟିକେଟ ମଧ୍ୟ ନିଶ୍ଚିତ ଥିବାବେଳେ କୋଚ/ବଗି ନମ୍ବର ବି ୮-୬୫ ଆବଣ୍ଟନ ହୋଇଥିଲା। ଯାହାକି ଟିଟିଲାଗଡ ଜଙ୍କସନ କର୍ତୃପକ୍ଷଙ୍କୁ ପଚାରିବାରୁ ଏହା ଅସମ୍ଭବ ଅଟେ, ଯଦି ଏମିତି ହେଇଛି ତେବେ ରେଳ ଅଦାଲତରେ ଅଭିଯୋଗ କରନ୍ତୁ ବୋଲି କହିଥିଲେ। ରେଳ ବିଭାଗର ଏହି ଖାମଖିଆଲି ଏବଂ ମହାତୃଟି ପାଇଁ ଯାତ୍ରୀ ନାହିଁ ନଥିବା ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାର ଉପଯୁକ୍ତ ତଦନ୍ତ କରି ରେଳ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ, ନହେଲେ ଭାରତୀୟ ରେଳବାଇ ଉପରୁ ଯାତ୍ରୀଙ୍କ ଭରସା ଉଠିଯିବ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।