ରେଲୱେ କାମରେ ମାଟି ଅତଡା ଖସି ଶ୍ରମିକ ମୃତ୍ୟୁ ପ୍ରସଙ୍ଗ : ସୁରକ୍ଷା ନେଇ ଉଠିଲା ବିରାଟ ପ୍ରଶ୍ନବାଚୀ !

ଆଳୁ ଖୋଳୁ ଖୋଳୁ ମହାଦେବ

ମୃତ ଶ୍ରମିକ ନାବାଳକ ! : ସତ୍ୟ ହେଲେ ସାଂଘାତିକ

ପ୍ରିୟା ପ୍ରିତି ତୋଷଣରେ ଚାଲିଛି କାମ : କହିବା କାହାକୁ ସୁଣିବ କିଏ ?

ଭୁବନେଶ୍ବର,୧୭/୫/ : ଖଟିବେ ଶ୍ରମିକ କିନ୍ତୁ ସବୁ ଫାଇଦା ଯିବ ଠିକାଦାର, ସରକାରୀ ବାବୁ, ରାଜନେତା ଓ ଟାଉଟରଙ୍କ ପକେଟକୁ । ନିତି ନିୟମ ସବୁ ଚୁଲିକୁ ଯାଉ ହେଲେ ମୁନାଫାରେ କମ୍ ନହେଉ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳ ମାଳ ଯୋଜନାର ଉନ୍ନୟନ କାର୍ଯ୍ୟର ଏହା ହେଉଛି ବାସ୍ତବ ଚିତ୍ର । ଏହି ଚିତ୍ର ଜଳଛବି ପରି ଜଳଜଳ ହୋଇ ଆହୁରି ସ୍ପଷ୍ଟ ଦିସିଯାଏ ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରେ । ଅଭିଯୋଗ ହେଉଛି ପ୍ରିୟା ପ୍ରିତି ତୋଷଣ ନିତିରେ ବେଧଡକ କାମ କରୁଛନ୍ତି ଠିକାଦାର । ପ୍ରଶାସନ କିମ୍ବା ବିଭାଗୀୟ ଅଧିକାରୀ ତଥା ସ୍ଥାନୀୟ ଲୋକଙ୍କୁ କୌଣିସ ପ୍ରକାରେ ଖାତିରି ନକରି ଆତ୍ମ ଘୋଷିତ ସଚ୍ଚୋଟ ଠିକାଦର ମାନେ ସରକାରଙ୍କ କୋଟି କୋଟି ଟଙ୍କା ରାତାରାତି ଆତ୍ମସାତ କରୁଛନ୍ତି । ନିରୀହ ଶ୍ରମିକଙ୍କୁ ଅସ୍ତ୍ର କରି ବେଶ ବାହାଦୁରି ନେଉଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି କୌଣସି ଧ୍ୟାନ ନାହିଁ । ଫଳରେ କାମ କରୁଥିବା ଅବସ୍ଥାରେ ନିକଟରେ ଏକ ଶ୍ରମିକର ଜୀବନ ଚାଲି ଯାଇଛି ।

ବିନା ସୁରକ୍ଷା ବ୍ୟବସ୍ଥାରେ ବିପଜ୍ଜନକ କାମକରି ଲିଭିଗଲା ଏକ ଶ୍ରମିକର ଜୀବନ ଦୀପ

ଗତ ୧୩ତାରିଖ ଦିନ ସମ୍ବଲପୁର ଡିଭିଜନ ଅଧିନସ୍ଥ ରୁପ୍ରାରୋଡ-କାଣ୍ଡେଲ ମଝିରେ ବଲବସପୁର ଧରଣିପଡା କାଲାଖୁଟୁ ବଗିଚା ପାଖରେ ରେଳ ଲାଇନ ତଳେ ଅଣ୍ଡର ବ୍ରୀଜ ନିର୍ମାଣ କାମ ଚାଲିଥିବା ବେଳେ ହଠାତ ମାଟି ଅତଡା ଖସିବା ଫଳରେ ଜଣେ ଶ୍ରମିକ ଘଟଣା ସ୍ଥଳରେ ପୋତି ହୋଇଯାଇଥିଲେ । ପରବର୍ତି ସମୟରେ ତାଙ୍କୁ ଜେସିବି ସାହାଯ୍ୟ ରେ ଉଦ୍ଧାର କରାଯାଇଥିଲେ ହେଁ ତାଙ୍କର ମୃତ୍ୟୁ ହୋଇସାରିଥିବା ଘଟଣାକୁ ସାଧାରଣରେ ଭିନ୍ନ ଭିନ୍ନ ଧରଣର ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ ଶ୍ରମିକଙ୍କ ସୁରକ୍ଷା ପ୍ରତି ଉଠିଛି ପ୍ରଶ୍ନବାଚୀ । ସେଦିନର କାମରେ ଅଣ୍ଡର ବ୍ରିଜ ତଳୁ ମାଟି କାଢିବା ଭଳି ଏକ ବିପଜ୍ଜନକ କାମ ବିନା ସେଫ୍ଟିରେ କରିବାରୁ ମୃତ ଶ୍ରମିକ ରମେଶ କୋୟାମ (ଜଗଦଲପୁର) କୁ ପରାମର୍ଶ ଦେଇଥିଲା କିଏ ? ଅନ୍ୟ ପକ୍ଷରେ ସେ ବିନା ସୁରକ୍ଷାରେ ଏପରିକି ବିନା ହ୍ୟାଲମେଟ୍, ବିନା ସୁରକ୍ଷା ପୋଷାକ, ସୁରକ୍ଷା ବେଲ୍ଟ, ଜୋତା ନପିନ୍ଧି ସେକାମ କରିବାକୁ ଯାଉଥିବା ସମୟରେ ସଂପୃକ୍ତ ବିଭାଗର ସ୍ପେଶିଆଲ ଯନ୍ତ୍ରୀ ଗୁଣନିଧି ଭୋଇ ଘଟଣା ସ୍ଥଳରେ ଥାଇ ସୁଦ୍ଧା ବାରଣ କଲେ ନାହିଁ କାହିଁକି ?

ମୃତ ଶ୍ରମିକ ନାବଳକ ବୋଲି ଚାଲିଛି ଚର୍ଚ୍ଚା : ସତ୍ୟ ହେଲେ ସାଂଘାତିକ

 

ବିନା ସୁରକ୍ଷାରେ ସଂପୃକ୍ତ ଶ୍ରମିକଙ୍କୁ କାମ କରିବାକୁ ଦିଆ ଗଲା କାହିଁକି ବୋଲି ସ୍ପେଶିଆଲ ଯନ୍ତ୍ରୀ ଶ୍ରୀ ଭୋଇଙ୍କୁ ପଚାରିବାରୁ ସେ ଏହାର ସ୍ପଷ୍ଟ ଉତ୍ତର ରଖିପାରି ନଥିଲେ । ଉକ୍ତ ଶ୍ରମିକର ଗାଁ କି ପରିଚୟ କିମ୍ବା ବୟସ ସଂପର୍କରେ ଶ୍ରୀ ଭୋଇଙ୍କୁ ଜଣାନଥିବା ତାଙ୍କର ସ୍ୱଚ୍ଛତା ପ୍ରତିି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିସ୍ବସ୍ଥ ସୂତ୍ରରୁ ସୂଚନା ମିଳିଛି ଯେ ମୃତ ଶ୍ରମିକ ନାବାଳକ, ସେ ୧୮ ବର୍ଷ ମଧ୍ୟ ପୁରଣ କରିପାରି ନଥିଲା ! ଏନେଇ କାର୍ଯ୍ୟ ସ୍ଥଳ ନିକଟସ୍ଥ ତଥା ରେଲୱେ କାମରେ ଅଧିକ ସଂଖ୍ୟାରେ ନିୟୋଜିତ ହୋଇଥିବା ରାକ୍ସି, ବୁଢିପଦର ଓ ଆଖପାଖ ଗାଁରେ ଯୋର ଚର୍ଚା ଚାଲିଛି । ଯାହା ସତ୍ୟ ହେଲେ ସାଂଘାତିକ । ଏଠାରେ ସୂଚନା ଯୋଗ୍ୟଯେ ଏହି କାର୍ଯ୍ୟ ସହ ଆଖ ପାଖ ଅଞ୍ଚଳରେ ହେଉଥିବା ନିର୍ମାଣ କାର୍ଯ୍ୟ ସବୁରେ ନିୟୋଜିତ ଶ୍ରମିକ ମାନଙ୍କ ମଧ୍ୟରୁ ଅନେକ ନାବାଳକ ବୋଲି ଖୋଦ ଶ୍ରମିକ ମାନେ ପ୍ରକାଶ କରିଛନ୍ତି ।

ନିରିହ ଶ୍ରମିକଙ୍କ ସହ ଚାଲିଛି ଖେଳ !

 

ଏପରିକି ରେଳ ବିଭାଗର ଆସିଷ୍ଟାଣ୍ଡ ଡିଭିଜ୍ନାଲ୍ ଇଂଜିନିୟର କାଶୀ ସାହା ତଥା ଆଇ ଓ ଡବ୍ଲ୍ୟୁ ଡି କେ ସିଂ ପ୍ରମୁଖ ଘଟଣା ସ୍ଥଳରେ ଥାଇ ସୁଦ୍ଧା ଏଭଳି ଅଭାବନୀୟ ଘଟଣା ଘଟିବା ଅର୍ଥ ଶ୍ରମିକଙ୍କ ଜୀବନ ପ୍ରତି ଖେଳ ଖେଲିବା ନୁହେଁତ ଆଉ କଣ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ବିଭାଗୀୟ ଅଧିକାରୀ ଓ ନିୟୋଜିତ ଠିକାଦାର ରାୟଗଡାସ୍ଥ ଜେଟିସି କମ୍ପାନୀ ମାଲିକ ନବୀନ ଗୋଲାନୀଙ୍କ ଖିଆଲି ମନୋବୃତି ଯୋଗୁଁ ଆଜି ଏକ ନିରୀହ ଶ୍ରମିକର ଜୀବନ ଚାଲି ଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ଚାଲିଛି ଚର୍ଚ୍ଚା : ହୋଇଛି ମାନବିକତାର ଅବକ୍ଷୟ

 

ସେହିପରି ଘଟଣାକୁ ଚପେଇ ଦେବାକୁ ଉଦ୍ୟମ କରୁଥିବା ବେଳେ ସଂପୃକ୍ତ ଶ୍ରମିକ କୁ ମାଟି ତଳୁ ଜେସିବି ମ୍ୟାସିନରେ କାଢିବା ସମୟରେ ଅଧା ଶରୀର ବାହାରକୁ ଆସିଥଲା । ଏଣୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା ବୋଲି ଲୋକେ କୁହାକୁହି ହେଉଛନ୍ତି ଯାହା ଏକ ଉଚ୍ଚସ୍ତରୀୟ ଅନୁସନ୍ଧାନ ସାପେକ୍ଷ । ପ୍ରତ୍ୟକ୍ଷ ଦର୍ଶିଙ୍କ କହିବା ଅନୁସାରେ ପାଖରେ କାମ କରୁଥିବା ଉକ୍ତ ଶ୍ରମିକଙ୍କ ଭଉଣି ଏହି ହୃଦୟ ବିଦାରକ ଦୃଷ୍ୟ ଦେଖି ମୃତକର ଅନ୍ତ ବୁଜୁଳାକୁ ଭିତରକୁ ଠେଳି ଦେଇଥିଲେ । ଏହା ସହ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ମଧ୍ୟ ମୃତ ଶ୍ରମିକର ଶବକୁ ଏକ ଗଛ ତଳେ ରଖିବାକୁ ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେବା ସହ ମାନବିକତାର ଅବକ୍ଷୟ ହୋଇ ଆସୁଥିବା ଆଲୋଚନା ହେଉଛି ।

ଉଚ୍ଚ ସ୍ଥରୀୟ ତଦନ୍ତ ଜରୁରୀ : ଉଠିଛି ଦାବି, ସଂପୃକ୍ତ ବିଭାଗ ଦୃଷ୍ଟି ଦେବେକି ?

ମୃତ ଶ୍ରମିକ ଜଣକ ବାହାର ରାଜ୍ୟର ହୋଇଥିବା କାରଣରୁ ଓ ଏଠାରେ ତାର କେହି ଲୋକ ନଥିବା ସୁଯୋଗ ନେଇ ଘଟଣାକୁ ରଫାଦଫା କରି ମୁହଁ ବନ୍ଦ କରିବାପାଇଁ କେତେକଙ୍କୁ ଟଙ୍କା ପାଇସା ଦେଇଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଯେତେ ଚେଷ୍ଟା କଲେବି ନିରୀହ ଶ୍ରମିକଙ୍କ ଜୀବନକୁ ଆଉ କେହି ଫେରାଇ ପାରିବେନି ହେଲେ ଆଗାମୀ ଦିନରେ ଶ୍ରମିକଙ୍କ ସୁରକ୍ଷା ପ୍ରତି ସଚେତନ ହୋଇ ସରକାର ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ ଦୋଷୀକୁ ଠାବ କରି କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ କରିବାପାଇଁ ସାଧାରଣରେ ଦାବି ହେଉଛି । ଅନ୍ୟଥା ଆଉ କେତେ ଶ୍ରମିକଙ୍କ ଜୀବନ ଯିବାକୁ ଏଡାଇ ଦିଆ ଯାଇନପାରେ ।

ମାର୍କଣ୍ଡ ଏବେ କେନ୍ତା ଅଛେ ?

ସେଦିନର କଥା ଆଲୋଚନା ହେଲେ ଏବେବି ମୃତ୍ୟୁକୁ ପାଖରୁ ଦେଖିବା ପରି ଅନୁଭବ କରୁଛନ୍ତି ଶ୍ରମିକ ମାର୍କଣ୍ଡ ବାଗ । ନର୍ଲା ବ୍ଲକ ରାକ୍ସି ପଞ୍ଚାୟତ ଅଧିନସ୍ଥ ବୁଢିପଦର ଗାଁର ଭୂମିହିନ, ଦିନମଜୁରିଆ ମାର୍କଣ୍ଡ ବାଗ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ଘଟଣା ଦିନ ତଳକୁ ଯାଇ ମାଟି କାଢିବା ପାଇଁ ନିର୍ଦେଶ ପାଇବା ପରେ ମାର୍କଣ୍ଡ, ରମେଶ (ମୃତକ) ଓ ଅନ୍ୟ ଜଣେ ଶ୍ରମିକ ତଳକୁ ଯାଇ କାର୍ଯ୍ୟ କରୁଥିଲେ । ଏହି ମାଟି ଅତଡା ଖସିବା ଫଳରେ ରମେଶର ମୃତ୍ୟୁ ହୋଇଥିବା ବେଳେ ନାକ ପର୍ଯ୍ୟନ୍ତ ମାଟି ତୋପି ହୋଇ ଯାଇଥିଲା । ଉପସ୍ଥିତ ରାକ୍ସି ଗାଁର ଶ୍ରମିକ ମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ । ଏବେ ତାଙ୍କର ଗୋଟିଏ ହାତ ଉଠୁ ନଥିବା ବେଳେ ତାଙ୍କୁ ଅଜଣା ଭୟ ଗ୍ରାସିଛି । ଅତି କାମିକା ଓ ବଳଶାଳି ମାର୍କଣ୍ଡ ବାଗର ପରିବାର ଏବେ ଅଶଙ୍କା ମଧ୍ୟରେ ରହିଛନ୍ତି । ତା’ର ହାତ ଭଲ ହେବକି ନାହିଁ ସେହି ଗ୍ୟାରେଣ୍ଟି ବି ନାହିଁ । ଯଦି ଭଲ ହେବ ତେବେବି ସେ ଓଜନିଆ କାମ କରିପାରିବ ନାହିଁ । ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି ମାର୍କଣ୍ଡର ପରିବାର ପ୍ରତିପୋଷଣ କରିବ କିଏ ?

ଏନ୍ତା କାମ୍ କେ ଜୁହାର୍ ବୁଆ, ଜୀବନ୍ ଥିଲେ ଜିବକା

 

ସେଦିନ ରେଲୱେ କାମରେ ନିୟୋଜିତ ଥିବା ଶ୍ରମିକ ମାନଙ୍କ ସହ ଆଲୋଚନା କରିବା ସମୟରେ ସେମାନେ ଭୟଭିତ ଥିବା ଜଣାଯାଉଥିଲେ । ସେମାନେ କହିବା ଅନୁସାରେ କାମ ଦାମ ମିଳୁନଥିବାରୁ ଏପରି ବିପଜ୍ଜନକ କାର୍ଯ୍ୟ କରିବାକୁ ପଡୁଛି । ମହିଳା ଶ୍ରମିକ ମାନେ କହିଛନ୍ତି ଯେ ଆମେ ସେହି କାର୍ଯ୍ୟ ସ୍ଥଳୀକୁ ଯିବାକୁ ଡର ମାଡୁଛି, କିନ୍ତୁ ପେଟ ପାଟଣା କଥା ନଗଲେ ବଞ୍ଚିବୁ କେମିତି । ଆଉ କେତେକ କହିଛନ୍ତି ଯେ ” ଏନ୍ତା କାମକେ ଜୁହାର୍ ବୁଆ, ଜୀବନ ଥିଲେ ଜିବକା । ” 

ଆଳୁ ଖୋଳୁ ଖୋଳୁ ମହାଦେବ

ଏହା ଏକ ସମ୍ବେଦନଶିଳ ପ୍ରସଙ୍ଗ ହୋଇଥିବାରୁ ରାଜ୍ୟର ଏକ ସଚେତନ ଗଣମାଧ୍ୟମ ଭାବେ ଓଡିଆ ବାର୍ତ୍ତା (odiabarta.in) ତଥ୍ୟ ଭିତ୍ତିକ ଭାବରେ ପ୍ରଥମେ ଏହି ଖବର ପ୍ରକାଶ କରିଥିଲା । ସେହି ସମୟରୁ ହିଁ ମୃତକର ବୟସ ଉପରେ ସଂଦେହ ଥିବାରୁ ୧୩ ତାରିଖରେ ପ୍ରକାଶିତ ଖବର ଉପରେ ଆମେ ବୟସ ସୂଚିତ କରିନଥିଲୁ । ବର୍ତ୍ତମାନ କାର୍ଯ୍ୟସ୍ଥଳ ପାର୍ଶ୍ବବର୍ତ୍ତି ଗ୍ରାମବାସୀ ଓ ରୁପ୍ରାରୋଡ, ନର୍ଲା, କାଣ୍ଡେଲ ଅଞ୍ଚଳ ତଥା ଏହି କାମରେ ନିୟୋଜିତ ଶ୍ରମିକ ମାନଙ୍କ ଚର୍ଚ୍ଚା ଆଲୋଚନା ସୁଣିଲେ ଏହା ଆଳୁ ଖୋଳୁ ଖୋଳୁ ମହାଦେବ ପରି ପ୍ରତ୍ୟୟମାନ ହେଉଛି । ତେଣୁ ଏହି ଘଟଣା ସ୍ପଷ୍ଟ ହେବା ପର୍ଯ୍ୟନ୍ତ ଆମେ ଆମର ଚେଷ୍ଟା ଜାରି ରଖିବୁ ଓ ଏହାର ପୁଂଖାନୁପୁଂଖ ଖବର ଆମର ପ୍ରିୟ ପାଠକଙ୍କ ନିକଟରେ ପହଞ୍ଚାଇବାର ପ୍ରଜତ୍ନ କରିବୁ । ତେଣୁ ଏ ସମନ୍ଧରେ ଯଦି କାହାରି ପାଖରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ/ସୂଚନା ଥାଏ ତେବେ ଆମର ଇମେଲ odiabarta@gmail.com କିମ୍ବା ୱାର୍ଡସ୍ ଆପ୍ 9078930414 ରେ ପଠାଇ ପାରିବେ ।

 

ଖବର ଓ ଉପସ୍ଥାପନା :

ମନୋଜ କୁମାର ଷଡଙ୍ଗୀ

Special Correspondent odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.