ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ନୂତନ ପଦବୀ ସୃଷ୍ଟି, ଖୁବ୍ ଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି । ରାଜ୍ୟ ସରକାର ମୋଟ ୯୦୨ଟି ପଦବୀ ତିଆରି କରିଛନ୍ତି । ଏଥ‌ିରେ ୬୪୨ଟି ଶିକ୍ଷକ ଓ ୨୬୦ଟି ଅଣଶିକ୍ଷକ ପଦ ରହିଛି । ଖୁବ୍ ଶୀଘ୍ର ଏନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ୬୪୨ ପୋଷ୍ଟ ଗ୍ରାଜୁଏଟ ଟିଚର(ପିଜିଟି) ପଦବୀ ସମେତ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ୍, ୨୪ ଲାବୋରେଟୋରୀ ଆଟେଣ୍ଡାଣ୍ଟ୍‌, ୧୦୬ ଆସିଷ୍ଟାଣ୍ଟ୍ ଲାଇବ୍ରେରିଆନ, ୧୦୬ ଜୁନିୟର କ୍ଲର୍କ ପଦବୀ ସୃଷ୍ଟି ହୋଇଛି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜାରୀ ପ୍ରେସ ବିଜ୍ଞପ୍ତିରେ କହାଯାଇଛି ଯେ, ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବିଶେଷ ଧ୍ୟାନ ଦେଇଆସୁଛନ୍ତି । ବିଦ୍ୟାଳୟଗୁଡିକର ଭିତ୍ତିଭୂମି ବିକାଶ ସହ ଶିକ୍ଷକ, ଅଣଶିକ୍ଷକ ପଦରେ ନିଯୁକ୍ତି ଦେଉଛନ୍ତି । ଏହି କ୍ରମରେ ୯୦୨ ପଦବୀକୁ ମଞ୍ଜୁରି ଦେଇ ଆଉ ଏକ ପଦକ୍ଷେପ ନେଇଛନ୍ତି । ଚଳିତ ବର୍ଷ ୧୦୬ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ସରକାର ଉନ୍ନୀତ କରିଛନ୍ତି । ଏ ସବୁ ବିଦ୍ୟାଳୟରେ ଯୁକ୍ତ-୨ ଖୋଲିଛି । ଦଶମ ପଢ଼ିସାରିବା ପରେ ଛାତ୍ରଛାତ୍ରୀ ସିଧାସଳଖ ନିଜ ବିଦ୍ୟାଳୟରେ ଯୁକ୍ତ-ଦୁଇ ପଢ଼ିପାରିବେ । ସେମାନଙ୍କୁ ଶିକ୍ଷାଦାନ ପାଇଁ ଏହି ନୂତନ ଶିକ୍ଷକ ପଦବୀଗୁଡିକ ସୃଷ୍ଟି ହୋଇଛି । ସେହିପରି ପ୍ରତି ଉନ୍ନୀତ ମାଧ୍ୟମିକ ବିଦ୍ୟାଳୟରେ ଅଫିସ କାର୍ଯ୍ୟ, ଲାବ୍‌ର ସୁପରିଚାଳନା ଓ ପାଠାଗାର ପରିଚାଳନା ପାଇଁ ମଧ୍ୟ ସରକାର ବିଶେଷ ଧ୍ୟାନ ଦେଇ ଅଣ-ଶିକ୍ଷକ ପଦବୀଗୁଡିକୁ ମଞ୍ଜୁରୀ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.